www.samajalive.in
Sunday, December 7, 2025
23.1 C
Bhubaneswar

ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି, ଅଭିଯୋଗର ବର୍ଷେ ପରେ ମଧ୍ୟ ହୋଇପାରିଲାନି ସମାଧାନ 

ବୌଦ୍ଧ : ବୌଦ୍ଧ ଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ନେଇ ଅଭିଯୋଗ ହୋଇଆସୁଅଛି। ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ଲୋକ ମୃତ୍ୟୁର ଶୀକାର ହୋଇ ସାରିଲେଣି। ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଅନେକ ନଳକୂପର ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇ ନ ଥିବା ଯୋଗୁଁ ନାଲିରଙ୍ଗର ଛକି ଦିଆଯାଇଛି। କିନ୍ତୁ ଲୋକଙ୍କ ପାଖରେ ପାନୀୟଜଳର ବିକଳ୍ପ ନ ଥିବାରୁ ସେହି ନଳକୁପଗୁଡିକର ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଜଣାଯାଇଛି। ଗୁରୁବାର ଏହିପରି ଏକ ଅଭିଯୋଗ ନେଇ ବୌଦ୍ଧ ବ୍ଲକ ଶଗଡା ପଂଚାୟତର ଝାଙ୍କରପଡା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ମୁତବାକ, ଝାଙ୍କରପଡା ଗ୍ରାମବାସୀ ଏକବର୍ଷ ତଳେ ଗ୍ରାମର ନଳକୂପରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ଆଉ ଦୁଇଟି ନଳକୂପ ଖୋଳିବାକୁ ଜିଲ୍ଳାପାଳଙ୍କୁ ନିବେଦନ କରିଥିଲେ। ଜିଲ୍ଲାପାଳ ଏ ସଂପର୍କରେ ଗ୍ରାମ୍ୟପାନୀୟଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମର ନଳକୂପରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନିଆଯିବା ପରେ ଏକବର୍ଷ ପର୍ଯ୍ୟନ୍ତ ଆଉ ବିଭାଗୀୟ କର୍ମଚାରୀଙ୍କ ଆଉ ଦେଖା ମିଳିନଥିଲା। ପାଣି ନମୁନାର ପରୀକ୍ଷା ରିପୋର୍ଟ ସଂପର୍କରେ ବ୍ଲକର ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାରୁ ନଳକୂପର ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀମାନଙ୍କୁ କହିଥିଲେ। ଗ୍ରାମରେ ୫୦୦ ଲୋକଙ୍କ ପାଇଁ ମାତ୍ର ତିନୋଟି ନଳକୂପ ରହିଥିବାବେଳେ ସେଥିରୁ ଦୁଇଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଆଉ ଦୁଇଗୋଟି ନଳକୂପ ଖୋଳାଇଦେବାକୁ ଗ୍ରାମବାସୀମାନେ ନିବେଦନ କରିଥିଲେ। କିନ୍ତୁ ଅଭିଯୋଗ କରିବାର ଏକବର୍ଷ ପରେ ମଧ୍ୟ ଗ୍ରାମରେ ନଳକୂପ ଖୋଳାଯାଇନଥିବାବେଳେ ଗ୍ରାମବାସୀମାନଙ୍କୁ ପାନୀୟଜଳ ପାଇଁ ପ୍ରାୟ ତିନି କିଲୋମିଟର ଯିବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାରେ ତିନୋଟିଯାକ ବ୍ଲକର ପ୍ରତି ପରିବାରକୁ ମହାନଦୀରୁ ପାନୀୟଜଳ ଯୋଗାଇଦେବାକୁ ସରକାର ଅନୁଦାନ ଯୋଗାଇଦେଇଥିବାବେଳେ ବୌଦ୍ଧ ଓ କଂଟାମାଳ ବ୍ଳକରେ ଏଲଏଣ୍ଡଟି ସଂସ୍ଥା ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଳୁଅଛି। ତେଣୁ ବିଭାଗ ପକ୍ଷରୁ ଆଉ ନୂତନ ନଳକୂପ ଖୋଳାଇବା ଦିଗରେ ଆଗ୍ରହ ପ୍ରକାଶ କରାଯାଉ ନ ଥିବା ଜଣାଯାଇଛି। କିନ୍ତୁ ଗ୍ରାମରେ ବ୍ୟବହାର ଉପଯୋଗୀ ନଳକୂପ ନରହିଲେ ପାନୀୟଜଳ ପାଇଁ ଆଉ କେତେଦିନ କଷ୍ଟ ଭୋଗ କରିବୁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଆଗକୁ ଗ୍ରୀଷ୍ମଦିନ ଆସୁଥିବାବେଳେ ପାନୀୟଜଳ ପାଇଁ ଗ୍ରାମବାସୀମାନେ ଆଶଙ୍କାରେ ରହିଛନ୍ତି। ତେଣୁ ଆସନ୍ତା ୭ଦିନ ମଧ୍ୟରେ ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆଇନ ହାତକୁ ନେଇ ଜାତୀୟ ରାଜପଥ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି। ରଘୁନାଥ ପଲିଆଙ୍କ ନେତୃତ୍ୱରେ ଝାଙ୍କରପଡା ଗ୍ରାମବାସୀମାନେ ବୌଦ୍ଧ ଆସି ଗ୍ରାମ୍ୟ ପାନୀୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବାପରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ। ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କୁ ଦାବିପତ୍ର ପ୍ରଦାନ ସହ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଥିଲେ। ପରେ ଗ୍ରାମବାସୀମାନେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ମଧ୍ୟ ସାକ୍ଷାତ କରି ଅଭିଯୋଗ କରିଥିବା ଜଣାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories