www.samajalive.in
Sunday, December 7, 2025
16.1 C
Bhubaneswar

ଏଜି ଛକ ଟ୍ରାଫିକ୍‍ରେ ହାଙ୍ଗାମା: କ୍ୟାପିଟାଲ୍ ଥାନାରେ ଏତଲା ଦେଲେ ଟ୍ରାଫିକ କନଷ୍ଟେବଳ

ଭୁବନେଶ୍ୱର: ସ୍ଥାନୀୟ ଏଜି ଛକ​‌ରେ ଗତ କାଲି ଘଟିଥିବା ହାଇ ପ୍ରୋଫାଇଲ୍‌ ଘଟଣାରେ ଟ୍ରାଫିକ୍‌ କନେଷ୍ଟବଳ ଆଜି କ୍ୟାପିଟାଲ୍‌ ଥାନାରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ନାମରେ ଏତଲା ଦେଇଛନ୍ତି।

ଗୁରୁବାର ଅପରାହ୍ଣ ପ୍ରାୟ ୫ଟା ବେଳେ ଏଜି ଛକ ଟ୍ରାଫିକ୍‍ରେ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସୁଥିବା ସମୟରେ ଟ୍ରାଫିକ୍‍ ଉଲ୍ଲଘଂନକାରୀ ଏବଂ ଟ୍ରାଫିକ୍‍ କନଷ୍ଟେବଳ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏକ ନାଲି ରଙ୍ଗର କାର୍‍ ସିଗ୍‍ନାଲ୍‍ ଉଲ୍ଲଘଂନ କରୁଥିବାରୁ ତାକୁ ଅଟକାଇଥିବା କନଷ୍ଟେବଳଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଏହାକୁ ନେଇ ବେଶ୍‍ କିଛି ସମୟ ଟ୍ରାଫିକ୍‍ ଭିଡ଼ ଦେଖିବାକୁ ମିଳିଥିଲା। ଏଜି ଛକ ଅତିକ୍ରମ କରିବା ସମୟରେ ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହୋଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଅସନ୍ତୋଷବ୍ୟକ୍ତି କରିଥିବା ଜଣାପଡିଛି।
ବରିଷ୍ଠ ଟ୍ରାଫିକ୍‍ ଅଧିକାରୀଙ୍କ କହିବା ଅନୁସାରେ ଏକ ନାଲି ରଙ୍ଗର ସୁଇଫ୍ଟକାର୍‍(ଓଆର୍‍ ୧୫ ଏଲ୍‍-୨୭୨୭) ୟୁନିଟ୍‍-୧ ହାଟ ପଟୁ ଏଜି ଛକକୁ ଆସିଥିଲା। କାର୍‍ଟି ଡାହାଣ ପଟ ରାସ୍ତାରେ ଏଜି ଛକ ଅତିକ୍ରମ କରିବା ବେଳେ ସିଗ୍‍ନାଲ୍‍ ବନ୍ଦ ଥିଲା। ତେବେ ଉକ୍ତ କାର୍‍ଟି ଏଜି ଛକ ଟ୍ରାଫିକ୍‍ରେ ୟୁ ଟର୍ଣ୍ଣ ନ ନେଇ ଜେବ୍ରା କ୍ରସିଂ ଉପରେ ରହି ଯାଇଥିଲା। ଟ୍ରାଫିକ୍‍ ନିୟନ୍ତ୍ରଣରେ ଥିବା ମହିଳା କନଷ୍ଟେବଳ ପୁଷ୍ପଲତା ଓଝା କାର୍‍କୁ ୟୁଟର୍ଣ୍ଣ ନେବାକୁ ପାଖକୁ ଆସିଥିଲେ। ହେଲେ କାର୍‍ଟି ନ ଯାଇ ସେଠାରେ ଅଟକି ରହିଥିଲା। ଏହା ଫଳରେ ୟୁଟର୍ଣ୍ଣ ନେବାକୁ ପଛକୁ ପଛ ଗାଡି ଅଟକି ରହିଥିଲା। ଟ୍ରାଫିକ କନଷ୍ଟେବଳ କାର୍‍ ନିକଟକୁ ଯାଇ ୟୁ-ଟର୍ଣ୍ଣ ନେବାକୁ କହିଥିଲେ। କାର୍‍ଟି ତାଙ୍କ ଆଡକୁ ଆସୁଥିବାରୁ ଉକ୍ତ କାର୍‍କୁ ସେ ଅଟକାଇବା ଲାଗି ହାତରେ ଆଘାତ ଦେଇଥିଲେ। ତେବେ ଏହି ସମୟରେ ଟ୍ରାଫିକ୍‍ ସିଗ୍‍ନାଲ୍‍ ମିଳିଯାଇଥିବାରୁ ମହିଳା ଟ୍ରାଫିକ୍‍ କନଷ୍ଟେବଳ କାର୍‍କୁ ଛାଡି ଦେଇଥିଲେ। ଉକ୍ତ କାର୍‍ଟି ରାଜଭବନ ଆଡକୁ ଚାଲି ଯାଇଥିଲା। ତେବେ ଉକ୍ତ କାର୍‍ ଚାଳକ ପୁଣି ରାଜଭବନ ଆଡୁ ଆସି ୟୁନିଟ୍‍-୧ ପଟୁ ଯାଉଥିବା ଗାଡ଼ିଗୁଡ଼ିକ ସାମ୍‍ନାରେ ଅଟକାଇ ଦେଇଥିଲେ। ଡ୍ୟୁଟିରେ ଥିବା ମହିଳା ଟ୍ରାଫିକ କନଷ୍ଟେବଳଙ୍କ ସହିତ ଓହ୍ଲାଇ ଯୁକ୍ତିତର୍କ କରିଥିଲେ। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସୁଥିବାରୁ ଛକ ଉପରୁ କାର୍‍ କାଢ଼ିବା ଲାଗି ଟ୍ରାଫିକ କନଷ୍ଟେବଳ କହିଥିଲେ। ହେଲେ ଉକ୍ତ ମହିଳା ଜଣକ ଯୁକ୍ତିତର୍କ କରି ଚାଲିଥିଲେ। ଛକରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍‍କେଡ୍‍ ଅତିକ୍ରମ କରିବାକୁ ଥିବାରୁ ଉକ୍ତ ମହିଳାଙ୍କୁ ଟ୍ରାଫିକ୍‍ ମହିଳା କନଷ୍ଟେବଳ ରାସ୍ତାରୁ କଡ଼କୁ ନେଇ ଆସିଥିଲେ। ଉକ୍ତ କାର୍‍କୁ ଟ୍ରାଫିକ କର୍ମଚାରୀମାନେ ପରେ କଡ଼କୁ ଆଣିଥିଲେ। କାର୍‍ରେ ଅତିରିକ୍ତ ଡିଜି(ରେଳବାଇ) ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ ଥିବା ଜଣାପଡିଥିଲା। ପରେ ଏଡିଜି ଶ୍ରୀ ଆଚାର୍ଯ୍ୟ ଟ୍ରାଫିକ୍‍ ଥାନାରେ ପହଞ୍ଚି ପରିବାର ଲୋକଙ୍କୁ ନେଇ ଯାଇଥିଲେ।
ଏସମ୍ପର୍କରେ ସୂଚନା ପାଇବା ପରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଅନୁଧ୍ୟାନ କରିବାକୁ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଏହି ଘଟଣା ସମ୍ପର୍କରେ ଏଜି ଛକର ସମସ୍ତ ସିସିଟିଭିକୁ ଯାଞ୍ଚ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories