BJD Bijuli 480×75 Mob

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ, କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

BJD Bijuli 480×75 Mob

ବୌଦ୍ଧ: ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ କୋଭିଡ ଯୋଦ୍ଧା ତଥା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପୂର୍ବତନ ଶିଶୁରୋଗ ବିଶେଷଜ୍ଞ ସ୍ୱର୍ଗତ ଡ. ବିଶ୍ୱନାଥ ରାଉତଙ୍କ ପତ୍ନୀ ସ୍ୱାଗତିକା ସ୍ୱାଇଁଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ରାଜ୍ୟସରକାରଙ୍କ ପକ୍ଷରୁ ଜିଲ୍ଳାପାଳ ଶ୍ରୀମିଶ୍ର ପ୍ରଦାନ କରିଥିଲେ। ସ୍ୱର୍ଗତ ଡା.ରାଉତ ନିଜର ଆମାୟିକ ବ୍ୟବହାର ଓ କୋଭିଡ ସମୟରେ ରୋଗୀଙ୍କ ନିସ୍ୱାର୍ଥପର ସେବା ପାଇଁ ବୌଦ୍ଧରେ ଲୋକପ୍ରିୟ ହୋଇପାରିଥିଲେ। ଆଜି ତାଙ୍କର ଶୋକସନ୍ତପ୍ତ ପରିବାରକୁ ସରକାର ଅନୁକମ୍ପାମୂଳକ ସହାୟତା ଯୋଗାଇଦେଇଥିବାରୁ ଏହାକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା,ରୋଗୀକଲ୍ୟାଣ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଶ୍ରୀମିଶ୍ର ସମୀକ୍ଷା କରିଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକୁ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବରେ ଆନୁଷ୍ଠାନିକ ପ୍ରସବ, ଶିଶୁ ସ୍ୱାସ୍ଥ୍ୟ, ନିୟମିତ ଟୀକାକରଣ, ପରିବାର କଲ୍ୟାଣ, ଆଶା ଓ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ, ମ୍ୟାଲେରିଆ, କୁଷ୍ଠ, ଯକ୍ଷ୍ମା ତଥା ଅଣ ସଂକ୍ରାମକ ରୋଗ ନିରାକରଣ,ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ଜିଲ୍ଲାପାଳ ଶ୍ରୀମିଶ୍ର ବୈଠକରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଆଗାମୀ କୋଭିଡ ଟୀକାକରଣ ଓ ଆସନ୍ତା ଜାନୁୟାରୀ ୧୭ ତାରିଖରେ ହେବାକୁଥିବା ପଲସପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ଆବଶ୍ୟକୀୟ ତଥ୍ୟର ଆକଳନ ତଥା ଏଥିନିମନ୍ତେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କର ସହଯୋଗ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବ୍ଲକସ୍ତରରେ ପ୍ରତି ସପ୍ତାହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ମିଟିଂ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ ମହାପାତ୍ର, ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିରୀକ୍ଷଣ ଅଧିକାରୀ ଡା. ରବୀନ୍ଦ୍ରନାଥ ସାହୁ, ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି କୁମାର ଧରୁଆ, ତିଲୋଚନ ପ୍ରଧାନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.