www.samajalive.in
Friday, December 5, 2025
20.1 C
Bhubaneswar

ନାଶିବ ବଙ୍କର, ଝାମ୍ପିବ ଆତଙ୍କବାଦୀ

ନୀଳଗିରି : ଅକ୍ଳେଶରେ ପାହାଡ଼ ଜଙ୍ଗଲ ଚଢ଼ି ପାରିବ। ବଢ଼ାଇବ ଦେଶର ସୁରକ୍ଷା। ଶତ୍ରୁ ବଙ୍କର ଭିତରେ ଥାଆନ୍ତୁ ଅବା ଘଞ୍ଚ ଜଙ୍ଗଲରେ, ରାତିରେ ଅବା ଦିନରେ, ସେମାନଙ୍କୁ ଠାବ କରି ଝାମ୍ପି ଆଣିବ। ଆବଶ୍ୟକସ୍ଥଳେ ସମୂହ ଆତଙ୍କବାସୀଙ୍କୁ ଭାରତ ସୀମାରେ ନିପାତ କରିବ। ଘଣ୍ଟାପ୍ରତି ୩୦ରୁ ୪୦କିମି ବେଗରେ ଦୌଡ଼ିବା କ୍ଷମତାଥିବା ସ୍ପାଇଡର୍‌ (ବୁଢ଼ିଆଣୀ) ରୋବଟ୍‌ ନିର୍ମାଣ କରୁଛନ୍ତି ନୀଳମାଧବ। ପୂର୍ବରୁ ହ୍ୟୁମାନ ରୋବଟ୍‍, ସ୍ମାର୍ଟ ଚେୟାର, ଆଣ୍ଡ୍ରୋ ହ୍ୟୁମାନଏଡ ରୋବଟ୍‍ ‘ରୋବ-ନୀଲ’ ନିର୍ମାଣରେ ସଫଳତା ହାସଲ କରି ଓଡ଼ିଶାରେ ଚର୍ଚ୍ଚିତ ହୋଇଥିବା ନୀଳଗିରିର ନୀଳମାଧବଙ୍କ ଚତୁର୍ଥ ଉଦ୍ଭାବନ ଏହି ହେକ୍ଟାପୋଡ୍‌ ରୋବଟ୍‌।
ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ତଥା ଔପଦା ବ୍ଲକ ସନ୍ତରାଗଡ଼ିଆ ନିକଟସ୍ଥ କାନପୁର ଗାଁର ରାଜା ଓରଫ ନୀଳମାଧବ ବେହେରା (୨୦)। ବାପା ଶଶିକାନ୍ତ ବେହେରା ଓ ମା’ ନିରୂପମାଙ୍କର ସେ ହେଉଛନ୍ତି ଏକମାତ୍ର ସନ୍ତାନ। ମା’ ଗୃହିଣୀ ହୋଇଥିବା ବେଳେ ବାପା ସ୍ୱଳ୍ପବେତନ ପାଉଥିବା ଏକ ବେସରକାରୀ ସ୍କୁଲର ଶିକ୍ଷକ। ନୀଳମାଧବ +୨ ଦ୍ୱିତୀୟ ବର୍ଷର ଛାତ୍ରଥିବା ସମୟରେ ମାତ୍ର ୧୮ବର୍ଷ ବୟସରେ ଆଟମ-୩.୭ନାମରେ ‘ହ୍ୟୁମାନ୍‍ ରୋବଟ୍‍’ ନିର୍ମାଣ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଯାହାକୁ ଗଢ଼ିବା ପାଇଁ ବୈଜ୍ଞାନିକଙ୍କୁ ବର୍ଷ ବର୍ଷ ତପସ୍ୟା କରିବାକୁ ପଡ଼େ; ତା’ହା ମାତ୍ର ସ୍ୱଳ୍ପ ଦିନ ଭିତରେ ସେ ସମ୍ପୂର୍ଣ୍ଣ କରିପାରିଥିଲେ। ବିନା ଗୁରୁବିଦ୍ୟା ଓ ଲାବୋରୋଟାରୀର ସହାୟତାରେ ସେ ଏହି ଉଦ୍ଭାବନ କରିଥିଲେ। ପରେ ‘ସ୍ମାର୍ଟ ଚେୟାର’, ଆଣ୍ଡ୍ରୋ ହ୍ୟୁମାନଓଏଡ ରୋବଟ୍‍ ଏବଂ ସମ୍ପ୍ରତି ସେ ଉଦ୍ଭାବନ କରିଛନ୍ତି ଦେଶର ପ୍ରଥମ ବୁଢ଼ିଆଣି ରୋବଟ୍‍।
ଭାରତୀୟ ସେନାମାନେ ସଦାସର୍ବଦା ଶତ୍ରୁପକ୍ଷଙ୍କ ଉପରେ ନଜର ରଖିଥାନ୍ତି। କିନ୍ତୁ ଏହି ଶତ୍ରୁପକ୍ଷ କେତେବେଳେ ବଙ୍କର ଭିତରେ ତ ଆଉ କେତେବେଳେ ଘଞ୍ଚ ଜଙ୍ଗଲରୁ ଗୁଳିବର୍ଷଣ କରିଚାଲନ୍ତି। ଏବେ କିନ୍ତୁ ଶତ୍ରୁ ବା ଆତଙ୍କବାଦୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବ ହେକ୍ସାପୋଡ଼ ରୋବଟ୍‍। ୮୦କିଲୋ ଓଜନ, ୬ଫୁଟ ଉଚ୍ଚତା ବିଶିଷ୍ଟ ନିର୍ମାଣ ଚାଲିଥିବା ଏହି ରୋବଟ୍‍ ଦେହରେ ୫୮ଟି ସେନ୍‍ସର ଖଞ୍ଜା ଯାଇଛି। ସେହିପରି ଏଥିରେ ୪ଟି ବ୍ରେନ ବା କଣ୍ଟ୍ରୋଲର ଏବଂ ୪ଟି କ୍ୟାମେରା ଲାଗିଛି। ଉକ୍ତ କ୍ୟାମେରା ଜରିଆରେ ଅନ୍ଧାର ରାତିରେ ସେ ସ୍ୱଛଭାବେ ଦେଖିପାରିବ। ବୁଢ଼ିଆଣି ଭଳି ଏଥିରେ ୬ଟି ଗୋଡ଼ ଲାଗିଥିବାରୁ ଶତ୍ରୁଙ୍କ ଆକ୍ରମଣ ଦେଖିଲେ ସେ ମାଟି ସହ ସମାନ୍ତରାଳ ହୋଇ ଶୋଇପଡ଼ିବ ଏବଂ ସୁଯୋଗ ଦେଖି ସେମାନଙ୍କୁ ଗୁଳିବର୍ଷଣ କରିପାରିବ। ଏଥିରେ ୧୦ଟି ଅଟୋବନ୍ଧୁକ ଲଗାଯିବା ସହ ୪ଟି ମିଜାଇଲ ମଧ୍ୟ ଖଞ୍ଜାଯିବ। ଏପରିକି ଭୂମିକମ୍ପ, ନଈବଢ଼ି ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ବୁଢ଼ିଆଣି ରୋବଟ ବିପନ୍ନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇପାରିବ ବୋଲି ନୀଳମାଧବ ସୂଚନା ଦେଇଛନ୍ତି। ଏହା ୱାଟର ପ୍ରୁଫ୍‍ ହୋଇଥିବା ଯୋଗୁ ଖରା ବର୍ଷାରେ ମଧ୍ୟ ସଦାସର୍ବଦା ସୀମାନ୍ତ ଅଞ୍ଚଳରେ ପ୍ରହରା ଦେଇପାରିବ। ଏହାକୁ ଗଢ଼ିବାରେ ମୋଟ ସାଢ଼େ ୮ରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସୂଚନା ମିଳିଛି।
ନୀଳଗିରିର ଏକ ଝାଟିମାଟି ଘରେ ବଢ଼ିଥିବା ନୀଳମାଧବ ଗୋଟିଏ ପରେ ଗୋଟିଏ ସଫଳତା ସାଉଣ୍ଟି ଚାଲିଥିବା ଯୋଗୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ଶକ୍ତିମନ୍ତ୍ରୀଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ସଞ୍ଚିତ ସହାୟତାରେ ସେ ବୁଢ଼ିଆଣି ରୋବଟ୍‍କୁ ନିର୍ମାଣ କରୁଥିବା କହିଛନ୍ତି ନୀଳମାଧବ। ଗାଁର ଝାଟିମାଟି ଘର ଛାଡ଼ି ସମ୍ପ୍ରତି ରାଜଧାନୀ ଭୁବନେଶ୍ୱରରେ ସେ ବୁଢ଼ିଆଣି ରୋବଟ ନିର୍ମାଣ କାର୍ଯ୍ୟରେ ଦିବାରାତ୍ର ଲାଗି ପଡ଼ିଥିବା ସୂଚନା ମିଳିଛି। ସମ୍ପ୍ରତି ରୋବଟ୍‍ ନିର୍ମାଣରେ ୫୦ପ୍ରତିଶତ କାର୍ଯ୍ୟ ସରିଛି। ଆଉ ମାସେ/ଦୁଇମାସ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବୁଢ଼ିଆଣି ରୋବଟ୍‍କୁ ପ୍ରଦର୍ଶିତ କରିବା ଲକ୍ଷ୍ୟ ରଖିଛନ୍ତି ନୀଳମାଧବ। ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଏହି ଯୁବ ବୈଜ୍ଞାନିକ ଜଣକ ବିଜ୍ଞାନ କ୍ଷେତ୍ରରେ ଏକାଧିକ ବିପ୍ଳବ ଆଣିପାରନ୍ତେ ବୋଲି ମତପ୍ରକାଶ ପାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories