ଖଣ୍ଡେ ବ୍ରେଡର ମୂଲ୍ୟ ୫୦ ଲକ୍ଷ ଟଙ୍କା

0

କାରାକସ : ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାର ଆର୍ଥିକ ସ୍ଥିତି ଏବେ ଶୋଚନୀୟ ହୋଇ ପଡ଼ିଛି। ଦୁର୍ବଳ ଆର୍ଥିକ ନୀତି ଯୋଗୁଁ ଏଠାରେ ଦରଦାମ ୧୦ ଲକ୍ଷ ପ୍ରତିଶତ ବୃଦ୍ଧି ଘଟିଛି। ଫଳରେ ଭେନେଜୁଏଲାରେ ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ବସ୍ତୁର ଦାମ ଲକ୍ଷାଧିକ ଗୁଣ ବଢି ଯାଇଛି। ଏପରିକି ଏଠାରେ ବ୍ରେଡ ଖଣ୍ଡ ପିଛା ୫୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ଭେନେଜୁଏଲା ମୁଦ୍ରାର ମୂଲ୍ୟ ବହୁଳମାତ୍ରାରେ ହ୍ରାସ ପାଇଛି । ଅଖା ଭର୍ତ୍ତି ଅର୍ଥ (ବୋଲିଭାର) ନେଲେ ବି ଗୋଟିଏ ବକ୍ତ ଖାଇବାକୁ ମିଳୁନାହିଁ । ଦିନେ ତୈଳ ଭଣ୍ଡାର ଏବଂ ଦକ୍ଷିଣ ଆମେରିକାର ସବୁଠୁ ଧନୀ ଦେଶ କୁହାଯାଉଥିବା ଭେନେଜୁଏଲାର ଏଭଳି ପରିସ୍ଥିତି ପାଇଁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ଭୁଲ୍‍ ସାମାଜିକ ପରୀକ୍ଷା ଦାୟୀ। ଭେନେଜୁଏଲାର ଅର୍ଥନୀତି ଏତେ ବିଗିଡ଼ି ଯାଇଛି ଯେ ପ୍ରତିଦିନ ୫ ହଜାରରୁ ଊର୍ଦ୍ଧ୍ବ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି। ଡାକ୍ତରଖାନା ଏବଂ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଲୋକମାନେ ମଧ୍ୟ ଦେଶ ଛାଡ଼ି ଚାଲି ଯାଉଛନ୍ତି। ସରକାରୀ ଅଧିକାରୀ ଅନ୍ୟ ଲୋକଙ୍କ ଘରେ କାର୍ଯ୍ୟ କରି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଭେନେଜୁଏଲାରୁ ଅନେକ ଲୋକ ଯାଇ ତ୍ରିନିଦାଦ ଏବଂ ଟବେଗୋ ଦ୍ୱୀପ ଦେଶରେ ଶରଣାର୍ଥୀ ଭାବେ ରହୁଛନ୍ତି। ଫଳରେ ଦଲାଲମାନେ ଏହର ସୁଯୋଗ ନେଇ ଭେନେଜୁଏଲାର ବିଭିନ୍ନ ସ୍ଥାନରୁ ମାନବ ଚାଲଣ କରୁଛନ୍ତି।
ଉଲ୍ଲେଖ ଯେ ୧୯୫୦ରୁ ୧୯୮୦ ପର୍ଯ୍ୟନ୍ତ ଭେନେଜୁଏଲା ଆର୍ଥିକ ଭାବେ ବେଶ୍‍ ମଜଭୁତ ଥିଲା। ଏଠାରେ ତେଲର ଅନେକ ଭଣ୍ଡାର ମହଜୁଦ୍‍ ଥିଲା ଏବଂ ଇଟଲୀ ଏବଂ ସ୍ପେନ ଭଳି ଦେଶ ଭେନେଜୁଏଲା ସହ ବାଣିଜ୍ୟ ସମ୍ପର୍କ ରଖିଥିଲେ। ତୈଳ ଦାମ ହ୍ରାସ ସହ ମୁଦ୍ରା ସଂକଟ ଏବଂ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଦେଶରେ ଆର୍ଥିକ ସଂକଟ ସୃଷ୍ଟି କରିଥିଲା। ୧୯୯୯ରେ ହୁଙ୍ଗା ଚାଭେଜ ଦେଶର ରାଷ୍ଟ୍ରପତି ହେବା ପରେ ସାମ୍ୟବାଦ ନୀତି ଲାଗୁ କରିଥିଲେ ଓ ଏଥିଯୋଗୁଁ ଅନେକ ବ୍ୟବସାୟ ନଷ୍ଟ ହୋଇଯାଇଥିଲା। କେତେକ ବ୍ୟବସାୟକୁ ଜାତୀୟ କରଣ କରିଦିଆଯାଇଥିଲା। ଏହାପରେ ୨୦୧୩ରେ ବସ୍‍ ଡ୍ରାଇଭରରୁ ଶ୍ରିମକ ନେତା ସାଜିଥିବା ନିକୋଲସ ମାଡରୋ ଦେଶର ରାଷ୍ଟ୍ରପତି ହେବା ସହ ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଛି। ଆମେରିକା ଏବଂ ୟୁରୋପର ଅନେକ ଦେଶ ଭେନେଜୁଏଲାରୁ ତେଲ କିଣିବା ଉପରେ କଟକଣା ଜାରି କରିଛନ୍ତି। ଫଳରେ ସେଠାରୁ ତେଲ ବିକ୍ରି ଏକପ୍ରକାର ବନ୍ଦ ହୋଇଯାଇଛି। କଟକଣା ଯୋଗୁଁ ଦେଶର ଅର୍ଥନୀତି ଶୋଚନୀୟ ହୋଇପଡ଼ିଛି ବୋଲି ନିକୋଲସ ପ୍ରକାଶ କରିଛନ୍ତି।

Leave A Reply