www.samajalive.in
Wednesday, December 10, 2025
16.1 C
Bhubaneswar

ବଣ୍ଟନ ହୋଇ ପାରୁନି ଗୃହ, ଅନଧିକାର ପ୍ରବେଶ ଅଭିଯୋଗ

ଉତ୍ତରଭୁବନେଶ୍ୱର: ବାସହରାଙ୍କୁ ଗୃହ ଯୋଗାଣ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ରାଜୀବ ଆବାସ ଯୋଜନାରେ ସରକାରଙ୍କ ପକ୍ଷରୁ ବିଡିଏ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ୩ବର୍ଷ ତଳେ ଗୃହ ଯୋଗାଣ ଆରମ୍ଭ ହୋଇଥିଲା। ସେହି ଯୋଜନାରେ ବିଏମ୍‌ସି ୱାର୍ଡ ନଂ ୧୭ ପଥରବନ୍ଧ ବସ୍ତି, ଲକ୍ଷ୍ମୀବିହାର ବସ୍ତି, ବାଣୀବିହାର ଛାତ୍ରାବାସ ନିକଟ ବସ୍ତି, ବିଶ୍ବେଶ୍ୱର ବସ୍ତି, ତାରିଣୀ ବସ୍ତି, ଇନକମ୍‌ ଟ୍ୟାକ୍ସ, ଟେଲିକମ୍‌ କଲୋନୀ, ଏନ୍‌ଏଚ୍‌ଆଇ ବସ୍ତି, ଆଖଣ୍ଡଳମଣି ବସ୍ତି ଆଦି ପାଇଁ ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇ ୨୪୦ ପରିବାରଙ୍କ ପାଇଁ ପଥରବନ୍ଧଠାରେ ଗୃହ ନିର୍ମାଣ କରାଯାଇଥିଲା। ପ୍ରଥମ ଦଫାରେ ଅଢ଼େଇ ବର୍ଷ ତଳେ ୧୨୦ ପରିବାରଙ୍କୁ ଗୃହ ଆବଣ୍ଟଣ୍ଟନ ହୋଇଥିବା ବେଳେ ଅବଶିଷ୍ଟ ୧୨୦ ପରିବାର ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।

ଏଠାରେ ମୋଟ ଜନସଂଖ୍ୟା ୧୨ହଜାରରୁ ଅଧିକ ଥିବା ବେଳେ ଗୃହ ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କ ୨ବର୍ଷ ତଳେ ଝୁମ୍ପୁଡ଼ି ଘର ଭଙ୍ଗାଯାଇଥିଲା। ସେବେଠାରୁ ଏହି ପକ୍କାଘର ଆଶାରେ ଏବେବି ଶତାଧିକ ପରିବାର ଦିନ ଗଣୁଛନ୍ତି। ଏହା ଆବଣ୍ଟିତ ହୋଇ ନପାରି ଦିନ ପରେ ଦିନ ଗଡ଼ିଚାଲିଥିବା ବେଳେ ଏବେ କିଛି ବ୍ୟକ୍ତି ନିଜର ଚିହ୍ନା ପରିଚିତ ଲୋକଙ୍କୁ ଏହି ଘରେ ଅନଧିକାର ପ୍ରବେଶ କରାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଫଣି ବାତ୍ୟା ପରଠାରୁ ଖାଲି ପଡ଼ିଥିବା ଘରେ ଏକାଧିକ ବାହାର ଲୋକ ଆସ୍ଥାନ ଜମାଇଛନ୍ତି। ଅଥଚ ଘର ପାଇବାକୁ ତାଲିକାରେ ଥିବା ହିତାଧିକାରୀ ବିଡିଏ କାର୍ଯ୍ୟାଳୟକୁ ଦୌଡ଼ିବା ସାର ହେଉଛି। ତେବେ ବସ୍ତି ବାସିନ୍ଦାଙ୍କୁ ସରକାରଙ୍କ ବାସଗୃହ ଯୋଗାଇ ଦେବା, ରାସ୍ତା, ପାନୀୟଜଳ, ଡ୍ରେନ୍‌ ଏବଂ ବିପିଏଲରେ ବିଦ୍ୟୁତ୍ ଯୋଗାଣ ଭଳି ଏକାଧିକ ପ୍ରତିଶ୍ରୁତି ଥିବା ବେଳେ ଏହା ସଫଳ ହୋଇ ପାରି ନଥିବା ଲୋକେ ଅଭିଯୋଗ ଉଠାଇଛନ୍ତି।

- Advertisement -

ଏ ସଂକ୍ରାନ୍ତରେ ବିଡିଏର ଗୃହ ଆବଣ୍ଟନ ବିଭାଗ ଅଧିକାରୀ କହିଛନ୍ତି, ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କ ସହ ଚୁକ୍ତି ହୋଇଥିଲା। ୨୦ହଜାର ଟଙ୍କା ପରିବାର ପିଛା ଜମା କରି ଲକ୍ଷେ ଟଙ୍କାର ଋଣ ନେଇଥାନ୍ତେ। ବର୍ତ୍ତମାନ ବ୍ୟାଙ୍କ ରାଜି ହେଉନଥିବା ଏବଂ କୋଭିଡ ଏଥିରେ ବାଧକ ହୋଇଛି ବୋଲି ସେ କହିଛନ୍ତି। ଯଦି କେହି ସେହି ଘରଗୁଡ଼ିକରେ ଜୋର ଜବରଦସ୍ତ ରହିଥାନ୍ତି ତେବେ ପୁଲିସ ସହଯୋଗରେ ସେମାନଙ୍କୁ ବାହାର କରି ଦିଆଯିବ। ଏହି ମର୍ମରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଲୋକେ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଦାବି କରିଥିବା ବେଳେ ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories