ଓଡ଼ିଶାରେ କୃଷକ ତାତି: କୃଷି ବିଲ ବିରୋଧରେ ୮ ଜିଲାରେ ରାସ୍ତା ଅବରୋଧ
ସମ୍ବଲପୁର: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଆଜି ପଶ୍ଚିମ ଓଡ଼ିଶାରେ ଏକାଠି ହୋଇଛନ୍ତି ଚାଷୀ ସମୁଦାୟ। ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ସୋନପୁର ଜିଲାରେ ଚାଷୀମାନେ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରି ଗମନାଗମନ ବ୍ୟବସ୍ଥାକୁ ଅଚଳ କରି ଦେଇଥିଲେ। କୃଷକଙ୍କ ସ୍ବାର୍ଥ ରକ୍ଷା ଦିଗରେ ସରକାରଙ୍କ ନିଷ୍ଠାକୁ କ୍ଷୁବ୍ଧ ଚାଷୀ କାଠଗଡ଼ାରେ ଛଡ଼ା କରିଥିଲେ। ଆଉ କିଛି ଦିନ ପରେ ରାଜ୍ୟବ୍ୟାପୀ ଖରିଫ ଧାନ ଖରିଦ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ଅବ୍ୟବହିତ ପୂର୍ବରୁ କୃଷକଙ୍କ ଆନ୍ଦୋଳନକୁ ବେଶ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ଏହି ଆନ୍ଦୋଳନର ନେତୃତ୍ବ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ନେଇଥିଲା।
ଗଲା ୩୦ ତାରିଖରେ ବରଗଡ଼ ଜିଲାର ପଦ୍ମପୁରରେ ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଙ୍ଗଠନ ସମନ୍ବୟ ସମିତି ଓ ରାଜବୋଡ଼ା ସମ୍ବର କୃଷକ ସଙ୍ଗଠନର ଆହ୍ବାନରେ ଅନୁଷ୍ଠିତ ହୋଇଥିବା କୃଷକ ଚେତାବନୀ ବିକ୍ଷୋଭ ସମୟରେ ଆଜିର ପଶ୍ଚିମ ଓଡ଼ିଶାବ୍ୟାପୀ ଆନ୍ଦୋଳନର ପୂର୍ବାଭାସ ମିଳିଥିଲା। ନୂଆ କୃଷି ନୀତି କୃଷକ ବିରୋଧୀ ହୋଇଥିବାରୁ ଖୁବ ଶୀଘ୍ର ଏହା ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଦିନ ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ ସୂଚନା ଦେଇଥିଲେ। ଅନ୍ୟତମ ଆବାହକ ଅଶୋକ ପ୍ରଧାନ କୃଷି ବିଲକୁ କଳା ଆଇନ ବୋଲି ଆଖ୍ୟାୟିତ କରି ଏହା ବିରୋଧରେ ଚାଷୀମାନେ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। ୨ ତାରିଖରେ ବରଗଡ଼ରେ ଅନୁଷ୍ଠିତ ବୈଠକରେ ଆନ୍ଦୋଳନର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ବରଗଡ଼ ଜିଲାେର ଚାଷୀମାନେ ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ନେତୃତ୍ବରେ ୪ଟି ଜାଗାରେ ରାସ୍ତା ଅବରୋଧ କରିଥିଲେ। ୫୩ ନମ୍ବର ଜାତୀୟ ରାଜପଥକୁ ସମ୍ବଲପୁର-ବରଗଡ଼ ରାସ୍ତାର ଦେବାହାଲ, ବରଗଡ଼-ସୋହେଲା ରାସ୍ତାକୁ ଦଶମାଇଲ ଛକ, ବିଜୁ ଏକ୍ସପ୍ରେସ ସଡ଼କକୁ ପଦ୍ମପୁରର ମହୁଲପାଲି ଓ ମାଣ୍ଡୋସିଲଠାରେ ଅବରୋଧ କରିଥିଲେ। ସମ୍ବଲପୁର ଜିଲାରେ ଜିଲା କୃଷକ ସୁରକ୍ଷା ସଙ୍ଗଠନର ସଭାପତି ମୁରାରୀ ପ୍ରସାଦ ପୁରୋହିତଙ୍କ ନେତୃତ୍ବରେ ଚାଷୀମାନେ କଟକ ରାସ୍ତାକୁ ମାନେଶ୍ବରଠାରେ ଅବରୋଧ କରିଥିଲେ। ଦେବଗଡ଼ ଜିଲାରେ ୫୩ ଓ ୪୯ ନମ୍ବର ଜାତୀୟ ରାଜପଥର ସଂଯୋଗସ୍ଥଳ ପୁରୁଣାଗଡ଼ ରିଆମାଳ ଛକରେ ଜିଲା କୃଷକ ସଙ୍ଗଠନ ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ନେତୃତ୍ବରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ଝାରସୁଗୁଡ଼ା ଜିଲାର ୫ଟି ସ୍ଥାନ-ଜିଲା ମୁଖ୍ୟାଳୟ ସମ୍ମୁଖ, ଲଖନପୁର ଛକ, ପଞ୍ଚଗାଁ ଛକ, କିରମିରା ଓ ଲଇକେରାରେ ଜିଲା ସଂଯୋଜକ ସୁରେନ୍ଦ୍ର ସାହୁଙ୍କ ନେତୃତ୍ବରେ ଚାଷୀମାନେ ସ୍ଥାନୀୟ ରାସ୍ତା ଅବରୋଧ କରିଥିଲେ।
ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଙ୍ଗଠନ ସମନ୍ବୟ ସମିତି କହିଛି ଯେ ନୂଆ କୃଷି ନୀତିରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଆଇନଗତ ଅଧିକାର ହୋଇ ଆଉ ରହିନାହିଁ। ରାଜ୍ୟ ସରକାର ସର୍ବନିମ୍ନ ସହାୟକ ଦର ସୁନିଶ୍ଚିତ କରିବା ଉଚିତ। କିନ୍ତୁ ଚାଷୀ ଘରୋଇ ମଣ୍ଡିରେ ନିଜ କଷ୍ଟୋପାର୍ଜିତ ଧାନ ବିକି କେତେ ଦୂର ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଠିକା ଚାଷ ନାମରେ କିଛି କମ୍ପାନୀକୁ ଲାଭାନ୍ବିତ କରିବାକୁ ଚେଷ୍ଟା କରାଯାଉଛି। ଠିକା ଚାଷ ବ୍ୟବସ୍ଥାରେ ଘରୋଇ କମ୍ପାନୀମାନେ ଚୁକ୍ତି ଉଲ୍ଲଂଘନ କରିବା ଆଶଙ୍କା ରହିଛି। ଓଡ଼ିଶାର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଠିକା ଚାଷରେ ଚୁକ୍ତିନାମା ଉଲ୍ଲଂଘନ କରୁଥିବା କମ୍ପାନୀ ବିରୋଧରେ ଲଢ଼ିବା ଶକ୍ତି ଗରିବ ଚାଷୀମାନଙ୍କ ନାହିଁ। ଯଦି ଚାଷୀର ମଙ୍ଗଳ ପାଇଁ ସରକାରଙ୍କ ପ୍ରକୃତରେ ଆଗ୍ରହ ଓ ଆନ୍ତରିକତା ଅଛି ତାହା ହେଲେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରି ଏହାକୁ ଚାଷୀର ଆଇନଗତ ଅଧିକାର ଭାବେ ଘୋଷଣା କରିବାକୁ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଦାବି କରିଛି। ନୂଆ କୃଷି ନୀତି ସଂଘୀୟ ବ୍ୟବସ୍ଥା ବିରୋଧୀ ହୋଇଥିବାରୁ ରାଜ୍ୟ ସରକାର ଏହା ବିରୋଧରେ ଉଚ୍ଚତମ ନ୍ୟାୟାଳୟକୁ ଯିବା ଉଚିତ ବୋଲି ସଙ୍ଗଠନ ମତ ଦେଇଛି।
Comments are closed.