‘ସମାଜ’ ପ୍ରଭାବ : ଧାନ ଚାଷରେ ରୋଗ ପୋକ ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ଧାନ ଗବେଷଣା କେନ୍ଦ୍ର ବିଶେଷଜ୍ଞ

ପାଟଣା : ଗତ ଅକ୍ଟୋବର ୨୩ ତାରିଖ ଏହି ‘ସମାଜ’ରେ “ଧାନଚାଷ ରେ ଗନ୍ଧି, ମାଟିଆ ଗୁଣ୍ଡି ଓ କାଣ୍ଡ ବିନ୍ଧା ପୋକ” ଶୀର୍ଷକ ଖବର ପ୍ରକାଶ  ପାଇଥିଲା। ରୋଗ ପୋକ ଯୋଗୁଁ ଧାନ କେଣ୍ଡା ଶୁଖିଯାଇ ଅଗାଡି ହୋଇଯାଉଥିବା ଖବର ପ୍ରକାଶ ପାଇବା ପରେ ବୁଧବାର କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନଆରଆରଆଇ)ର ଏକ ପ୍ରତିନିଧି ତଥା ବିଶେଷଜ୍ଞ ଦଳ ପାଟଣା ଓ ଘଟଗାଁ ବ୍ଲକର କିଛି ଚାଷଜମି ପରିଦର୍ଶନ କରିଛନ୍ତି । ଧାନଚାଷରେ ରୋଗପୋକ ନ ଲାଗି କେଣ୍ଡା ଅଗାଡି ହୋଇଯାଉଥିବା ଚାଷୀଙ୍କ ଅଭିଯୋଗ କ୍ରମେ କାରଣ ଅନୁଧ୍ୟାନ ପାଇଁ ଏହି ପ୍ରତିନିଧି ଦଳ ଘଟଗାଁ ବ୍ଲକର ଖଣ୍ଟଘର ପଞ୍ଚାୟତ କାଶିବେଡା ଓ ପାଟଣା ବ୍ଲକର ଖିରେଇ ଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଗ୍ରାମର ଚାଷଜମିରେ ୧୦୦୧ ଧାନ କେଣ୍ଡା ସଂଗ୍ରହ କରିବା ସହ ଅଗାଡି ହେବାର କାରଣ ଅନୁଧ୍ୟାନ କରିଛନ୍ତି। ଜାତୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଉଦ୍ଭିଦ ରୋଗ ବିଶେଷଜ୍ଞ ଡକ୍ଟର ଶ୍ରୀକାନ୍ତ ଲେଙ୍କା, କୀଟ ତତ୍ତ୍ବବିତ୍ ଡକ୍ଟର ନବୀନ କୁମାର ପଟେଲ , ଭୂବନେଶ୍ବର ସିଆଇପିଏମସିର ଶସ୍ୟ ସଂରକ୍ଷଣ ଅଧିକାରୀ ରାହୁଲ ମିଶ୍ରଙ୍କ ସହ ଘଟଗାଁ କୃଷି ଜିଲ୍ଲା ଏଡିଓ ଅଶୋକ କୁମାର ମହାପାତ୍ର, ସହକାରୀ କୃଷି ଜିଲ୍ଲା ଅଧିକାରୀ ସୁଶାନ୍ତ କୁମାର ପଣ୍ଡାଙ୍କ ସହ ଏହି ପ୍ରତିନିଧି ଦଳ କାଶିବେଡା ଗ୍ରାମର ଚାଷଜମି ଚାଷଜମି ଅନୁଧ୍ୟାନ କରିଥିଲେ। ସେହିପରି ଏଡିଓ ଶ୍ରୀ ମହାପାତ୍ର ଓ ଏହି ପ୍ରତିନିଧି ଦଳଙ୍କ ସହ ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, କୃଷି ଅଧିଦର୍ଶକ ସୁକାନ୍ତ ବିଶ୍ୱାଳ, ଦୂର୍ଗାଚରଣ ତ୍ରିପାଠୀ ଓ ଦିପ୍ତିରାଣୀ ମହାନ୍ତ ପ୍ରମୁଖ ଏହି ପ୍ରତିନିଧି ଦଳଙ୍କ ସହ ଖିରେଇ ଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଗ୍ରାମର ଚାଷଜମି ବୁଲି ଦେଖିଥିଲେ। ଚଳିତବର୍ଷ ୧୦୦୧, ପୂଜା, ସ୍ୱର୍ଣ୍ଣ ସମେତ କେତେକ ଉନ୍ନତ କିସମ ଧାନ ଅଗାଡି ହୋଇଯାଉଥିବା ଅଭିଯୋଗ ହୋଇଥିଲା।

Comments are closed.