‘ଏସ୍‌ପିଙ୍କୁ ଉଡ଼ାଇଦେବୁ, ମାଟିରେ ମିଶାଇଦେବୁ’

ଡିଜି ଓ ସିଆର୍‌ପିଏଫ୍‌ ମହାନିର୍ଦେଶକଙ୍କ ଗସ୍ତର ୪୮ଘଣ୍ଟା ପରେ ଉପସ୍ଥିତି ଜାହିରକଲେ ମାଓବାଦୀ

ଭବାନୀପାଟଣା/ମ.ରାମପୁର : କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲାରେ ଗତ କିଛିମାସ ଧରି ମାଓବାଦୀଙ୍କ ଗତିବିଧି ପରିରଲକ୍ଷିତ ହୋଇଥିଲା। ଏହାକୁ ଦମନ କରିବା ପାଇଁ ସି.ଆର୍‌.ପି.ଏଫ୍‌. ଏବଂ ସ୍ଥାନୀୟ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା କରିବାଲାଗି ଗତ ୧ ତାରିଖ ଓଡ଼ିଶା ପୁଲିସ ମହାନିର୍ଦେଶକ (ଡି.ଜି.) ଏସ୍‌. ଅଭୟ ଏବଂ ସି.ଆର୍‌.ପି.ଏଫ୍‌. ମହାନିର୍ଦେଶକ କୁଲଦୀପ ସିଂହ ସମେତ ଉଚ୍ଚସ୍ତରୀୟ ଅଧିକାରୀ କଳାହାଣ୍ଡି ଓ ଫୁଲବାଣୀ ଗସ୍ତକରି ସମୀକ୍ଷା ବୈଠକ କରିଥିଲେ। ଏହାର ୪୮ ଘଣ୍ଟା ପରେ ୨ ତାରିଖ ରାତିରେ କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରି ପଞ୍ଚାୟତ ମାଣିକେରା ଗ୍ରାମରେ ପୋଷ୍ଟରମାରି ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଣି ପୋଷ୍ଟରରେ କଳାହାଣ୍ଡି ଏସ୍‌ପିଙ୍କୁ ଉଡ଼ାଇଦେବୁ, ମାଟିରେ ମିଶାଇଦେବୁ ବୋଲି ସେମାନେ ଧମକ ଦେଇଛନ୍ତି। ତେଣୁ ଏହା ପ୍ରଶାସନକୁ ମାଓବାଦୀଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି ଜିଲାସାରା ଚର୍ଚ୍ଚା ହେଉଛି।
କନ୍ଧମାଳ ଜିଲାରେ ଗତ ଜୁଲାଇ ମାସରେ ପୁଲିସ ଗୁଳିରେ ୭ଜଣ, ଅଗଷ୍ଟରେ ୫ଜଣ ଏବଂ ସେ​‌େ​‌ପ୍ଟମ୍ବର ମାସ ୯ତାରିଖ ୫ଜଣ ମାଓବାଦୀ ପୁଲିସ ଗୁଳିରେ ନିହତ ହୋଇଥିଲେ। ମାଓବାଦୀଙ୍କ ଗୁଳିରେ ମଧ୍ୟ ୨ଜଣ ଏସ୍‌.ଓ.ଜି. ଯବାନ ସହିଦ ହୋଇଥିଲେ। ସେହିଦିନ ଠାରୁ ମାଓବାଦୀ ମାନେ ରକ୍ତଚାଉଳ ଚୋବାଉଛନ୍ତି। ଏକ ବଡଧରଣର ହିଂସାତ୍ମକ କାର୍ଯ୍ୟ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି। ସେମାନଙ୍କୁ ପ୍ରତିରୋଧ ପାଇଁ ସି.ଆର୍‌.ପି.ଏଫ୍‌., ଏସ୍‌.ଓ.ଜି., ଡି.ଭି.ଏଫ୍‌., କୋବ୍ରା ବାଟାଲିୟନ୍‌ ସମେତ ଜିଲା ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ଜାରି ରହିଛି। ଏପରିକି ଗତ ୧ ତାରିଖ ପୁଲିସ ଡିଜି ଏସ୍‌. ଅଭୟ ଏବଂ ସିଆର୍‌ପିଏଫ୍‌ ମହାନିର୍ଦେଶକ କୁଲଦୀପ ସିଂହଙ୍କ ସମେତ ବିଭାଗୀୟ ଉଚ୍ଚଅଧିକାରୀ ଭବାନୀପାଟଣାରେ ଏକ ସମୀକ୍ଷା ବୈଠକ କରିଥିଲେ। ମାଓନେତା ଓ କ୍ୟାଡରମାନେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତିକୁ ଆପଣେଇ ତୁରନ୍ତ ଆତ୍ମସମର୍ପଣ କଲେ ସରକାରଙ୍କ ବହୁ ସୁବିଧାସୁଯୋଗ ପାଇପାରିବେ। ନଚେତ୍‌ ସେମାନଙ୍କୁ ନିପାତ କରିବା ପାଇଁ ଆଗାମୀଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ସମୀକ୍ଷା ବୈଠକର ମାତ୍ର ୪୮ ଘଣ୍ଟା ପରେ ଗତ ୨ ତାରିଖ ମଧ୍ୟରାତିରେ କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରି ପଞ୍ଚାୟତ ମାଣିକେରା ଓ ଜୁରାଖମନ ଗ୍ରାମର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସେଥିରେ କେକେବିଏନ୍ ଡିଭିଜିନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି। ‘ନିରୀହ ଆଦିବାସୀଙ୍କୁ ପୁଲିସ ଉଠାଇ ଆଣି ଯେଉଁ ଜୁଲମ କରୁଛି, ତା’କୁ ବନ୍ଦ କରାଯାଉ, ନଚେତ୍‌ ଏସ୍‌ପିଙ୍କୁ ଉଡାଇଦେବୁ। କିଛିଦିନ ତଳେ ବାରବନ୍ଧା ନିକଟସ୍ଥ ସିର୍କି ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟର ପାଇଁ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଦାୟୀ, ତା’କୁ ମାଟିରେ ମିଶାଇଦେବୁ’ ବୋଲି ପୋଷ୍ଟରରେ ଲେଖାଯାଇଛି। ଏଥିସହ ‘କଳାହାଣ୍ଡି ଓ କନ୍ଧମାଳ ଜିଲା ସୀମାରେ ଏସ୍ଓଜି ଏବଂ ସିଆର୍‌ପିଏଫ୍ ଯବାନଙ୍କ ଦ୍ବାରା ହେଉଥିବା କମ୍ବିଂ ଅପରେସନକୁ ବନ୍ଦ କରାଯାଉ। ପୁଲିସ ଇନ୍‌ଫର୍ମର ଈଶ୍ବର ମାଝୀ ଓ ଅଜିତ ମାଝିଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ। ମାଓବାଦୀ ସଂଗଠନ ଜିନ୍ଦାବାଦ’ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ମ. ରାମପୁର ପୁଲିସ ଆଜି ଉକ୍ତ ପୋଷ୍ଟର ଗୁଡିକୁ ଜବତ କରିବାସହ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଆହୁରି କଡାକଡି କରିଥିବା ଜଣାପଡିଛି।

Comments are closed.