ପୁନଃ ସଂକ୍ରମଣର ଭୟ : ସରକାରଙ୍କୁ ଆଉ କିଛି କରିବାକୁ ପଡ଼ିବ
ଆଶା କରାଯାଉଥିଲା ଯେ କରୋନା ମହାମାରୀ ସମଗ୍ର ବିଶ୍ବକୁ ଜୟ କରିବା ପରେ ଆପଣା ଛାଏଁ ପ୍ରାକୃତିକ ଉପାୟରେ ଥମିଯିବ। ହେଲେ ତାହାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଚୀନର ୟୁହାନରେ ପ୍ରଥମେ ସଂକ୍ରମିତ ହୋଇଥିବା ଏହି ମହାମାରୀ କୋଭିଡ୍-୧୯ ଇତିମଧ୍ୟରେ ସଂକ୍ରମଣର ଏକବର୍ଷ ପୂରଣ କରିବାକୁ ଯାଉଛି; ତଥାପି ଏହା ଥମିବାର ନାଁ ଧରୁନାହିଁ। ପୁନର୍ବାର ୟୁରୋପରେ ଏହାର ସଂକ୍ରମଣର ଦ୍ବିତୀୟ ଲହଡ଼ି ଆସିଛି। ଫ୍ରାନ୍ସ, ବ୍ରିଟେନ ଭଳି ଭନ୍ନତ ଦେଶର ସରକାର ଏହି ଘଟଣାରେ ଛାନିଆ ହୋଇ ଲକ୍ଡାଉନ୍ ଭଳି କଠୋର ପଦକ୍ଷେପ ନେବାକୁ ଆରମ୍ଭ କଲେଣି। ଭାରତରେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଶେଷ ହୋଇନଥିଲେ ମଧ୍ୟ ରୋଗର ପ୍ରାଦୁର୍ଭାବ ସାମାନ୍ୟ କମିଛି। ତେଣୁ ଆସନ୍ନ ଶୀତଋତୁରେ ପୁନର୍ବାର ଦ୍ବିତୀୟ ସଂକ୍ରମଣ ଯଦି ଆରମ୍ଭ ହୁଏ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହେବା ସ୍ବାଭାବିକ।
ଅଜଣା ମହାମାରୀ ଯେତେବେଳେ ପୃଥିବୀରେ ବ୍ୟାପିଛି ତାହା କ୍ବଚିତ ଏକବର୍ଷ ମଧ୍ୟରେ ନିୟନ୍ତ୍ରଣକୁ ଆସିନାହିଁ। ୧୯୧୮ର ସ୍ପାନିସ୍ ଫ୍ଲୁର ସଂକ୍ରମଣ ତ ପ୍ରାୟ ଦୁଇବର୍ଷ ଧରି ରହିଥିଲା ଏବଂ ଏଥିରେ ପାଞ୍ଚକୋଟି ଲୋକ ପ୍ରାଣ ହରାଇଥିବାବେଳେ ୫୦କୋଟି ଲୋକ ଆକ୍ରାନ୍ତ ହୋଇଥିଲେ। ସ୍ପାନିସ୍ ଫ୍ଲୁର ସଂକ୍ରମଣ ଦୁଇବର୍ଷ ମଧ୍ୟରେ ଚାରିଥର ବିଶ୍ବକୁ ସଂକ୍ରମିତ କରିଥିଲା। ପ୍ରାୟ ଏକଶହ ବର୍ଷ ପରେ ଏବେ ଯେଉଁ କୋଭିଡ୍-୧୯ ସଂକ୍ରମଣ ଚାଲିଛି ତାହା କେତେ ପର୍ଯ୍ୟାୟରେ ପୃଥିବୀକୁ ପୁନଃପୁନଃ ସଂକ୍ରମଣ କରିବ ସେ ନେଇ ବିଶେଷଜ୍ଞମାନେ ନିରୁତ୍ତର। ଗୋଷ୍ଠୀ ସଂକ୍ରମଣ ଜରିଆରେ ଲୋକଙ୍କ ଶରୀରରେ ପ୍ରାକୃତିକ ପ୍ରତିରୋଧ ଶକ୍ତି ସୃଷ୍ଟି ଏହି ରୋଗର ପଥରୋଧ କରିବା ପାଇଁ ଏକମାତ୍ର ପ୍ରାକୃତିକ ପ୍ରକ୍ରିୟା ବୋଲି କୁହାଯାଉଥିଲେ ହେଁ ଏହା ଯେ ଏକ ଦୀର୍ଘ ସମୟସାପେକ୍ଷ ପ୍ରକ୍ରିୟା ଏଥିରେ ଦ୍ବିମତ ହେବାର ନାହିଁ। ଦ୍ବିତୀୟ କଥାଟି ହେଲା କୋଭିଡ୍-୧୯ର ମୁକାବିଲା ପାଇଁ ଶେଷ ଅସ୍ତ୍ର ପ୍ରତିଷେଧକ ଟିକା କେବେ ଆସିବ ଏବଂ ପ୍ରତ୍ୟେକ ବ୍ୟକ୍ତି ଏହା କେବେ ନେବାକୁ ସକ୍ଷମ ହେବେ ତାହା ଅନିଶ୍ଚିତ। ତଥାପି ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ ଏହି ଟିକା ଲୋକଙ୍କୁ ଦେବା ପାଇଁ ଉପଲବ୍ଧ ହେବା ବେଳକୁ ମାର୍ଚ୍ଚ-ଏପ୍ରିଲ ହୋଇଯାଇପାରେ। ଅଧିକନ୍ତୁ ଟିକାର ରୋଗ ନିବାରକ କ୍ଷମତା ବାସ୍ତବରେ କେତେ ତାହା ବ୍ୟବହାର ହେବା ପରେ ଯାଇ ଜଣାପଡ଼ିବ।
ଅତଏବ ଭାରତ ସମେତ ସମଗ୍ର ବିଶ୍ବ ମହାମାରୀର ଏକ ଅତି ଭୟଙ୍କର କ୍ଷଣରେ ଏବେ ଉପନୀତ। ୟୁରୋପର ଯେଉଁ ଦେଶ ସବୁରେ କୋଭିଡ୍-୧୯ର ପୁନଃ ସଂକ୍ରମଣ ଆରମ୍ଭ ହୋଇଛି ସେସବୁ ଆର୍ଥିକ, ସାମାଜିକ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବେଶ୍ ଉନ୍ନତ। ଏହା ସତ୍ତ୍ବେ ସେଠାରେ ପୁନର୍ବାର କରୋନା ବ୍ୟାପିବା ଭାରତ ଭଳି ଦେଶ ପାଇଁ ଏକ ଚେତାବନୀ। ଭାରତର ସୌଭାଗ୍ୟ ହେଉ ଅଥବା ବ୍ୟତିକ୍ରମ, ଏଯାଏ ଦେଶରେ କୋଭିଡ୍ ସଂକ୍ରମଣ ଓ ମୃତ୍ୟୁଜନିତ ହାର ଜନସଂଖ୍ୟା ଅନୁପାତରେ ସେତେ ଅଧିକ ନୁହେଁ। ତଥାପି ପୁନଃ ସଂକ୍ରମଣ ଯଦି ଆରମ୍ଭ ହେବ ଏବଂ ଏହି ପ୍ରକ୍ରିୟା ବାରମ୍ବାର ଘଟିବ, ତ’ଦ୍ବାରା ପରିସ୍ଥିତି ଯେ କେତେ ଭୟଙ୍କର ହେବ ତାହା ସହଜେ ଅନୁମେୟ। ତେଣୁ ୟୁରୋପ ଘଟଣାବଳୀରୁ ଭାରତକୁ ଅନେକ କିଛି ଶିଖିବାର ଅଛି। ବିଶେଷଜ୍ଞମାନଙ୍କ ମତରେ ୟୁରୋପରେ ଯେଉଁ ପୁନଃ ସଂକ୍ରମଣ ଆରମ୍ଭ ହୋଇଛି ତାହାର ପ୍ରମୁଖ କାରଣ ହେଲା ବେପରୁଆ ମନୋଭାବ। ମହାମାରୀଜନିତ କ୍ଳାନ୍ତି ବା ‘ପାେଣ୍ଡମିକ ଫଟିଗ୍’ ଯୋଗୁ ଲୋକେ କୋଭିଡ୍ ନିୟମକାନୁନ୍ ମାନିବାରେ େକାହଳତା ଦେଖାଉଛନ୍ତି। ତେଣୁ ବ୍ୟାଧିର ପୁନଃ ସଂକ୍ରମଣ ଘଟୁଛି। ଅପରପକ୍ଷରେ ଚୀନ, ଦକ୍ଷିଣ କୋରିଆ ଆଦି କେତେକ ଦେଶ କଠୋର ନୀତିନିୟମ ପାଳନ କରି ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି।
ଭାରତରେ ଏବେ ଲକ୍ଡାଉନ୍ ପ୍ରାୟତଃ ଉଠିଯାଇଛି କହିଲେ ଚଳେ। ଅଳ୍ପ କେତେକ କ୍ଷେତ୍ରରେ ଏହା ସୀମିତ ଅଛି। ଲକ୍ଡାଉନ୍ ଜନିତ କ୍ଲାନ୍ତିର ଅବସାନ ପାଇଁ ଲୋକେ ଅଧିକ ସଂଖ୍ୟାରେ ବାହାରକୁ ବାହାରୁଛନ୍ତି ଏବଂ ସାମାଜିକ ଦୂରତ୍ବ ରକ୍ଷା ଓ କୋଭିଡ୍ ନିୟମ ପାଳନ କରୁନାହାନ୍ତି। ଓଣମ୍ ଉତ୍ସବ ପରେ କେରଳରେ କିପରି ପୁନଃ ସଂକ୍ରମଣ ଘଟିଲା ତାହା ଆମେ ଦେଖିଛୁ। ସମାନ ଘଟଣା ଯଦି ଅନ୍ୟାନ୍ୟ ପ୍ରଦେଶରେ ଘଟେ ତେବେ ପରିସ୍ଥିତି ଅତି ଜଟିଳ ହେବ। ଭାରତର ଅର୍ଥନୈତିକ ସ୍ଥିତି ଏବେ ଯାହା ସେଥିରେ ପୁନର୍ବାର ଦେଶବ୍ୟାପୀ କଠୋର ଲକ୍ଡାଉନ୍ ଲାଗୁ କରିବା ସମ୍ଭବ ହୋଇନପାରେ। ଆଉ ଥରେ ଯଦି ଲକ୍ଡାଉନ୍ ଲାଗୁ ହେବ ଦେଶର ଅର୍ଥନୀତି ରସାତଳଗାମୀ ହେବ। ତେଣୁ ସରକାରଙ୍କୁ ଉଭୟ ଅର୍ଥନୀତି ଓ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ନୂଆ ରଣନୀତି ଗ୍ରହଣ କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ଆମେ ଏବେ ଯେଉଁ ସଫଳତା ହାସଲ କରିଛୁ ତାହାକୁ ବଜାୟ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଜନ ସହଯୋଗ ବିନା ଏହା ସମ୍ଭବ ନୁହେଁ। ସରକାରଙ୍କୁ ମଧ୍ୟ ଏ କ୍ଷେତ୍ରରେ ଆଉ କିଛି ନୂଆ ବାଟ ବାହାର କରିବାକୁ ପଡ଼ିବ।
Comments are closed.