www.samajalive.in
Monday, December 8, 2025
14.1 C
Bhubaneswar

ହାତୀ-ମଣିଷ ଲଢେଇ : ବଲାଙ୍ଗିର ଜିଲାରେ ହାତୀ ଆକ୍ରମଣରେ ୧୨ ମୃତ, ୫୯ ଆହତ

୧୦,୩୧୨ ଚାଷୀଙ୍କ ଫସଲ ନଷ୍ଟ
କାଳ ହେଉଛି ଇଟାଭାଟି-ଗଛ କଟା

ବଲାଙ୍ଗିର(ପାର୍ଥ ମହାପାତ୍ର):ବଲାଙ୍ଗିର ଜିଲା। ଏଠି ଦୀର୍ଘ ବର୍ଷ ହେଲା ହାତୀ-ମଣିଷଙ୍କ ମଧ୍ୟରେ ଛକାପଂଝା ଲାଗି ରହିଛି। ହାତୀ ଆକ୍ରମଣରେ ବଲାଙ୍ଗିର ଜିଲାରେ ୧୨ଜଣଙ୍କର ଜୀବନ ଯାଇଥିବା ବେଳେ ୫୯ଜଣ ଆହତ ହୋଇଛନ୍ତି। ଆଉ ମଣିଷଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇ ଓ ସ୍ୱାଭାବିକ ମୃତ୍ୟୁରେ ୧୨ଟି ହାତୀର ମୃତ୍ୟୁ ହେଲାଣି। ସେହିପରି ଜିଲାରେ ୩ଟି ବାଘର ମଧ୍ୟ ମୃତ୍ୟୁ ହୋଇଛି। ତେବେ ବଲାଙ୍ଗିର ଜିଲା ସୀମାନ୍ତରେ ଥିବା ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲାରୁ ଚାଷ ସମୟରେ ହାତୀ ପଲ ଆସି ହଜାର ହଜାର ଏକର ଫସଲ ନଷ୍ଟ କରିଥିବା ନଜିର ରହିଛି। ମୃତାହତ ହୋଇଥିବା ଲୋକଙ୍କୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଦିଆଯାଇଥିବା ବେଳେ ଫସଲ ନଷ୍ଟ ପାଇଁ ବି ଚାଷୀଙ୍କୁ ଅନୁକମ୍ପା ସହାୟତା ଦିଆଯାଇଛି। ତେବେ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ଓ ହାତୀମାନେ ଜନବସତି ମୁହାଁ ହେଉଥିବା ବେଳେ ମଣିଷଙ୍କ ଆକ୍ରୋଶର ଶୀକାର ହେଉଥିବା ସ୍ୱୀକାର କରନ୍ତି ପରିବେଶବିତ।
ବଲାଙ୍ଗିର ଜିଲାରେ ହାତୀ-ମଣିଷ ଲଢେଇ ନୂଆ କଥା ନୁହେଁ। ତେବେ ହାତୀ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରାଯାଉଥିବା ଅଭିଯୋଗ ଓ ପ୍ରମାଣ ସବୁଠାରୁ ଅଧିକ। ସେପଟେମ୍ବର ମାସରେ ଦେଓଗାଁ ରେଞ୍ଜ ଅନ୍ତର୍ଗତ ଖର୍ଲିକାନି ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏହି ହାତୀ ମୃତ୍ୟୁର କାରଣ ସ୍ପଷ୍ଟ କରିନି ବନ ବିଭାଗ। ତେବେ ବନ ବିଭାଗ ଜରିଆରେ ଶବ ବ୍ୟବଚ୍ଛେଦ କରାଯାଇ ହାତୀର ୨ଟି ଦାନ୍ତ ଉଦ୍ଧାର କରାଯାଇଛି। ବନ ବିଭାଗର ତଥ୍ୟ ଉପରେ ନଜର ପକାଇଲେ ବଲାଙ୍ଗିର ଜିଲାରେ ୨୦୧୧-୧୨ ମସିହାରେ ପାଟଣାଗଡ ରେଞ୍ଜ ଅଧୀନ ବରଘାଟି-କୁବ୍ରିମହୁଲ ମଧ୍ୟରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶର୍ର୍ର୍ର୍ର୍ର୍ରେ ଆସି ପ୍ରଥମ ହାତୀ ମୃତ୍ୟୁ ହୋଇଥିଲା। ସର୍ବାଧିକ ହାତୀ ମୃତ୍ୟୁ ଲୋଇସିଂହା ରେଞ୍ଜରେ ହୋଇଛି। ୨୦୧୩-୧୪ରେ ଲୋଇସିଂହା ରେଞ୍ଜର ଛେଲିଆ ସଂରକ୍ଷିତ ଜଙ୍ଗଲ, ନେଗିପାଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ଆଘାତ ଦେଇ ୩ଟି ହାତୀକୁ ହତ୍ୟା କରାଯାଇଥିବା ଜଣାପଡିଛି।

- Advertisement -

୨୦୧୬-୧୭ରୁ ଆଜି ଯାଏ ୮ଟି ହାତୀ ଦେଓଗାଁ(ବୁଢାଡୁଙ୍ଗରୀ, ଖର୍ଲିକାନି), ବଲାଙ୍ଗିର(ଆଟଗାଁ), ଲୋଇସିଂହା ରେଞ୍ଜ ଅଧୀନରେ ଆନ୍ଥ୍ରାକ୍ସ ରୋଗ ଓ ହୃଦଘାତ ତଥା ବୟାସାଧିକ କାରଣରୁ ମୃତ୍ୟୁ ହୋଇଛି। ସେହିପରି ୨ଟି ବାଘକୁ ଉଦ୍ଧାର କରି ନନ୍ଦନକାନନ ଓ ଗନ୍ଧମାର୍ଦନରେ ଛଡ଼ା ଯାଇଥିବା ବେଳେ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ, ହରିଶଙ୍କର ରେଞ୍ଜ, ଟିଟିଲାଗଡ ରେଞ୍ଜର ବର୍ଣ୍ଣେଇ ଜଙ୍ଗଲରେ ୩ଟି ବାଘର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ହାତୀ-ମଣିଷ ଲଢେଇରୁ ବାଦ୍‍ ପଡିନି ମଣିଷ। ଫସଲ ନଷ୍ଟ କରୁଥିବା ବେଳେ ଘଉଡାଇବାକୁ ଯାଇ, ହାତୀ ସମ୍ମୁଖରେ ପଡି ବଲାଙ୍ଗିର ଜିଲାରେ ୧୨ଜଣ ମଣିଷଙ୍କ ଜୀବନ ଯାଇଛି। ୨୦୦୯-୧୦ ମସିହାରେ ପ୍ରଥମ କରି ୨ଜଣଙ୍କ ମୃତ୍ୟୁ ହୋଇଥିଲା ହାତୀ ଆକ୍ରମଣରେ। ମୃତକଙ୍କୁ ୨୭ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସେହିପରି ହାତୀ ଆକ୍ରମଣରେ ୫୯ଜଣ ଆହତ ହୋଇଛନ୍ତି। ୨୦୧୭-୧୮ ମସିହାରେ ସର୍ବାଧିକ ୧୪ଜଣ ଆହତ ହୋଇଥିବା ରେକର୍ଡ କରାଯାଇଛି। ବନ ବିଭାଗ ପକ୍ଷରୁ ଆହତମାନଙ୍କୁ ମଧ୍ୟ ୮ଲକ୍ଷ ୭୯ହଜାର ଟଙ୍କା ସହାୟତା ଦିଆଯାଇଥିବା ସୂଚନା ରହିଛି। ବଲାଙ୍ଗିର ବନ ବିଭାଗର ଏସିଏଫ୍‍ ଅଜିତ କୁମାର ବିଶିଙ୍କ କହିବା ଅନୁସାରେ, ୨୦୦୭-୦୮ରୁ ଆଜି ଯାଏ ବଲାଙ୍ଗିର ଜିଲାର ଲୋଇସିଂହା, ଆଗଲପୁର, ଦେଓଗାଁ, ବଲାଙ୍ଗିର ସଦର ବ୍ଲକ, ତୁରେକେଲା, ଖପ୍ରାଖୋଲ, ପାଟଣାଗଡ ଭଳି ହାତୀ ପ୍ରବଣ ବ୍ଲକ ଅଞ୍ଚଳରେ ୧୦ହଜାର ୩୧୨ଜଣ ଚାଷୀଙ୍କର ୪ହଜାର ୧୭୮.୩୬୨୧ ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଆଉ ଏହି ଫସଲ ନଷ୍ଟ ବାବଦକୁ ସରକାରୀ ଭାବେ ଆକଳନ କରାଯାଇ ୨କୋଟି ୩୯ଲକ୍ଷ ୯ହଜାର ୩୯୧ ଟଙ୍କା କ୍ଷତିପୂରଣ ଦିଆଯାଇଥିବା କହିଛନ୍ତି ସେ। ତେବେ ସୀମାନ୍ତ ଜିଲାରୁ ହାତୀ ଆସୁଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଘଉଡାଇବାକୁ ବନ ବିଭାଗ ଉଦ୍ୟମ କରୁଛି କହନ୍ତି ଏସିଏଫ୍‍ ଶ୍ରୀ ବିଶି।
ଜଙ୍ଗଲ ସୁରକ୍ଷା ପାଇଁ ଲଢେଇ କରୁଥିବା ଟାଙ୍ଗିଆ ଜାମ୍‍ର ସଭାପତି ଏଡଭୋକେଟ ଗୋପାଳ ହୋତାଙ୍କ ମତ ହେଉଛି ଯେ, ବହୁ ପରିମାଣରେ ଜଙ୍ଗଲ ମାଫିଆ ମାତିଛନ୍ତି। ଜଙ୍ଗଲ ପଦା କରିବା ସହ ମୂଲ୍ୟବାନ ଗଛଗୁଡ଼ିକୁ କାଟିବାରେ ମାଫିଆମାନେ ସକ୍ରୀୟ। ଜଙ୍ଗଲ ଜାଳିବା, ଇଟାଭାଟି ଗଢିବା କାରଣରୁ ସଂରକ୍ଷିତ ଜଙ୍ଗଲ ଅସୁରକ୍ଷିତ। ତେଣୁ ଆଜି ପ୍ରକୃତି ଓ ମଣିଷ ମୁହାଁମୁହିଁ ହେଉଛନ୍ତି। ଚାଷୀର ଫସଲ ବି ଝାଳବୁହା। ତେଣୁ ତାହାର ସୁରକ୍ଷା ଦେବା ଓ ହାତୀ ଠିକଣା ଢଙ୍ଗରେ ଘଉଡାଇବା ଦାୟିତ୍ୱ ବନ ବିଭାଗର କହନ୍ତି ଶ୍ରୀ ହୋତା। ତେବେ ବଲାଙ୍ଗିର ଜିଲାରେ ବିରଳ ବଜ୍ରକାପ୍ତା ଉଦ୍ଧାର, ବ୍ୟାପକ ଭାବେ ହରିଣ, ଶମ୍ବର, ବାରାହା ଶୀକାର ହେଉଥିଲେ ବି ତାର କୌଣସି ସୂଚନା ନାହିଁ। ଭାଲୁ ଆକ୍ରମଣରେ ଲୋକେ ଆହତ ହେଉଥିଲେ ବି କିଛି ତଥ୍ୟ ରଖି ପାରିନି ବଲାଙ୍ଗିର ବନ ବିଭାଗ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories