www.samajalive.in
Sunday, December 7, 2025
18.1 C
Bhubaneswar

ପୁଲିସ ହାତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ: ବଲାଙ୍ଗିରର ଦୁଇ ଲୁଟ ଘଟଣାର ପର୍ଦ୍ଦାଫାସ, ୪ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଲିସକୁ ମିଲିଛି ଏକ ବଡ ସଫଳତା। ଗତ କିଛି ମାସ ଭିତରେ ବଲାଙ୍ଗିରରେ ହୋଇଥିବା ଦୁଇଟି ଲୁଟ ମାମଲାରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ଟାଉନ ପୁଲିସ । ଜାନୁୟାରୀ ମାସରେ ଏୟାରଟେଲ ଅଫିସ ଓ ଏହାର ନିକଟରେ ଥିବା ଏକ ବ୍ୟାଟେରୀ ଦୋକାନରୁ ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଚାରିଜଣକୁ ପୁଲିସ ଗିରଫ କରିଛି। ଶନିବାର ଏହି ଚାରି ଜଣ ଲୁଟେରାକୁ କୋର୍ଟଚାଲାଣ କରାଯାଇଛି ବୋଲି ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


ଗତ ଜାନୁୟାରୀ ୨୦ରେ ବଲାଙ୍ଗିର ମାଲପଡା ଠାରେ ଥିବା ଏୟାରଟେଲ ଫ୍ରାଞ୍ଚାଇଜି କମ ପେମେଟ ବ୍ୟାଙ୍କରେ କିଛି ଅଜଣା ବ୍ୟକ୍ତି ପଶି ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ। ପାଖାପାଖି ୪ ଲକ୍ଷ ଟଙ୍କାର ନଗଦ ଓ ସାମଗ୍ରୀ ଲୁଟ ହୋଇଥିବା ନେଇ ଅନିଲ କୁମାର ମିଶ୍ର ଲିଖିତ ଅଭିଯୋଗ ହେବା ପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
କେସ ନଂ ୩୪ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଏହି ଘଟଣାର ଟେର ପାଇନଥିଲା ପୁଲିସ। ସେହିପରି ଗତ ସେପ୍ଟେମ୍ବର ୧୩ ତାରିଖରେ ଏୟାରଟେଲ ଅଫିସ ପାଖରେ ଥିବା ମେହେର ବ୍ୟାଟେରୀ ଦୋକାନକୁ କିଛି ଯୁବକ ପଶି ବନ୍ଧୁକ ଦେଖାଇ ଲୁଟ କରିଥିଲେ। ନଗଦ ପାଞ୍ଚ ହଜାର ଟଙ୍କା, ମୋବାଇଲ ଓ ବ୍ୟାଟେରୀ ଲୁଟ କରି ଅଭିଯୁକ୍ତ ମାନେ ଫେରାର ମାରିଥିଲେ । ଏନେଇ ଦୋକାନ ମାଳିକ ଶିବରାମ ମେହେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଉନ ପୁଲିସ କେସ ନଂ ୩୮୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ଏହି ଦୁଇଟି ଲୁଟ ଘଟଣାରେ ପୁଲିସ ହାତରେ ଲୁଟେରା ଲାଗୁନଥିବା ବେଳେ ପୁଲିସ ଉପରେ ଚାପ ବଢିବାରେ ଲାଗିଥିଲା। ପୁଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ଦୁଇଟି ମାମଲାରେ ସାମିଲ ଥିବା ଚାରି ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।
ଏସଡିପିଓ ଶ୍ରୀ ବାରିକ କହିଛନ୍ତି ଯେ ଗାନ୍ଧୀନଗରପଡା ଅଞ୍ଚଳର ଜଣେ ଯୁବକ ମାମିଲ ମହାଲିଙ୍ଗର ସଂପର୍କ ଦୁଇ ଜଣ ଦୁର୍ଦ୍ଦାନ୍ତ ଲୁଟେରା ମଙ୍ଗଳୁ ଝାଙ୍କର ଓରଫ ଅମିତ ଓ ବିଭୂତି ଭୂଷଣ ସୁନା ଓରଫ ବଣ୍ଟି ସହ ରହିଥିଲା। ଗତ ଜାନୁୟାରୀ ମାସରେ ଏୟାରଟେଲ ଲୁଟ ପୂର୍ବରୁ ମାମିଲ ବଣ୍ଟି ସହ ଯୋଗାଯୋଗ କରିଥିଲା। ବଣ୍ଟି ଦୁଇ ଜଣ ବିହାରୀ ଲୁଟେରାକୁ ଡାକି ତାଙ୍କ ସହ ମିଶି ଏହି ଲୁଟ କରିଥିବା ବେଳେ ସେପ୍ଟେମ୍ବର ମାସରେ ହୋଇଥିବା ଲୁଟ ଘଟଣାରେ ବୌଦ୍ଧ ଅଞ୍ଚଳର ଦୁଇ ଜଣ ଲଟେରା ସହ ମିଶି ଲୁଟ କରିଥିବା ସ୍ୱୀକାର କରିଛି।
ମାମିଲ ମହାଲିଙ୍ଗ ମେହେର ବ୍ୟାଟେରୀ ଦୋକାନରେ କାମ କରୁଥିବା ବେଳେ ମେହେର ବ୍ୟାଟେରୀ ଦୋକାନ ପୂର୍ବରୁ ଏୟାରଟେଲ ଫ୍ରାଞ୍ଚାଇଜି ସହ ମଧ୍ୟ ସଂପର୍କରେ ରହିଥିଲା। ଯାହାଫଳରେ ସେହି ଦୋକାନର ଆର୍ଥିକ କାରବାର ବିଷୟରେ ସେ ସୂଚନା ପାଇ ବଣ୍ଟି ସହ ମିଶି ଲୁଟର ବ୍ଲୁପ୍ରିଣ୍ଟ ତିଆରି କରିଥିଲା। ଏହି ଦୁଇଟି ମାମଲାରେ ପୁଲିସ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର କ୍ଷେତରାଜପୁରର ବିଭୂତି ଭୂଷଣ ସୁନା ଓରଫ ବଣ୍ଟି, ବାଉଁଷୁଣୀ ଥାନା ଅନ୍ତର୍ଗତ ପେଙ୍ଗାଲବେଡା ଗାଁର ଅମିତ ଝାଙ୍କର ଓରଫ ମଙ୍ଗଳୁ, ଗାନ୍ଧୀନଗରପଡା ଜୁନ୍ହାଡିହିର ମାମିଲ ମହାଲିଙ୍ଗ ଓ ମେଘନାଥପଡାର ମହାଦେବ ସାହୁ। ଚାରିଜଣ ଗିରଫ ହୋଇଥିବା ବେଳେ ଏହି ଦୁଇ ଘଟଣାରେ ସଂପୃକ୍ତ ଥିବା ଆଉ ଚାରି ପାଞ୍ଚ ଜଣ ଅଭିଯୁକ୍ତ ଫେରାର ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି । ଲୁଟେରା ମାନଙ୍କ ପାଖରୁ ଲୁଟ ବେଳେ ବ୍ୟବହୃତ ପିସ୍ତଲ, ତିନି ରାଉଣ୍ଡ ଅଫୁଟା ଗୁଳି, ସାତୋଟି ମୋବାଇଲ ଫୋନ, ତିନୋଟି ବାଇକ ଓ ଦୁଇଟି ବ୍ୟାଟେରୀ ଜବତ ହୋଇଛି ଏସଡିପିଓ ଶ୍ରୀ ବାରିକ୍ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

- Advertisement -

ବଲାଙ୍ଗିରରେ ବିହାରୀ ଲୁଟେରା
ଗତ ଜାନୁୟାରୀ ମାସରେ ଏୟାରଟେଲ ଫ୍ରାଞ୍ଚାଇଜ ତଥା ପେମେଣ୍ଟ ବ୍ୟାଙ୍କରେ ହୋଇଥିବା ଲୁଟ ଘଟଣାରେ ବିହାରୀ ଲୁଟେରା ସାମିଲ ରହିଥିବା ସ୍ପଷ୍ଟ ହୋଇଛି। ବଲାଙ୍ଗିରର ମାମିଲ ମହାଲିଙ୍ଗ ଓ ସମ୍ବଲପୁରର ବଣ୍ଟି ସୁନା ମିଶି ଦୁଇ ଜଣ ବିହାରୀ ଲୁଟେରାଙ୍କୁ ଏହି ଲୁଟ ମାମଲାରେ ନିୟୋଜିତ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ରାଜ୍ୟ ବାହାରୁ ଆସି ବଲାଙ୍ଗିରରେ ଲୁଟ କରି ପୁଣି ଫେରାର ମାରିଥିବା ଏହି ଦୁଇ ଜଣକୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଚଲାଇଛି। ତେବେ ବିହାରୀ ଲୁଟେରା ଏବେ ପୁଲିସର ଚିନ୍ତା ବଢାଇଛି। ଦୁଇ ଜଣ ବିହାରୀ ଲୁଟେରା ବଣ୍ଟିର ଯୋଗାଯୋଗରେ ଆସିଥିବା ଜଣାପଡିଥିବା ବେଳେ ଏହି ଲୁଟେରା ମାନଙ୍କୁ ପୁଲିସ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories