www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ:ପୂଜା ସମୟରେ କୋଭିଡ ନିୟମର କଡାକଡି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି। ତଥାପି ପୂଜା ସମୟରେ କୋଭିଡ଼ ନିୟମ କଡ଼ାକଡ଼ି ପାଳନ ସହ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା ନ କରିବାକୁ ସେ ସତର୍କ କରିଦେଇଛନ୍ତି। ଏହି ଅବସରରେ Co-Morbidity ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିଳ୍ପ ସଂସ୍ଥା ଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ ।

- Advertisement -

ବୈଠକରେ ଉନ୍ନୟନ କମିଶନର  ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ସତ୍ତ୍ବେ ପ୍ରଶାସନ ସଂପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସୂଚନା ଦେଇଥିଲେ । ଦଶହରା ଓ ଦୀପାବଳୀ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ବର୍ତ୍ତମାନ ରାଜ୍ୟରେ ୫ଟି ଜିଲ୍ଲା – ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ମୟୁରଭଂଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ, ଅନ୍ୟ ଜିଲ୍ଲାମାନଙ୍କରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ ମହାପାତ୍ର କହିଥିଲେ ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ, ଆରୋଗ୍ୟ ହାର ୯୩ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାର ଠାରୁ ଅଧିକ ଅଟେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ RT-PCR Test Report ଚବିଶ ଘଣ୍ଟା ମଧ୍ୟରେ ଦିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ରାଜ୍ୟରେ ସଂକ୍ରମଣ ହାରରେ ହ୍ରାସ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ଓ ସେମାନେ ଏଥିପାଇଁ ଅଧିକ ପରିଶ୍ରମ କରି ରୋଗୀସେବା ଜାରି ରଖିଛନ୍ତି ବୋଲି ସେ କହିଥିଲେ । ଯେହେତୁ positivity rate କମିଛି, ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ବୈଠକରେ ଅନୁରୋଧ କରାଯାଇଥିଲା।
ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି । ବର୍ତ୍ତମାନ ଏହା ୧୮୦୫୦ରେ ଅଛି । ୧୫,୫୧୫ ରୋଗୀ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି ବୋଲି ବୈଠକରୁ ଜଣାଯାଇଛି।

ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ ପାର୍ବଣ ଋତୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ S.P. ମାନଙ୍କ ସହିତ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ଅଧିକ ପୋଲିସ ମୁତୟନ ପାଇଁ ବନ୍ଦୋବସ୍ତ କରାଯିବା ସହିତ ସମ୍ବେଦନଶୀଳ ଜିଲ୍ଲା ଗୁଡିକ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ସେ କହିଥିଲେ । ବିଭିନ୍ନ ସହରର ସ୍ଥାନୀୟ ପୂଜା କମିଟି ଗୁଡିକୁ ସଚେତନ କରାଯାଇଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ଆଲୋଚନାରୁ ଜଣାଯାଇଛି ଯେ ଭୁବନେଶ୍ବରରେ Sero Survey ଶେଷ ହୋଇଥିବା ବେଳେ ଦଶହରା ପରେ କଟକ ଓ ପୁରୀରେ ସର୍ଭେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି  ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories