ଜିଡିପି ମାପିବାକୁ ବିଜୁଳି ଖର୍ଚ୍ଚକୁ ଅନୁଧ୍ୟାନ କଲା ବିଶ୍ୱବ୍ୟାଙ୍କ
ନୂଆଦିଲ୍ଲୀ: ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରାୟନ ଲାଗୁ କରିଥିଲେ। ଏହାର ପ୍ରଭାବ ୨୦୧୬-୧୭ ଆର୍ଥିକ ବର୍ଷ ଉପରେ କିପରି ପଡ଼ିଲା ଏହାର ଆକଳନ କରିବାକୁ ବିଶ୍ୱବ୍ୟାଙ୍କ ଭିନ୍ନ ପ୍ରକାର ମାଧ୍ୟମ ଆପଣେଇଛି। ଦେଶର ବିକାଶର ମାପକାଠି ମୁଖ୍ୟତଃ ଜିଡିପି(ଗ୍ରସ ଡୋମେଷ୍ଟିକ ପ୍ରଡକ୍ଟ) ଉପରେ ନିର୍ଭର କରୁଛି। ବିମୁଦ୍ରାୟନ ସମୟରେ ଭାରତର ବିକାଶ ୭.୩ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି ବୋଲି ବିଶ୍ୱବ୍ୟାଙ୍କ ତା’ର ରିପୋର୍ଟରେ ଉଲ୍ଲେଖ କରିଛି।
ତେବେ ଏଭଳି ରିପୋର୍ଟର ସତ୍ୟାସତ୍ୟ ତର୍ଜମା କରିବା ଅପେକ୍ଷା ଏହି ରିପୋର୍ଟ ପ୍ରସ୍ତୁତ ପ୍ରଣାଳୀ ବେଶ୍ ଚିତାକର୍ଷକ। କାରଣ କୃତିମ ଉପଗ୍ରହ ଦ୍ୱାରା ଭାରତର ଶିଳ୍ପସଂସ୍ଥାର ଚିତ୍ରକୁ ଦେଖି ବିଶ୍ୱ ବ୍ୟାଙ୍କ ଏଭଳି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ମାଧ୍ୟମ କେବଳ ଭାରତ ଉପରେ ପ୍ରୟୋଗ କରାଯାଇ ନାହିଁ। ନେପାଳ ଭୂମିକମ୍ପ ଓ ଆଫଗାନିସ୍ଥାନର ହିଂସା ସମୟରେ ମଧ୍ୟ ବିଶ୍ୱବ୍ୟାଙ୍କ ଅନୁରୂପ ପଦ୍ଧତି ଆପଣେଇ ସମ୍ପୃକ୍ତ ଦେଶର ଅର୍ଥନୀତିର ବିକାଶର ଅନୁଧ୍ୟାନ କରିଛି।
ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ ସିଏମ ବେୟର, ଇସା ଛାବଡ଼ା, ବର୍ଗଲିୟୋ ଗୋଲ୍ଡ ଓ ମାର୍ଟିନ ରାମ ପ୍ରମୁଖ ପ୍ରସ୍ତୁତ କରିଛନ୍ତି। ସେମାନେ ଦକ୍ଷିଣ ଏସିଆର ପ୍ରମୁଖ ଜିଲାର ବିଦ୍ୟୁତ ଖର୍ଚ୍ଚର ପରିମାଣ ଓ କୃତିମ ଉପଗ୍ରହରୁ ମିଳୁଥିବା ଚିତ୍ରକୁ ଅନୁଧ୍ୟାନ କରି ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ମୁଖ୍ୟତଃ ସନ୍ଧ୍ୟାରୁ ରାତ୍ରୀ ମଧ୍ୟରେ କୃତିମ ଉପଗ୍ରହରୁ ମିଳୁଥିବା ଚିତ୍ର ଏହି ରିପୋର୍ଟର ପ୍ରମୁଖ ମାଧ୍ୟମ କହିଲେ ଭୁଲ ହେବ ନାହିଁ। କାରଣ ବିଦ୍ୟୁତ ଖର୍ଚ୍ଚ ଓ ଉତ୍ପାଦନ ପରସ୍ପର ପରିପୂରକ ବୋଲି ସେମାନେ ଯୁକ୍ତି ଦର୍ଶାଇ ଥିଲେ। ରିପୋର୍ଟ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନେ ସିଧାସଳଖ ବିଶ୍ୱ ବ୍ୟାଙ୍କର ଅର୍ଥନୀତି ସହ ଯୋଡ଼ି ହୋଇଛନ୍ତି। ସେମାନେ ସନ୍ଧ୍ୟାରେ ବିଭିନ୍ନ ଶିଳ୍ପସଂସ୍ଥାର ଚିତ୍ରରେ ତା’ର ଉଜ୍ଜଳତାକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ଘୋଷଣା କରାଯିବା ପରେ ଏହି ସବୁ ଶିଳ୍ପ ସଂସ୍ଥାର ଚିତ୍ରରେ ଉଜ୍ଜଳତା କମି ଯାଇଥିଲା। ଏହି ପ୍ରକ୍ରିୟା ବିମୁଦ୍ରାୟନର ୨ମାସ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହାକୁ ଇଂରାଜୀରେ ଲୁମିନୋସିଟି ବୋଲି କୁହାଯାଉଛି।