ମଇରେ କିମ୍‌-ଟ୍ରମ୍ପ ସାକ୍ଷାତକାର!

0

ୱାଶିଂଟନ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ସୁଧୁରିବାର ସଂକେତ ମିଳିଛି । ଏପର୍ଯ୍ୟନ୍ତ ପରସ୍ପର ସହ ବାକ୍‌ ଯୁଦ୍ଧରେ ଲିପ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ପରସ୍ପରକୁ ଭେଟିବାକୁ ସହମ୍ମତି ପ୍ରଦାନ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ମଇରେ ହେବାକୁ ଥିବା ଏହି ସାକ୍ଷାତକାରକୁ ଐତିହାସିକ ମନେ କରାଯାଉଛି ।

ଦକ୍ଷିଣ କୋରିଆ ଜାତୀୟ ସୁରକ୍ଷା ଅଫିସ୍‌ ମୁଖ୍ୟ ଚୁଂଗ ଏହୟୋଙ୍ଗ ଏହି ସାକ୍ଷାତକାର ସମ୍ପର୍କରେ ସୂଚନା ଦେଇଛନ୍ତି । ଚୁଂଗ ଏହୟୋଙ୍ଗ ଏବେ ୱାଂଶିଟନରେ ଅଛନ୍ତି । ସେ ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରୀଙ୍କୁ କିମ୍‌ ଜୋଙ୍ଗ ଉନ୍‌ଙ୍କ ବାର୍ତ୍ତା ଦେବା ସହ ସାକ୍ଷାତକାର ପାଇଁ ଆମନ୍ତ୍ରଣ କରିଛନ୍ତି । ପରମାଣୁ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟକ୍ରମ ଏବଂ କ୍ଷପଣାସ୍ତ୍ର ପରୀକ୍ଷଣ ବନ୍ଦ କରିବାକୁ କିମ୍‌ ଜୋଙ୍ଗ ଉନ୍‌ ରାଜିଥିବା ସେ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ ଉତ୍ତର କୋରିଆର ବାଲାଷ୍ଟିକ ପରମାଣୁ କ୍ଷପଣାସ୍ତ୍ର ବିକାଶ ପରୀକ୍ଷଣକୁ ଆମେରିକା ସମେତ ଜାପାନ ଓ ଦକ୍ଷିଣ କୋରିଆ ବିରୋଧ କରିଥିଲେ । ମିଳିତ ଜାତିସଂଘ ମଧ୍ୟ ଉତ୍ତର କୋରିଆକୁ ତାଗିଦ୍‌ କରିଥିଲା । ହେଲେ ଉତ୍ତର କୋରିଆ ଏଥିରୁ ନିବୃତ୍ତ ନରହି ନିଜ ପରମାଣୁ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟକ୍ରମ ଜାରି ରଖିଥିଲା । ଏହାକୁ ନେଇ କିମ୍‌ ଜୋଙ୍ଗ ଉନ୍‌ ଓ ଟ୍ରମ୍ପଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗି ରହିଥିଲା । ତେବେ ଦକ୍ଷିଣ କୋରିଆରେ ଆୟୋଜିତ ଶୀତକାଳୀନ ଅଲମ୍ପିକରେ ଉତ୍ତର କୋରିଆର ଯୋଗଦାନଠାରୁ ସମ୍ପର୍କରେ ସୁଧାର ଆସିବାରେ ଲାଗିଛି ।

Leave A Reply