ବିଦେଶରେ ରତ୍ନଭଣ୍ଡାର ଚାବି ଚର୍ଚ୍ଚା

0

ପୁରୀ: ବିଦେଶରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଚର୍ଚ୍ଚା ଜୋର୍‌ ଧରିଛି । ନ୍ୟୁୟର୍କ ଟାଇମ୍ସ ଇଂରାଜୀ ପତ୍ରିକାରେ ଏଥିନେଇ ରବିବାର ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି । ଅଣହିନ୍ଦୁଙ୍କ ପ୍ରବେଶ ଅଧିକାର ନଥିବା ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଅତ୍ୟନ୍ତ ରହସ୍ୟଜନକ ବୋଲି ସେଥିରେ କୁହାଯାଇଛି।
ରିପୋର୍ଟ ଅନୁଯାୟୀ ଏପ୍ରିଲ ମାସରେ ରତ୍ନଭଣ୍ଡାର ନିର୍ମାଣଜନିତ ସ୍ଥିତି ଯାଞ୍ଚ ପାଇଁ ୧୬ଜଣିଆ କମିଟି ଭିତରେ ପ୍ରବେଶ କରିଥିଲା । ଶ୍ରୀମନ୍ଦିର ସମ୍ମୁଖରେ ହଜାର ହଜାର ଲୋକ ଅପେକ୍ଷା କରିଥିଲେ । ରତ୍ନଭଣ୍ଡାର ଲୁହାକବାଟ ଫାଙ୍କରୁ ଭିତର ଦେଖାଯାଉ ଥିବାରୁ ଚାବି ନଖୋଲି ସ୍ଥିତି ଅନୁଧ୍ୟାନ କରାଯାଇଥିବା ଯାଞ୍ଚକାରୀ ଦଳ କିଛିସମୟ ପରେ ଲୋକଙ୍କୁ ସୂଚନା ଦେଇଥିଲେ । ଏହାର ଠିକ୍‌ ୨ମାସ ପରେ ରତ୍ନଭଣ୍ଡାର ଚାବି ହଜିଯାଇଥିବା ଖବର ପଦାକୁ ଆସିଥିଲା । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ଘଟଣା ସାଧାରଣରେ ପ୍ରଘଟ କରିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ରତ୍ନଭଣ୍ଡାର ଚାବି କିପରି ହଜିଲା ବୋଲି ନ୍ୟୁୟର୍କ ଟାଇମ୍ସ ପ୍ରଶ୍ନ କରିଛି। ଏଥିପାଇଁ ସୁରକ୍ଷା ଓ ପରିଚାଳନାଗତ ତ୍ରୁଟି ରହିଥିବା ସେଥିରେ ଉଲ୍ଲେଖ କରାଯାଇଛି । ସେଥିରେ କୁହାଯାଇଛି ଯେ, ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା । ୧୯୩୦ରେ ମଧ୍ୟ ମହାତ୍ମା ଗାନ୍ଧି ମନ୍ଦିର ଭିତରେ ପ୍ରବେଶ କରିନଥିଲେ । ୧୯୭୮ ମସିହାର ଏକ ରିପୋର୍ଟରେ ଶ୍ରୀମନ୍ଦିରରେ ପରିଚାଳନାଗତ ଅବ୍ୟବସ୍ଥା, ଶ୍ରୀମନ୍ଦିର ସମ୍ପତ୍ତି ଆତ୍ମସାତ ଆଦି ସମ୍ପର୍କରେ ପ୍ରକାଶ ପାଇଥିବା ନ୍ୟୁୟର୍କ ଟାଇମ୍ସ କହିଛି । ଭାରତରେ ଥିବା ହିନ୍ଦୁମନ୍ଦିର ଗୁଡିକରେ ୧୬୦ମିଲିୟନ ଡଲାର ମୂଲ୍ୟର ସୁନାରୁପା ରହିଥିବା ଖବର ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଏବଂ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ । ଶହ ଶହ ବର୍ଷଧରି କେବଳ ହିନ୍ଦୁଙ୍କୁ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ଅଣହିନ୍ଦୁଙ୍କ ପ୍ରବେଶ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କଥା ନ୍ୟୁୟର୍କ ଟାଇମ୍ସ ଖବରରେ ସ୍ଥାନ ଦେଇଛି । ରତ୍ନଭଣ୍ଡାର ଚାବି ହଜିବା ନେଇ କେତେକ ବିଶିଷ୍ଟ ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତଙ୍କ ଉଦ୍‌ବେଗ ସେଥିରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରତ୍ନଭଣ୍ଡାର ଚାବି ହଜିବା ଖବର ବିଦେଶରେ ଥିବା ଜଗନ୍ନାଥପ୍ରେମୀଙ୍କୁ ଚକିତ ଓ ମ୍ରିୟମାଣ କରିଛି । ଶନିବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ପୁରୀ ଆସିଥିବା ଜଣେ ବିଦେଶୀ ସାମ୍ବାଦିକ ଏହି ଖବର ପ୍ରକାଶ କରିଛନ୍ତି।

Leave A Reply