www.samajalive.in
Tuesday, December 9, 2025
23.1 C
Bhubaneswar

କୋଭିଡ଼ କଟକଣା ଢିଲା: ସବୁଠି ସାହାଣ ମେଲା, ବଜାରଘାଟ ଅସମ୍ଭାଳ ଗହଳି

ଭୁବନେଶ୍ୱର: କୋଭିଡ଼ ମୁକାବିଲା ସହିତ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଯତ୍‌ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି। ସବୁ ଜିଲା ଏବଂ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠାଠାରୁ ଆରମ୍ଭ କରି ଭୁବନେଶ୍ୱର, କଟକ, ରାଉରକେଲା ଭଳି ମହାନଗର ନିଗମରେ କୋଭିଡ଼ ପରିଚାଳନା ଓ ହସ୍ପିଟାଲ ପ୍ରତିଷ୍ଠାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ହେଲେ କୋଭିଡ଼ ସଂକ୍ରମଣ କମିବା ବଦଳରେ ବଢ଼ିଚାଲିଛି। ସରକାରୀ ସ୍ତରରେ କୋଭିଡ଼ ପରିଚାଳନାରେ କିଛି ତ୍ରୁଟିବିଚ୍ୟୁତିକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ସବୁଠୁ ସ୍ପର୍ଶକାତର ପ୍ରସଙ୍ଗ ହେଲା ଓଡ଼ିଶାରେ କୋଭିଡ଼ ପରିଚାଳନା ନେଇ ଆରମ୍ଭ କାଳରେ ସରକାର କୁବ୍‍ ତତ୍ପରତା ପ୍ରକାଶ କରିଥିଲେ। ଯେତେବେଳେ କାଁ ଭାଁ ସଂକ୍ରମଣ ଦୃଷ୍ଟିକୁ ଆସୁଥିଲା, ଖୁବ୍‍ କଡ଼ା କଟକଣା ଲାଗୁ କରାଯାଇଥିଲା। ନିୟମାବଳୀ କଠୋର ଭାବେ ପାଳନ କରାଯାଉଥିଲା। ଏପରିକି ରାଜ୍ୟ ସରକାରଙ୍କ ପ୍ରଥମ ଲକ୍‌ଡାଉନ ଘୋଷଣା କାଳର ପରିବେଶ ପରବର୍ତ୍ତୀ କାଳରେ ଲାଗୁ ସଟ୍‌ଡାଉନଠାରୁ ବି ଖୁବ୍‍ କଡ଼ା ଥିଲା। ଲୋକେ ବେଶ ମାନି ଚଳିଲେ। କିନ୍ତୁ ପରେ ଦେଖାଗଲା ସଟ୍‌ଡାଉନ୍‌ ସମୟରେ ବି ଲୋକେ ମନଇଚ୍ଛା ବୁଲିଲେ। ପ୍ରଥମ ୪ରୁ ୫ ମାସ ରାଜ୍ୟ ସରକାର ଲକ୍‌ଡାଉନ, ସଟ୍‌ଡାଉନ, ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟ୍‌ଡାଉନ ଭଳି କଡ଼ା ନିୟମାବଳୀ ଲାଗୁ କରି କୋଭିଡ଼କୁ ଯେପରି ନିୟନ୍ତ୍ରଣ ଭିତରେ ରଖିଥିଲେ, ତାହା ଗତ କିଛିଦିନର ଅନ୍‌ଲକ ଭିତରେ ଲଗାମଛଡ଼ା ହୋଇଯାଇଛି।

- Advertisement -

ଲୋକଙ୍କ ଜୀବିକା ବିପନ୍ନ ହେବା କାରଣରୁ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ବେପାର ବଣିଜ ଖୋଲିବା ଏବଂ ଶିଳ୍ପ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଗକୁ ଗତିଶୀଳ କରିବା ଲକ୍ଷ୍ୟରେ ସରକାରଙ୍କ କୋହଳ ନୀତି ଏବେ ଲୋକଙ୍କ ପାଇଁ ଉପକାର ପରିବର୍ତ୍ତେ ଅଧିକ ଅପକାର କରୁଛି। ବିଶେଷ କରି ଭୁବନେଶ୍ୱର, କଟକ, ରାଉରକେଲାଠାରୁ ଆରମ୍ଭ କରି ପ୍ରତି ଜିଲା ମୁଖ୍ୟାଳୟରେ ସର୍ବସାଧାରଣଙ୍କ ଅବାଧ ବିଚରଣ କୋଭିଡ଼ ପରିଚାଳନାରେ ସମସ୍ୟା ସୃଷ୍ଟି କରିଛି। ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ରହୁନି। ବଜାରରେ ସାମାଜିକ ଦୂରତା ରକ୍ଷା କଥା ଲୋକେ ଭୁଲିଗଲେଣି। ଗାଡ଼ି ଚଳାଚଳ ଉପରେ କଟକଣା ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଧରପଗଡ଼ ଅଭିଯାନ ବି ଶିଥିଳ ପଡ଼ିଯାଇଛି।

ରାଜ୍ୟରେ ମାର୍ଚ୍ଚ ୧୫ରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରୁ। ପ୍ରଥମେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ କାଁ ଭାଁ ସଂକ୍ରମଣକୁ ଦେଖି ଲୋକଙ୍କ ଭିତରେ ଛନକା ପଶିଯାଉଥିଲା। ଏସବୁ ଭିତରେ ରାଜ୍ୟ ସରକାରଙ୍କ କୋଭିଡ଼ ପରିଚାଳନା ଖୁବ୍‍ ଟାଣ ଥିଲା। ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଡାକି ସରକାରଙ୍କ ମୁଖପାତ୍ର ଲୋକଙ୍କୁ ଚେତାଇ ଦେଉଥିଲେ। ନିୟମ ପାଳନ ପାଇଁ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଥିଲା। ହେଲେ ଏବେ ପ୍ରତି ଦିନ ଶହସ୍ରାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ କଟକଣା କୋହଳ କରିଦିଆଗଲା।
ରାଜ୍ୟରେ ଦିନକୁ ପରୀକ୍ଷଣ ପୂର୍ବରୁ ୧୦୦୦ଭିତରେ ସୀମିତ ଥିବାବେଳେ ଏବେ ତାହା ୫୦ହଜାର ଛୁଇଁଲାଣି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ସୁସ୍ଥତା ହାର ବି ବଢ଼ୁଛି। ହେଲେ ଅନେକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ପରେ ବି ପୁନର୍ବାର ପରୀକ୍ଷା ପରେ ପଜିଟିଭ ବା ସଂକ୍ରମିତ ଥିବା ଲକ୍ଷ୍ୟ କରାଯାଉଛି। ଏବେ ଯେଉଁ ଅନୁପାତରେ ଭୁବନେଶ୍ୱର ଭଳି ସହରରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ଠିକଣା ଭାବେ ଚିକିତ୍ସା ଯୋଗାଇବା ବି କାଠିକର ପାଠ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ ସଂକ୍ରମିତ ଚିହ୍ନଟର ଦୁଇ ମାସ ପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୬ଶହ ଟପିଥିଲେ ହେଁ ମୃତ୍ୟୁ ସଂଖ୍ୟା ୩ରେ ସୀମିତ ଥିଲା। ହେଲେ ଗତ ୪ ମାସ ଭିତରେ ସଂକ୍ରମଣ ଲକ୍ଷେ ଟପି ଦେଢ଼ ଲକ୍ଷକୁ ମୁହାଁଉଥିବାବେଳେ ମୃତ୍ୟୁ ସଂଖ୍ୟା ୬୧୬ରେ ପହଞ୍ଚିଲାଣି। ତେବେ ସରକାରଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି ଏଥିରେ ସୁସ୍ଥ ବା ଆରୋଗ୍ୟ ଲଭିଥିବା ରୋଗୀଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ।

କୋଭିଡ଼ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ସଂକ୍ରମଣ ହାର ମାତ୍ରାଧିକ ବଢ଼ିଛି। ସେପ୍ଟେମ୍ବରରେ ସଂକ୍ରମଣ ରେକର୍ଡ଼ ଟପିବ ବୋଲି ଆକଳନ କରାଗଲାଣି। ଇତିମଧ୍ୟରେ ଭୁବନେଶ୍ୱର ଓ କଟକରେ ଅଧିକ କୋଭିଡ଼ ହସ୍ପିଟାଲ, ବେଡ଼ ଓ ଆଇସିୟୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। କିନ୍ତୁ ଅନ୍‌ଲକ ପରେ ରାଜ୍ୟ ସରକାର କଟକଣା କୋହଳ କରିବା ଦ୍ୱାରା ବିନା ମାସ୍କରେ, ସାମାଜିକ ଦୂରତା ରକ୍ଷା ନକରି ବଜାର ଘାଟରେ ଲୋକଙ୍କ ଅବାଧ ଆତଯାତ କୋଭିଡ଼ ସଂକ୍ରମଣକୁ ଅଧିକ ବଢ଼ାଇବାର ଆଶଙ୍କା ରହିଛି।
ନିକଟରେ ସ୍ୱତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍‌ଲକ ସମୟର କୋହଳ କଟକଣା ଭିତରେ ଆମ ବଜାର ତଥା ବ୍ୟବସାୟିକ ପେଣ୍ଠ ଏବଂ ସହରାଞ୍ଚଳର ଭିଡ଼ ପରିସ୍ଥିତି ନେଇ ତଥ୍ୟ ଉପସ୍ଥାପନ କରିବା ସହିତ ଲୋକଙ୍କୁ ନିୟମାବଳୀ ପାଳିବାକୁ ଅନୁରୋଧ କରିବା ସହିତ ସତର୍କ ନରହିଲେ ଆଗକୁ ଧରପଗଡ଼ ଅଭିଯାନ ସମ୍ପର୍କରେ ବି ସୂଚାଇ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡ଼ିନାହିଁ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories