ବିଶ୍ୱ ୨୦ ବର୍ଷରୁ କମ୍‍ ଦୌଡ଼କୁଦ: ହିମାଙ୍କୁ ଐତିହାସିକ ସ୍ୱର୍ଣ୍ଣ

0

ନୂଆଦିଲ୍ଲୀ : ସର୍ବପ୍ରଥମ ଭାରତୀୟ ମହିଳା ଆଥ୍‍ଲେଟ୍‍ ଭାବେ ବିଶ୍ୱ ୨୦ ବର୍ଷରୁ କମ୍‍ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ହିମା ଦାସ। ଫିନ୍‍ଲାଣ୍ଡର ଟାମ୍ପିଅରରେ ଚାଲିଥିବା ଏହି ଚମ୍ପିଆନ୍‍ସିପ୍‍ରେ ହିମା ଗୁରୁବାର ମହିଳା ୪୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ବୁଧବାର ହିଟ୍‍ସରେ ୫୨.୨୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଥିବା ହିମା ଦାସ ଫାଇନାଲରେ ୫୧.୪୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ୫୨.୦୭ ସେକେଣ୍ଡ ସହ ରୋମାନିଆର ଆଣ୍ଡ୍ରିଆ ମିକ୍ଲୋସ୍‍ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଥିବା ବେଳେ ଆମେରିକାର ଟେଲର ମାନ୍‍ସନ ୫୨.୨୮ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ଆସାମର ବାଳିକା ହିମାଙ୍କ ଏହି ସଫଳତା ଭାରତୀୟ ଆଥ୍‍ଲେଟିକ୍‍ସ ଇତିହାସରେ ସ୍ୱର୍ଣ୍ଣିମ ଫର୍ଦ୍ଦ ହୋଇରହିବ। ଗତ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହିମା ଦାସ ମହିଳା ୪୦୦ ମିଟର ଦୌଡ଼ରେ ୫୧.୩୨ ସେକେଣ୍ଡ ସମୟ ନେଇ ନୂତନ ଭାରତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ହେଁ ତାଙ୍କୁ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ନିକଟରେ ଗୁଆହାଟୀରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ହିମା ଦାସ ୫୧.୧୩ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣପଦକ ଜିତିଥିଲେ।

Leave A Reply