ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‍: ୬ ମୃତ

0

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲା ତଡିପାତ୍ରି ଅଞ୍ଚଳର ଏକ ଇସ୍ପାତ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍‍ ହୋଇ ୬ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ଜଣ ଅସୁସ୍ଥ ହୋଇଛନ୍ତି। ମୃତ ଶ୍ରମିକମାନେ ହେଲେ ବି ରଙ୍ଗନାଥ (୨୧), କେ ମନୋଜ କୁମାର (୨୪), ୟୁ ଗଙ୍ଗାଧର (୩୭), ଏସ୍‍ଏସ ୱାସିମ ଭାଷା (୩୯), କେ ଶିବ ମାଡ୍ଡିଲେଟି ଓରଫ ଲିଙ୍ଗାୟା (୨୬) ଓ ଗୁରୁଭାଇୟା (୪୦)। ପୁଲିସ କହିବା ଅନୁଯାୟୀ ଗେରଡୌ ଷ୍ଟିଲ ଇଣ୍ଡିଆ ଲିମିଟେଡ କମ୍ପାନୀରେ ଅପରାହ୍ଣ ୫ଟା ୩୦ରେ ବିଷାକ୍ତ ଗ୍ୟାସ ଲିକ୍‍ ହୋଇଥିଲା। ଗ୍ୟାସ ପ୍ରଭାବରେ ୬ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କେଉଁ କାରଣରୁ ଗ୍ୟାସ ଲିକ୍‍ ହୋଇଛି ତାହା ଜଣାପଡି ନାହିଁ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। କାରଖାନାକୁ ତୁରନ୍ତ ବନ୍ଦ କରିଦିଆଯିବା ସହ ଗ୍ୟାସ ଲିକ୍‍କୁ ବନ୍ଦ କରିବା ପାଇଁ ଜରୁରୀକାଳୀନ ବାହିନୀକୁ ନିୟୋଜିତ କରାଯାଇଛି। ଏହି ଇସ୍ପାତ କାରଖାନାଟି ବ୍ରାଜିଲର ଗେରଡୌ କମ୍ପାନୀର। ଏହା ଏସିଆ ମହାଦେଶର ପ୍ରଥମ ଷ୍ଟିଲ ପ୍ଲାଣ୍ଟ। ଏଥିରୁ ବାର୍ଷିକ ୩ଲକ୍ଷ ଟନ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ହୋଇଥାଏ।

Leave A Reply