ସିବିଆଇ ଜାଲରେ ମନ୍ତ୍ରୀଙ୍କ ପୁଅ
ଭୁବନେଶ୍ୱର: ଚିଟ୍ଫଣ୍ଡ ମାମଲାର ଖୋଳତାଡ଼ ବେଳେ ସିବିଆଇ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପୁଅ। ସିସୋର୍ ଚିଟ୍ଫଣ୍ଡ୍ ମାମଲାରେ ୨ ଜଣ ବରିଷ୍ଠ ଆଇଏଏସ୍ଙ୍କୁ ପଚରାଉଚରା କରିବା ପରେ ଏବେ ଅର୍ଥତତ୍ତ୍ୱ ମାମଲାରେ ସିବିଆଇ ମନ୍ତ୍ରୀଙ୍କ ପୁଅର କାରବାର ଉପରେ ନଜର ପକାଇଛି। ନିକଟରେ ସିବିଆଇର ଅଧିକାରୀମାନେ ମନ୍ତ୍ରୀଙ୍କ ପୁଅ ଅଫିସକୁ ଯାଇ ଯାଞ୍ଚ କରି ଫେରିଛନ୍ତି।
ମନ୍ତ୍ରୀଙ୍କ ପୁଅ ତାଙ୍କ ଅଫିସରେ ଏକାଧିକ କମ୍ପ୍ୟୁଟର ଲଗାଇଛନ୍ତି, ଯାହାର ବିଲ୍ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଆକାଉଣ୍ଟରୁ ପୈଠ ହୋଇଥିବା ଜଣାପଡିଛି। ଏନେଇ ସୁରାକ୍ ପାଇବା ପରେ ସିବିଆଇ ମନ୍ତ୍ରୀଙ୍କ ପୁଅଙ୍କୁ ସମନ କରିଛି।
ସେହିପରି ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଏକାଧିକବାର ଜେରାର୍ ସମ୍ମୁଖୀନ ହୋଇଥିବା ନୂଆପଲ୍ଲୀର ଜଣେ ପ୍ରତିଷ୍ଠିତ ବିଲ୍ଡର ଓ ଜଣେ ହୋଟେଲ୍ ମାଲିକ ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।
ଚିଟ୍ଫଣ୍ଡ ତଦନ୍ତର ଅଗ୍ରଗତି ସମ୍ପର୍କରେ ଏସ୍ଟିଆଇକୁ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେବା ପରେ ସିବିଆଇ ତଦନ୍ତ ପୁଣି ଜୋର ଧରିଛି। ଜୁନ୍ ୧୯ରେ ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଏବଂ ଯୁଗ୍ମ ନିର୍ଦେଶକ ପଙ୍କଜ ଶ୍ରୀବାସ୍ତବ ଭୁବନେଶ୍ବର ଆସିବା ଅବସରରେ ବିଭିନ୍ନ ଚିଟ୍ଫଣ୍ଡ୍ ମାମଲାର ସମୀକ୍ଷା କରିଥିଲେ। ସିସୋର୍ ଚିଟ୍ଫଣ୍ଡ୍ ମାମଲାରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଯୁଗ୍ମ ସଚିବ ଥିବା ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିଛି।