ଶ୍ରୀମନ୍ଦିର ସୁନା ଗାଏବ: ହାଇକୋର୍ଟରେ ବିଜେପିର ଜନସ୍ୱାର୍ଥ ମାମଲା

0

କଟକ : ଶ୍ରୀମନ୍ଦିରର ପୁଣି ଏକ ପ୍ରସଙ୍ଗକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଭାରତୀୟ ଜନତା ପାର୍ଟି(ବିଜେପି)। ହୁଣ୍ଡିରୁ ମିଳିଥିବା ସୁନା ଅଳଙ୍କାର ଗାଏବକୁ ନେଇ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ୧୯୮୩ ଅକ୍ଟୋବରରୁ ୨୦୧୮ ଜାନୁୟାରୀ ମଧ୍ୟରେ ଦାନ ବାକ୍ସ(ହୁଣ୍ଡି)ରୁ ୧୮ କିଗ୍ରା ୨୬୧ଗ୍ରାମ୍‍ ସୁନା ଅଳଙ୍କାର ମିଳିଥିଲା।
ନିୟମ ଅନୁସାରେ ଏହି ସୁନାକୁ ରତ୍ନ ଭଣ୍ଡାରରେ ରଖିବା ପାଇଁ ବ୍ୟବସ୍ଥା ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ନାଜିର ଖାନାରେ ରଖାଯାଇଥିଲା। ମିଳିଥିବା ସୁନା ମଧ୍ୟରୁ ୧୪.୫୬୦କିଗ୍ରା ସୁନା ଅଳଙ୍କାର ଜୁନ ମାସ ୭ତାରିଖରେ ଷ୍ଟେଟ୍‍ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଲକରରେ ବେଆଇନ ଭାବେ ରଖାଯାଇଥିଲା। ତେବେ ଏହା ହେଉଛି ଫୌଜଦାରୀ ବିଶ୍ୱାସଭଙ୍ଗ ଓ ଫୌଜଦାରୀ ବେଆଚରଣ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ଯାହାକି ଦୁର୍ନୀତି ନିବାରଣ ଆଇନର ଧାରା ୧୩ରେ ଧର୍ତ୍ତବ୍ୟ ଅପରାଧ ଏବଂ ଆଇପିସି ୪୦୬, ୪୦୮, ୪୦୯ ଓ ୧୨୦-(ବି)ରେ ଅଭିଯୁକ୍ତ ହେବା କଥା। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ଦୁଇଟି କମିଟି ଥିବାବେଳେ ଟେମ୍ପୁଲ ଫାଉଣ୍ଡେସନ ଫଣ୍ଡ କମିଟିରେ ୬ଜଣ ସଦସ୍ୟ ଥିବାବେଳେ ଏହାର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଖୋଦ୍‍ ଅଛନ୍ତି। ମାତ୍ର ନିୟମ ଅନୁସାରେ ସମୟାନୁକ୍ରମେ କୌଣସି ବୈଠକ ବସୁନାହି। ୧୮ବର୍ଷ ହେଲା କମିଟି ବୈଠକ ବସିନଥିବାବେଳେ ଯେଉଁ ସୁନା ଅଳଙ୍କାର ଖର୍ଚ୍ଚ ହୋଇଛି ତା’ର ହିସାବ କମିଟିର ଅନୁମୋଦନକ୍ରମେ ହୋଇନାହି। ତେବେ ୩.୭୫୦କିଗ୍ରା ସୁନା ଅଳଙ୍କାର ହିସାବ ମିଳୁ ନ ଥିବାବେଳେ ଏହାକୁ ହରିଲୁଟ୍‍ କରାଯାଇଥିବା ଦର୍ଶାଇ ଏହାର ତଦନ୍ତ କରିବା ପାଇଁ ଜୁନ ୧୯ତାରିଖରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଏକ ଏତଲା କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଏହି ଏତଲା ହୋଇଥିବାବେଳେ ଭିଜିଲାନ୍ସ ମୋକଦ୍ଦମା ଦାୟର କରିନଥିଲା।
ତେବେ ଆବେଦନକାରୀ ଏହି ପ୍ରସଙ୍ଗରେ ଆବେଦନପତ୍ରରେ ପ୍ରାର୍ଥନା କରିଛନ୍ତି ଯେ ଏତଲା ରୁଜୁ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଉ ଓ ଏହି ମାମଲାକୁ ସିବିଆଇକୁ ତଦନ୍ତ ପାଇଁ ହସ୍ତାନ୍ତର କରାଯାଉ। ଆବେନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ଦାୟର କରି ଏଥିରେ ଫଣ୍ଡ କମିଟି ଅଧ୍ୟକ୍ଷ, ଆଇନ ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ପୁରୀ ଜିଲାପାଳ ଓ ସିବିଆଇ ନିର୍ଦ୍ଦେଶକକୁ ପକ୍ଷଭୁକ୍ତ କରାଯାଇଛି।

Leave A Reply