ପୁଣି ଚିଲିକାରେ ଅଟକିଲା ଡଙ୍ଗା

0

କୃଷ୍ଣପ୍ରସାଦ : କାଳୀଜାଈ ଗଣ୍ଡରେ ଡ଼ଙ୍ଗା ବୁଡି ଘଟଣାର ଏକମାସ ନ ପୂରୁଣୁ ଜହ୍ନିକୁଦା ଠାରୁ ସାତପଡ଼ା ଅଭିମୁଖେ ଯାଉଥିବା ଘାଟଡ଼ଙ୍ଗାଟି ମଝି ଚିଲିକାରେ ଅଟକି ରହିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୁରୀ ଜିଲାପାଳଙ୍କ ନିକଟରେ ଏଭଳି ବିପଦସଙ୍କୁଳ ଯାତ୍ରା ନେଇ ଅଭିଯୋଗ ହୋଇଥିଲେ ସୁଧା ପ୍ରଶାସନର ନିଘା ରହୁନାହିଁ। ସେହିଭଳି ମଙ୍ଗଳବାର ପୂର୍ବାହ୍ନରେ ନୂଆପଡ଼ା ପଞ୍ଚାୟତ ଜହ୍ନିକୁଦା ଘାଟପେଣ୍ଠ ଠାରୁ ୭୦ ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ସହ ୨୦ ବାଇକ୍‍ ନେଇ ସାତପଡ଼ା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଘାଟଡ଼ଙ୍ଗାଟି ଯାନ୍ତ୍ରିଙ୍କ ତ୍ରୁଟି ଯୋଗୁଁ ଅଧାବାଟରେ ଅଟକି ରହିଥିଲା। ଚାଳକ ଜଣକ ଯେତେ ଉଦ୍ୟମ କଲେ ମଧ୍ୟ ଡଙ୍ଗା ନେବାକୁ ସକ୍ଷମ ହୋଇ ନଥିଲେ। ଦୀର୍ଘ ୪୦ ମିନିଟ୍‍ କାଳ ଯାତ୍ରୀମାନେ ପ୍ରବଳ ଖରାରେ ଆଉଟ ପାଉଟ ହୋଇଥିଲେ। ପରେ ଡଙ୍ଗା ଆସି ଯାତ୍ରୀଙ୍କ ସହିତ ବାଇକ୍‍ ସବୁକୁ ଉଦ୍ଧାର କରିଥିଲା। ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଥିଲା। ପାରିକୁଦ ଅଞ୍ଚଳବାସୀ ଦୈନିକ ସାତପଡ଼ା ଅଭିମୁଖେ ଯାତାୟାତ କରୁଥିବାରୁ ସେଠାରେ ଥିବା ଡଙ୍ଗା ମାଲିକ ଓ ଚାଳକଙ୍କ ଦୈରାତ୍ମ୍ୟ ଯୋଗୁଁ ଭୟରେ କେହି ମୁହଁ ଖୋଲି ନଥିଲେ। ସ୍ୱାଧୀନତାର ସତୁରୀ ବର୍ଷ ବିତିଯାଇଥିଲେ ମଧ୍ୟ ଚିଲିକା ଦ୍ୱୀପ ମଧ୍ୟରେ ଥିବା ପାରିକୁଦ ଅଞ୍ଚଳରେ ୧୦ ପଞ୍ଚାୟତରେ ଜନସାଧାରଣ ସ୍ୱାଧୀନତାର ସ୍ୱାଦ ଚାଖିବାରେ ବିଫଳ ହୋଇଛନ୍ତି। ଚିଲିକାରେ ଦୀର୍ଘ ୫ କିଲୋମିଟର ଜଳପଥ ଅତିକ୍ରମ ନିମନ୍ତେ ସକାଳ ୬ଟାରୁ ରାତି ୧୧ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ବିପଦସଙ୍କୁଳ ଗମନା ଗମନ ଚାଲିଥିଲେ ସୁଧା ଅନ୍ୟକୌଣସି ପନ୍ଥା ଅବଲମ୍ବନ କରାଯାଇନାହିଁ। ଜନତାଙ୍କ ଉନ୍ନତି ଓ ଯାତାୟାତ ନିମନ୍ତେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭସାପଲ ନିୟୋଜିତ କରିଛନ୍ତି। ମାତ୍ର କଳଙ୍କିଲଗା ଭସାପୋଲଟି ବାରମ୍ବାର ଅଚଳ ହେଉଥିବା ଯୋଗୁଁ ଗମନାଗମନ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି କରିଚାଲିଛି।
ପୁରୀଜିଲା ପ୍ରଶାସନ ସାତପଡ଼ା ଓ ବ୍ରହପୁର ପଞ୍ଚାୟତକୁ ଘାଟଡଙ୍ଗା ବାର୍ଷିର୍କ ତିନିଲକ୍ଷ ଟଙ୍କାରେ ନିଲାମ ହେଉଥିବାବେଳେ ଡ଼ଙ୍ଗା ଚାଳକଙ୍କ ଉପରେ ପ୍ରଶାସନର ଲଗାମ ରହୁନାହିଁ। ପ୍ରତ୍ୟେକ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଘେନି ଅଭିଯୋଗ ହେଉଛି। ଚିଲିକାରେ ଡ଼ଙ୍ଗା ଯାତାୟାତ ସମ୍ପର୍କରେ ମତାମତ ଅଣାଯିବା ପାଇଁ ଉଦ୍ୟମ କରାଯାଇଥିଲା; ମାତ୍ର ଏନେଇ କୃଷ୍ଣପ୍ରସାଦ ବିଡ଼ିଓ, ତହସିଲଦାର ଓ ପୋଲିସ ପ୍ରଶାସନ ସହିତ କୌଣସି ମତାମତ ଦେବାକୁ ରାଜି ହେଉନାହାନ୍ତି। ଜିଲାପାଳ ଏଦିଗରେ ଦୃଷ୍ଟି ଦେଇ ଚିଲିକାରେ ନିରାପଦ ଗମନାଗମନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Leave A Reply