୨ ମାସରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

0

ନୂଆଦିଲ୍ଲୀ/ଭୁବନେଶ୍ବର : ଦୁଇ ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ଆଜି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଷ୍ଟ୍ରପତି ମହୋଦୟଙ୍କ ସ୍ୱୀକୃତି ଲାଭ କରିବାର ତିନି ବର୍ଷ ବିତି ଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଆଇନକୁ ଲାଗୁ କରାପାଇ ପାରିନଥିଲା ବୋଲି ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ମଙ୍ଗଳବାର ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ଶିବାଶିଷ ମିଶ୍ର ଦର୍ଶାଇଥିଲେ ଯେ ଚଳିତ ଜୁଲାଇ ୭ରୁ ରାଜ୍ୟରେ ଲୋକାୟୁକ୍ତ ଆଇନ-୨୦୧୪ ଲାଗୁ କରାଯିବା ସହ ନିୟମାବଳୀ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଇତି ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଅନୁସନ୍ଧାନକାରୀ କମିଟି ଗଠନ ନିୟମାବଳୀ ପ୍ରସ୍ତୁତ ସରିଛି। ଲୋକାୟୁକ୍ତ ସଦସ୍ୟ ନିଯୁକ୍ତି ସର୍ତ୍ତାବଳୀ, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ସଂପର୍କିତ ନିୟମାବଳୀ-୨୦୧୮କୁ ସରକାର ପ୍ରସ୍ତୁତ କରିସାରିଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ କାର୍ଯ୍ୟକାରୀ ପରେ ଲୋକାୟୁକ୍ତ ମନୋନୟନ କମିଟି ଏବଂ ଅନୁସନ୍ଧାନକାରୀ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଡଭୋକେଟ ଶ୍ରୀ ମିଶ୍ର କୋର୍ଟଙ୍କୁ ଜଣାଇଥିଲେ। ଲୋକାୟୁକ୍ତ ନିଯୁକ୍ତି ସଂପର୍କିତ ରାଜ୍ୟ ମୁଖ୍ୟସଚିବଙ୍କ ଦ୍ୱାରା ଏକ ସତ୍ୟପାଠକୁ ଖଣ୍ଡପୀଠରେ ଉପସ୍ଥାପିତ କରାଯାଇଥିଲା।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶନାମାକୁ ନେଇ ରାଜ୍ୟରେ ଏବେ ବିରୋଧୀ ଏବଂ ଶାସକଦଳ ସଭ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ୪ବର୍ଷ ଧରି ଲୋକାୟୁକ୍ତ ନିଯୁକ୍ତି ହେଉ ନାହିଁ ବୋଲି ବିରୋଧୀ ଯୁକ୍ତି ବାଢ଼ିଛନ୍ତି। ଆସନ୍ତା ୨ମାସ ମଧ୍ୟରେ ସରକାର ଲୋକାୟୁକ୍ତ ନିଯୁକ୍ତି କରିପାରିବେ ନାହିଁ ବୋଲି ବିରୋଧୀ ସନ୍ଦେହ ପ୍ରକଟ କରୁଥିବାବେଳେ ରାଜ୍ୟ ସରକାର କିନ୍ତୁ ଆଶ୍ୱସ୍ତ ଅଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାକୁ ନିଶ୍ଚିତ ଭାବେ ପାଳନ କରାଯିବ ବୋଲି ଶାସକଦଳ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ
ପକ୍ଷରୁ ଚଳିତମାସ ୭ତାରିଖରେ ଲୋକାୟୁକ୍ତ ଆଇନ କାର୍ୟ୍ୟକାରୀ ହେବା ସହିତ ସର୍ଚ୍ଚ କମିଟି ପାଇଁ ନିୟମ ହୋଇସାରିଛି। ତେବେ ଲୋକାୟୁକ୍ତ ନିଯୁକ୍ତି ଲାଗି ଆଉ ୩ଟି ସୋପାନ ବାକି ରହିଛି। ଏନେଇ ପ୍ରଥମ ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନୋନୟନ କମିଟି ଗଠନ କରାଯିବ। ଏଥିରେ ବିରୋଧୀ ଦଳ ନେତା ଓ ବିଧାନସଭା ବାଚସ୍ପତିଙ୍କ ସହିତ ଅନ୍ୟ ଜଣେ ବିଶେଷଜ୍ଞ ରହିବେ। ପରବର୍ତ୍ତୀ ପର୍ୟ୍ୟାୟରେ ଉକ୍ତ ମନୋନୟନ କମିଟି ସର୍ଚ୍ଚ କମିଟିର ସଭ୍ୟ ବାଛିବେ। ଏଥିପାଇଁ ରାଜ୍ୟପାଳଙ୍କ ସ୍ୱୀକୃତିର ଆବଶ୍ୟକତା ରହିଛି। ସର୍ଚ୍ଚ କମିଟି ଯେଉଁ ସଭ୍ୟଙ୍କୁ ମନୋନୟନ କରିବେ ତାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଚାହିଁଲେ ପରବର୍ତ୍ତୀ ସମୟରେ ବଦଳାଇ ପାରିବେ ଏବଂ ନିଜସ୍ୱ ସଭ୍ୟ ନିଯୁକ୍ତ କରିପାରିବେ। ଏହି ସମସ୍ତ ପ୍ରକ୍ରିୟା ୨ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ କରିବାକୁ ପଡିବ। ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଏହି ଅବଧି ‘ଟାକ୍ସ’ କେତେଦୂର ଅନୁପାଳନ ହେବ ସେନେଇ ବିରୋଧୀ ସନ୍ଦିହାନ ଥିବାବେଳେ ରାଜ୍ୟ ସରକାର ନିଶ୍ଚିତ ପାଳନ କରିବେ ବୋଲି ଶାସକଦଳ ସଭ୍ୟ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟ ସରକାର କ’ଣ କରିବେ ତାହା ବୁଝାପଡୁନାହିଁ। ଯେଉଁ ସରକାରଙ୍କୁ ଆଇନ କାର୍ୟ୍ୟକାରୀ କରିବାକୁ ୪ବର୍ଷ ଲାଗିଗଲା ସେ ସରକାର କିଭଳି ୨ମାସ ମଧ୍ୟରେ ଅବଶିଷ୍ଟ ପ୍ରକ୍ରିୟାକୁ ଶେଷ କରିବେ ତାହା ସନ୍ଦେହ ଲାଗୁଛି। ପୂର୍ବରୁ ସୁପ୍ରିମକୋର୍ଟରେ ଆଇନ କାର୍ୟ୍ୟକାରୀ ହୋଇଛି ବୋଲି ମିଥ୍ୟା ତଥ୍ୟ ଦର୍ଶାଇଥିଲେ, ତାକୁ ନେଇ ସଂଶୋଧନ ପିଟିସନ ଦାଖଲ ପାଇଁ ବିଧାନସଭାରେ ସରକାର କହିଥିଲେ। ସଂଶୋଧନ ପିଟିସନ ସରକାର ଦେଲେ ନା ନାହିଁ ତାହା ଏପର୍ୟ୍ୟନ୍ତ ଖବର ନାହିଁ। ତେଣୁ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶ କେତେଦୂର ପାଳନ କରିବେ ତାହା ସରକାରଙ୍କୁ ଜଣା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।
ସେହିପରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସରକାର ୨୦୧୪ରେ ପ୍ରଥମେ ଲୋକାୟୁକ୍ତ ଆଇନ କାର୍ୟ୍ୟକାରୀ କରିଛନ୍ତି ବୋଲି ଭାରତବାସୀଙ୍କୁ ମିଛ ଚକ୍‍ମା ଦେଖାଇଥିଲେ। ବାସ୍ତବ ତଥ୍ୟ କିନ୍ତୁ ଓଲଟା। ଯେଉଁ ସରକାର ଦୁର୍ନୀତିରେ ବୁଡ଼ି ରହିଛି ସେ କିଭଳି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରିବ ଏବଂ ଲୋକାୟୁକ୍ତ ନିଯୁକ୍ତ କରିବ ତାହା ଆଶ୍ଚର୍ୟ୍ୟ ଲାଗୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବାହାଦୂରୀ ନେବାରେ ଓଡ଼ିଶା ସରକାରଙ୍କୁ କେହି ଟପି ପାରିବେ ନାହିଁ। ଲୋକାୟୁକ୍ତ ଆଇନ ୨୦୧୪ରେ କରିବେ ବୋଲି କହି ସରକାର ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ବାସ୍ତବକ୍ଷେତ୍ରରେ ପ୍ରତିଫଳିତ ହେଲାନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ ବାରମ୍ବାର ମିଥ୍ୟା ତଥ୍ୟ ଦେଇ ଆସୁଛନ୍ତି। ଯଦି ୨ମାସ ଭିତରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରିବେ ତେବେ ରାଜ୍ୟବାସୀ ଏହାର ସୁଫଳ ପାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ରାଜ୍ୟ ସରକାର ସବୁବେଳେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଆସିଛନ୍ତି। ଆଜି ସୁପ୍ରିମକୋର୍ଟ ଯେଉଁ ୨ମାସର ମହଲତ ନିର୍ଦେଶ ଦେଇଛନ୍ତି ସେହି ଅବଧି ମଧ୍ୟରେ ସରକାର ନିଶ୍ଚିତ ଭାବେ ଲୋକାୟୁକ୍ତ ନିଯୁକ୍ତ କରିବେ। ଏହାକୁ ନେଇ ବିରୋଧୀ ଯେଉଁ ସନ୍ଦେହ ପ୍ରକଟ କରୁଛନ୍ତି ତାହା ତାଙ୍କର କେବଳ ଭ୍ରମ ବୋଲି ସାଂସଦ ଶ୍ରୀ ଦେବ କହିଛନ୍ତି।

Leave A Reply