ସୁସ୍ଥ ହେଲେ ମହାପ୍ରଭୁ

0

ପୁରୀ : ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗରେ ଚନ୍ଦନ ଓ ଖଳିଲାଗି କରାଯାଇଛି । ଦଶଦିନ ପରେ ଘଣ୍ଟ ଓ କାହାଳି ବାଜିଛି । ସୋମବାର ଏକାଦଶୀ ତିଥିରେ ପଟ୍ଟିଦିଅଁଙ୍କ ଭୋଗମଣ୍ଡପ ପରେ ବେହେରଣଦ୍ୱାର ଖୋଲି ଦଇତାପତି ଅଣସର ଘରେ ପ୍ରବେଶ କରିଥିଲେ । ଶ୍ରୀଜୀଉଙ୍କୁ ଖଳିଲାଗି ଓ ରକ୍ତବସ୍ତ୍ର ଲାଗି କରାଯାଇଥିଲା । ପତିମହାପାତ୍ର ଭିତର ଭୋଗରେ ରାଜବୈଦ୍ୟ ଦେଇଥିବା ମହୌଷଧି ପ୍ରଭୁଙ୍କୁ ଅର୍ପଣ କରିଥିଲେ । ଏହାଛଡା ପଣାଭୋଗ କରାଯାଇଥିଲା । ପଟ୍ଟିଦିଅଁଙ୍କ ସନ୍ଧ୍ୟାଧୂପ ପରେ ଦଇତାପତି ପୁଣିଥରେ ଅଣସର ଘରକୁ ଯାଇଥିଲେ। ଘଟୁଆରୀ ସେବକଙ୍କ ଘରୁ ଆସିଥିବା ଚନ୍ଦନରେ କର୍ପୂର ଓ କେଶର ମିଶାଯାଇ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲେପ ଦିଆଯାଇଥିଲା । ପାଳିଆ ଖୁଣ୍ଟିଆ ମଣିମା ମଣିମା ଡାକିଥିଲେ । ହଡପ ନାୟକ ବିଡିଆ ମଣୋହି କରିଥିଲେ । ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା । ଦଶାବତାର ଠାକୁରଙ୍କୁ ମଧ୍ୟ ଚନ୍ଦନଲାଗି କରାଯାଇଛି । ରାଘବଦାସ ମଠରୁ ଆସିଥିବା ୨୨ହାଣ୍ଡି ଖଇ, କଦଳୀ, ପଣସ, ଆମ୍ବ ଓ କୋରା ମହାପ୍ରଭୁଙ୍କୁ ଭୋଗ କରାଯାଇଛି। ଦେବସ୍ନାନ ମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନପରେ ଦାରୁବ୍ରହ୍ମ ଅସୁସ୍ଥ ହୋଇପଡିଥିଲେ । ଅଣସର ଘରେ ୧୦ଦିନ ଧରି ବିଶ୍ରାମ ନେଇଥିଲେ ।
ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଏବଂ ଓଷଲାଗି ସମେତ ମହୌଷଧି ଦିଆଯିବା ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ମଙ୍ଗଳବାର ଦ୍ୱାଦଶୀ ତିଥିରେ ରାଜପ୍ରାସାଦ ବିଜେନୀତି ଅନୁଷ୍ଠିତ ହେବ । ଦଇତାପତିମାନେ ରୁପା ଥାଳିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଚନ୍ଦନ, କରାଳ ଓ ପାଟଡୋର ନେଇ ଗଜପତିଙ୍କ ଶ୍ରୀନଅରକୁ ଯିବେ। ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ସେମାନେ ଠାକୁର ରାଜାଙ୍କୁ ଜଣାଇବେ। ଗଜପତିଙ୍କ ପକ୍ଷରୁ ଦଇତାପତି, ପତିମହାପାତ୍ର, ଦେଉଳକରଣ, ତଡ଼ଉକରଣ, ତଳୁଛ, ବେହେରା ଓ ଖୁଣ୍ଟିଆଙ୍କୁ ଶାଢ଼ି ପ୍ରଦାନ କରାଯିବ ।

Leave A Reply