ନୂଆଦିଲ୍ଲୀରେ  ଦକ୍ଷିଣ କୋରିଆ ରାଷ୍ଟ୍ରପତି ; ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ

0

ନୂଆଦିଲ୍ଲୀ :  ଦକ୍ଷିଣ କୋରିଆ ରାଷ୍ଟ୍ରପତି ସୋମବାର ସକାଳେ ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ୍‍ କୁମାର ଟ୍ୱିଟ୍‍ କରି କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ସଂପର୍କକୁ ଅଧିକ ପରିବ୍ୟାପ୍ତ କରି ବିଶେଷ ନୀତିଗତ ଭାଗିଦାରୀକୁ ବ୍ୟାପକ କରିବା ଦିଗରେ ଉଭୟ ନେତା ସକାରାତ୍ମକ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଭବନରେ ଶ୍ରୀ ମୁନ୍‍ଙ୍କୁ ମଙ୍ଗଳବାର ଆନୁଷ୍ଠାନିକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଅନ୍ୟପକ୍ଷରେ  ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ବୃଦ୍ଧି ଲାଗି ନୂଆଦିଲ୍ଲୀଠାରେ ଉଭୟ ଦେଶର ବାଣିଜ୍ୟ ମନ୍ତ୍ରୀ କେତେକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ କିମ୍‍ ହ୍ୟୁଂ ଚୋଙ୍ଗ୍‍ ଏହି ରାଜିନାମାଗୁଡ଼ିକରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି ।  ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ଆହୁରି ଆଗକୁ ବଢ଼ାଇବା ଦିଗରେ ବାଣିଜ୍ୟ କାରବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ପ୍ରଭୁ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଭାରତ ଗସ୍ତର ଦ୍ୱିତୀୟ ଦିନରେ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-କୋରିଆ ବାଣିଜ୍ୟ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଗାନ୍ଧି ସ୍ମୃତି ପରିଦର୍ଶନ କରିବେ। ଦୁଇ ନେତା ଉତ୍ତରପ୍ରଦେଶର ନୋଇଡାସ୍ଥିତ ସାମ୍‍ସଙ୍ଗ୍‍ କାରଖାନାମଧ୍ୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସେ ମଙ୍ଗଳବାର ପ୍ରତିନିଧିସ୍ତରୀୟ ବୈଠକରେ ଯୋଗଦେବେ। ବୈଠକ ପରେ ଅନେକଗୁଡ଼ିଏ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଉଭୟ ନେତା ଗୋଲ୍‍ଟେବୁଲ୍‍ ବୈଠକରେ ମୁଖ୍ୟକାର୍ଯ୍ୟନିର୍ବାହୀମାନଙ୍କୁ ଉଦ୍‍ବୋଧନ ଦେବେ।  ସେ ମଧ୍ୟ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁଙ୍କୁ ସାକ୍ଷାତ କରିବେ।

ଶ୍ରୀ ମୁନ୍‍ ରବିବାର ସନ୍ଧ୍ୟାରେ ପତ୍ନୀ କିମ୍‍-ଜଙ୍ଗ୍‍-ସୁକ୍‍ଙ୍କ ସହିତ  ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ, ଅଧିକାରୀ ଓ ଶିଳ୍ପପତିମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତରେ ଭାରତ ଆସିଛନ୍ତି। ଗତ ସନ୍ଧ୍ୟାରେ ଶ୍ରୀ ମୁନ୍‍ ପୂର୍ବ ଦିଲ୍ଲୀସ୍ଥିତ ସ୍ୱାମୀ ନାରାୟଣ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ। ଗତବର୍ଷ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାପରେ ଶ୍ରୀ ମୁନ୍‍ଙ୍କର ଏହା ଭାରତକୁ ପ୍ରଥମ ସରକାରୀ ଗସ୍ତ।

Leave A Reply