ମୋତେ ଭାରତ ଆଣିବା ପଛରେ ରହିଛି ଭୋଟ ରାଜନୀତି: ମାଲ୍ୟା

0

ସିଲଭରଷ୍ଟୋନ୍‍: ଭୋଟ ହାତେଇବା ଆଶାରେ ସରକାର ମୋତେ ଭାରତ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଭାରତର ପୂର୍ବତନ ମଦସମ୍ରାଟ ବିଜୟ ମାଲ୍ୟା। ଋଣ ଖିଲାପୀ ମାମଲାରେ ଅଭିଯୁକ୍ତ ବିଜୟ ମାଲ୍ୟା ଏବେ ବ୍ରିଟେନ୍‍ରେ ରହିଛନ୍ତି। ସେଠାରୁ ତାଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ବ୍ରିଟିଶ ସରକାରଙ୍କ ସହିତ ଆଲୋଚନା କରୁଛନ୍ତି।
ବ୍ରିିଟିଶ୍‍ ଫର୍ମୁଲା ୱାନ୍‍ ଗ୍ରାଁପ୍ରି ପ୍ରତିଯୋଗିତା ଅବସରରେ ସମ୍ବାଦ ସରବରାହ ସଂସ୍ଥା ରଏଟରକୁ ମାଲ୍ୟା କହିଛନ୍ତି ଯେ ତାଙ୍କର ବ୍ରିଟେନ୍‍ ସ୍ଥିତ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଉଦ୍ୟମ ହେଉଛି। କିନ୍ତୁ ସେହି ସମ୍ପତ୍ତି ତାଙ୍କ ସନ୍ତାନ ଓ ମା’ଙ୍କ ନାମରେ ରହିଛି। ତେଣୁ ସେଥିରୁ ଋଣ ଦେଇଥିବା ବ୍ୟାଙ୍କମାନଙ୍କୁ କିଛି ମିଳିବ ନାହିଁ। ତାଙ୍କ ପାଖରେ କିଛି ଗହଣା ଓ କାର ରହିଛି। ସେ ସବୁକୁ ସେ ନିଜେ ନେଇ ଦେଇ ଆସିବେ। କୋର୍ଟ କିମ୍ବା ଅଧିକାରୀଙ୍କୁ ସେଥିପାଇଁ ତାଙ୍କ ଘର ପର୍ଯ୍ୟନ୍ତ ଆସିବା ଆବଶ୍ୟକ ନାହିଁ। ଏ ସମ୍ପର୍କରେ ସେ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।
ମାଲ୍ୟା ଆହୁରି କହିଛନ୍ତି ଯେ ସେ କର୍ଣ୍ଣାଟକ କୋର୍ଟରେ ୨ ବିଲିୟନ୍‍ ଡଲାରର ସମ୍ପତ୍ତି ଦାଖଲ କରିଛନ୍ତି। ତାଙ୍କ ନାମରେ ଯେତିକି ଋଣ ରହିଛି ତାହାଠାରୁ ଏହା ବହୁ ଅଧିକ। ତେଣୁ ବ୍ରିଟେନ୍‍ କିମ୍ବା ଅନ୍ୟାନ୍ୟ ସ୍ଥାନରେ ତାଙ୍କ ନାମରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରିବା ଆବଶ୍ୟକ ନାହିଁ। ତାଙ୍କ ସମ୍ପତ୍ତି ଜବତ କରାଯାଇଛି ବୋଲି ଇଡି କହିଛି। କିନ୍ତୁ ସେହି ସମ୍ପତ୍ତି ସେ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି।
ସେହିପରି ପଳାତକ ଘୋଷଣା ଅଭିଯୋଗରେ ମାଲ୍ୟା କହିଛନ୍ତି ଯେ ସେ ବ୍ରିଟେନ୍‍ର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଭାରତ ପାଇଁ ସେ ଏନ୍‍ଆରଆଇ। ତେଣୁ ପଳାତକର ପ୍ରଶ୍ନ ଉଠୁଛି କେମିତି? ଏହା କେବଳ ସରକାରଙ୍କ ଭୋଟ ପାଇବା ପାଇଁ ଏକ ଚାଲ୍‍ ବୋଲି ମାଲ୍ୟା କହିଛନ୍ତି।

Leave A Reply