ଅପହୃତ କନ୍ଷ୍ଟେବଳଙ୍କ ମୃତଦେହ ଉଦ୍ଧାର
ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୋପିଆନ୍ ଅଞ୍ଚଳରୁ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ପୁଲିସ କନ୍ଷ୍ଟେବଳ ଜାବିଦ ଅହମ୍ମଦ ଦର ଓରଫ୍ ଜଜ୍ ଦର୍ଙ୍କ ଗୁଳିବିଦ୍ଧ ମୃତଦେହ ଶୁକ୍ରବାର ପୂର୍ବାହ୍ଣରେ ଉଦ୍ଧାର କରାଯାଇଛି। ଜାବିଦଙ୍କ ଘର ସୋପିଆନ୍ ଜିଲା ଅନ୍ତର୍ଗତ ଭେହିଲଠାରେ ହୋଇଥିବାବେଳେ ତାଙ୍କ ମୃତଦେହ କୁଲଗାମ୍ ନିକଟସ୍ଥ ପରିୱାନ୍ରୁ ଉଦ୍ଧାର କରାଯାଇଛି। ତାଙ୍କୁ ଅପହରଣ ଓ ହତ୍ୟା କରାଯିବା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ଆତଙ୍କବାଦୀମାନେ ଜାରି କରିଛନ୍ତି। ଜାବିଦ ସୋପିଆନ୍ ପୁଲିସ ଏସ୍ପି ଶୈଳେନ୍ଦ୍ର ମିଶ୍ରଙ୍କର ବ୍ୟକ୍ତିଗତି ସୁରକ୍ଷା କର୍ମୀ ଭାବେ ନିଯୁକ୍ତ ହୋଇଥିଲେ। ଗୁରୁବାର ଅପରାହ୍ଣରେ ୪ଜଣ ବନ୍ଧୁକଧାରୀ ଜାବିଦଙ୍କ ଘରେ ପଶି ଜୋରଜବରଦସ୍ତ ତାଙ୍କୁ ଏକ କାର୍ରେ ଉଠାଇ ନେଇଥିଲେ। ଏଭଳି ଘଟଣା ଦ୍ୱିତୀୟ ଥର ଘଟିଛି। ଜୁନ୍ ୧୪ରେ ଇଦ୍ ପାଇଁ ଘରକୁ ଆସୁଥିବା ସେନା ଯବାନ ଔରଙ୍ଗଜେବ୍ଙ୍କୁ ଆତଙ୍କବାଦୀମାନେ ବାଟରୁ ପୁଲୱାମା ନିକଟ କଲମପୁରାଠାରୁ ଅପହରଣ କରିନେଇଥିଲେ। ପରଦିନ ତାଙ୍କର ମୃତଦେହ କିଛି ଦୂର ଗୁସୋ ଗ୍ରାମରୁ ଉଦ୍ଧାର ହୋଇଥିଲା। ଅନ୍ୟ ଏକ ଘଟଣାକ୍ରମେ ପୁଲୱାମାଠାରେ ଜଣେ ଇମାମ ଅଚିହ୍ନା ବନ୍ଧୁକଧାରୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଇମାମ ହେଉଛନ୍ତି ପରିଗାମ୍ର ମୌଲବୀ ମହମ୍ମଦ ଅଶ୍ରଫ ଠୋକର। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି।