ଏୟାର ଫୋର୍ସ ଟ୍ରେନିଂ ବିମାନ କ୍ରୟରେ ଅନିୟମିତତା: ୧୪ ସ୍ଥାନରେ ପ୍ରବର୍ତନ ନିର୍ଦେଶାଳୟର ଚଢ଼ଉ
ରବର୍ଟ ଭଦ୍ରାଙ୍କ ଘନିଷ୍ଠ ସଞ୍ଜୟ ଭଣ୍ଡାରୀଙ୍କ ଘରୁ ମିଳିଲା ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
ନୂଆଦିଲ୍ଲୀ: ରବର୍ଟ ଭଦ୍ରାଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ସଞ୍ଜୟ ଭଣ୍ଡାରୀଙ୍କ ଘର ସମେତ ୧୪ଟି ସ୍ଥାନରେ ପ୍ରବର୍ତନ ନିର୍ଦେଶାଳୟ ଚଢ଼ଉ କରିଛି । ଶୁକ୍ରବାର ଦିଲ୍ଲୀ, ମୁମ୍ବାଇ, ନୋଇଡ଼ାର ୧୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା ଏବଂ ଏହି ଚଢ଼ଉରେ ଏୟାର ଫୋର୍ସ ତାଲିମ ବିମାନ କ୍ରୟ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ପ୍ରବର୍ତନ ନିର୍ଦେଶାଳୟ ଅଧିକାରୀଙ୍କ ହାତରେ ଲାଗିଥିବା କୁହାଯାଉଛି । ଏୟାରଫୋର୍ସର ତାଲିମ ବିମାନ କ୍ରୟରେ ଅନିୟମିତତା ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ସ୍ବିଜରଲାଣ୍ଡର କମ୍ପାନୀ ପିଲାଟସ୍ ଏୟାରକ୍ରାଫ୍ଟ ଲି ସହିତ କିଛି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ନିକଟରେ ସିବିଆଇ ମଧ୍ୟ ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ କରିଥିଲା । ଏହି ବିମାନ କିଣାବିକାରେ ପ୍ରାୟ ୩୯୯ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ଏଫ୍ଆଇଆରରେ ଦର୍ଶାଯାଇଛି । ଏତଲାରେ ଚର୍ଚିତ ଡ଼ିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଆଉ କିଛି ବ୍ୟକ୍ତିଙ୍କ ନାଁ ରହିଛି । ଏହାପରେ ପ୍ରବର୍ତନ ନିର୍ଦେଶାଳୟ ଭଣ୍ଡାରୀଙ୍କ ଘର ଉପରେ ଚଢ଼ଉ କରିଛି ।
୨୦୦୮-୦୯ ମସିହାରେ କଂଗ୍ରେସ ଶାସନ କାଳରେ ଏହି ବିମାନ କ୍ରୟ ହୋଇଥିଲା । ଏହି ମାମଲାରେ କିଛି ରାଜନୈତିକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ନିଜର ପଦ ଓ ପ୍ରଭାବର ଉପଯୋଗ କରି କିଛି ବେସରକାରୀ ଲୋକଙ୍କ ଜରିଆରେ ଆନ୍ତର୍ଜାତିକ କିଣାବିକା ହୋଇଛି ଏବଂ ଡ଼ିଲରଙ୍କୁ ଫାଇଦା ଦିଆଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ଏହି ପ୍ରସଙ୍ଗରେ ସିବିଆଇ ପିଲାଟଲସ୍ ଏୟାରକ୍ରାଫ୍ଟ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଥିଲା । ସ୍ବିଜରଲ୍ୟାଣ୍ଡର ଏହି କମ୍ପାନୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତୀୟ ବାୟୁସେନାର କିଛି ଅଧିକାରୀ ଓ କିଛି ଅଜ୍ଞାନ ଲୋକ ନାମ ଏହି ଏତଲାରେ ରହିଥିଲା।
ଏହି ବିମାନ କ୍ରୟରେ କାରବାର ହୋଇଥିବା ଲାଞ୍ଚରେ କିଏକିଏ ଉପକୃତ ହୋଇଛନ୍ତି ଓ କେଉଁମାନେ ଲାଭବାନ ହୋଇଛନ୍ତି ସେ ସମ୍ପର୍କରେ ସିବିଆଇ ଓ ଇଡ଼ି ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଲାଞ୍ଚ ଅର୍ଥରେ ଲଣ୍ଡନରେ ସମ୍ପତ୍ତି କ୍ରୟ ହୋଇଥିଲା କି ନାହିଁ ତାହା ତଦନ୍ତାଧୀନ ରହିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଭଣ୍ଡାରୀ ଏବେ ଫେରାର ଅଛନ୍ତି ।
Comments are closed.