ଆଜିଠାରୁ ମେଡିକାଲ କଲେଜ ନାମଲେଖା
ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ସରକାରୀ ତଥା ଘରୋଇ ମେଡିକାଲ୍ କଲେଜର ଏମବିବିଏସ ଓ ବିଡିଏସ ପ୍ରୋଭିଜନାଲ ନାମଲେଖା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଗୁରୁବାର ପୂର୍ବାହ୍ନ ୧୦ଟାରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ଏମବିବିଏସ ପାଠ୍ୟକ୍ରମ ପାଇଁ ନାମଲେଖା ହେବ। ପ୍ରଥମ ଦିନରେ କଟକ ଏସସିବି ମେଡିକାଲ କଲେଜ ଏମବିବିଏସ, ଦ୍ୱିତୀୟ ଦିନ ଅର୍ଥାତ ୬ ତାରିଖରେ ବ୍ରହ୍ମପୁର ଏମକେସିଜି ଓ ୭ ତାରିଖରେ ବୁର୍ଲା ଭୀମସାରରେ ନାମଲେଖା ହେବ। ଏହି ପ୍ରକ୍ରିୟା ଚଳିତ ମାସ ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ ପର୍ୟ୍ୟାୟ ରାଜ୍ୟ କୋଟାରେ ଯେଉଁମାନଙ୍କ ନାମ ପ୍ରକାଶ ପାଇଛି ସେମାନେ ପ୍ରୋଭିଜନାଲ ଆଡମିଶନ ବେଳେ ସାର୍ଟିଫିକେଟ, ମାର୍କସିଟ ସମେତ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ହେବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ୍ ୪୪୩୩ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ରାଜ୍ୟ କୋଟା (୮୫%) ଅନୁସାରେ ସେମାନଙ୍କ ମଧ୍ୟରୁ ୩୧୬୯ଜଣଙ୍କ ନାମ ଜୁନ୍ ୩୦ ତାରିଖରେ ପ୍ରକାଶିତ ହୋଇଥିଲା। ଜୁଲାଇ ୧ ଓ ୨ରେ ଛାତ୍ରଛାତ୍ରୀ ଚଏସ୍ ଫିଲିଂ ଓ ଲକିଂ କରିଥିବା ବେଳେ ଆସନ୍ତାକାଲିଠାରୁ ଜୁଲାଇ ୧୦ତାରିଖ ପର୍ୟ୍ୟନ୍ତ ନାମଲେଖା ହେବ। ଜୁଲାଇ ୧୨ରେ ଛାତ୍ରଛାତ୍ରୀ ନାମ ଲେଖାଇଥିବା ନିଜ ପସନ୍ଦର ମେଡିକାଲ୍ କଲେଜରେ ଯୋଗ ଦେବେ। ଜୁଲାଇ ୨୪ରେ ପ୍ର୍ରଥମ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟ୍ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍ର ମିଳିତ ତାଲିକା ପ୍ରକାଶ ପାଇବ। ଏହି ସିିଟଗୁଡିକ ପାଇଁ ଚଏସ୍ ଫିଲିଂ ଓ ଲକିଂ ଜୁଲାଇ ୨୫ ରାତି ୧୨ଟା ପର୍ୟ୍ୟନ୍ତ ଖୋଲା ରହିବ। ଜୁଲାଇ ୨୭ରେ ଦ୍ୱିତୀୟ ପର୍ୟ୍ୟାୟ ପ୍ରୋଭିଜିନାଲ ନାମଲେଖା ହେବ। ଜୁଲାଇ ୩୧ ସୁଦ୍ଧା ଛାତ୍ରଛାତ୍ରୀ ଚାହିଁଲେ ନାମଲେଖାରୁ ଓହରିପାରିବେ।
ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ଯଦି ସିଟ୍ ବଳକା ରୁହେ ତେବେ ଅଗଷ୍ଟ ୪ରୁ ୮ତାରିଖ ମଧ୍ୟରେ ସ୍ପଟ ନାମଲେଖା ହେବ। ଅଗଷ୍ଟ ୧ ତାରିଖରୁ ପାଠପଢା ଆରମ୍ଭ ହେବାକୁ ଥିଲା ବେଳେ ୧୨ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅନୁଷ୍ଠାନରେ ଯୋଗ ଦେବେ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।