ସେବାୟତଙ୍କ ଦକ୍ଷିଣା ବନ୍ଦ, ଦର୍ଶନ ସ୍ବଚ୍ଛ

0

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି ଗୁରୁବାର ବିଚାରପତି ଆଦର୍ଶ କୁମାର ଗୋଏଲ ଓ ବିଚାରପତି ଅବଦୁଲ ଏସ ନଜିରଙ୍କ ଖଣ୍ଡପୀଠରେ ହେବ। ମାମଲାର ଶୁଣାଣି ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇ କୋର୍ଟଙ୍କ ନିର୍ଦେଶମତେ ବିନା ବାଧାରେ ସ୍ୱଛନ୍ଦରେ ଭକ୍ତ ଅଥବା ଶ୍ରଦ୍ଧାଳୁଙ୍କ ଶ୍ରୀଜୀଉ ଦର୍ଶନ ସୁନିଶ୍ଚିତ କରାଯାଇଥିବା ଦର୍ଶାଯାଇଛି। ଶ୍ରୀମନ୍ଦିରର ସେବକ/ସେବାୟତଙ୍କ ଦାନ-ଦକ୍ଷିଣା ଗ୍ରହଣ ଉପରେ ମନ୍ଦିର ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଛି। ମନ୍ଦିର କର୍ମଚାରୀ, ସେବକ, ସେବାୟତଙ୍କୁ କୌଣସି ଦାନ ନଦେବା ପାଇଁ ଶ୍ରୀମନ୍ଦିର ଭିତର ପାର୍ଶ୍ବରେ ଏବଂ ବାହାରେ ଫଳକ ମାଧ୍ୟମରେ ସଚେତନ କରାଯାଉଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନ ଗ୍ରହଣ ପାଇଁ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛନ୍ତି ଏବଂ ପ୍ରତ୍ୟେକ ଦାନ ପାଇଁ ରସିଦ ଦିଆଯାଉଛି ବୋଲି ସତ୍ୟପାଠରେ କୁହାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ସିଧାସଳଖ ଦାନ ଗହଣ ନକରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପଣ୍ଡା, ସେବକ, ସେବାୟତ ଏବଂ ମନ୍ଦିର କର୍ମଚାରୀଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି। ଏହାର ଖିଲାପି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାଇ ଦିଆଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସିସିଟିଭି ପ୍ରସଙ୍ଗରେ ସତ୍ୟପାଠରେ ଦର୍ଶାଯାଇଛି ଯେ ମନ୍ଦିର ପରିସରରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଦୁର୍ବ୍ୟବହାର ଆଦିକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସମୁଦାୟ ୮୮ଟି କ୍ୟାମେରା ଲଗାଯାଇଛି। ମନ୍ଦିର ପ୍ରଶାସନର ୧୫ଟି ଏବଂ ପୁରୀ ପୁଲିସର ୭୩ଟି କ୍ୟାମେରା ରହିଛି। ପୁଲିସ ଗୃହ ନିର୍ମାଣ ନିଗମକୁ ଅଧିକ ୨୩ଟି କ୍ୟାମେରା ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସମସ୍ତ କ୍ୟାମେରାର ଫୁଟେଜକୁ ସଂରକ୍ଷିତ କରିରଖାଯାଉଛି ଏବଂ ପୁରୀ ପୁଲିସ ଫୁଟେଜର ନିୟମିତ ଭାବେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଯାଞ୍ଚ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଫୁଟେଜକୁ ଯାଞ୍ଚ କରିବା ପାଇଁ ଏକ ସ୍ୱାଧୀନ କମିଟି ଗଠନ ସରିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇଛନ୍ତି। ଏହି ସ୍ୱାଧୀନ କମିଟି ନିୟମିତ ବ୍ୟବଧାନରେ ସମସ୍ତ କ୍ୟାମେରା ଫୁଟେଜକୁ ଯାଞ୍ଚ କରିବ।
ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଶ୍ରୀମନ୍ଦିରର ନୀତିକାନ୍ତି ଏବଂ ପର୍ବପର୍ବାଣୀ ପାଇଁ ୧୦୯ ପ୍ରକାରର ସେବକଙ୍କ ରେକର୍ଡ ଅଫ ରାଇଟ (ଆରଓଆର) ପ୍ରସ୍ତୁତ କରାଯାଇଛି। ମନ୍ଦିର ପରିସରର ପରିଛନ୍ନତା ବଜାୟ ରଖିବା ପାଇଁ ୫୯ ଜଣ ସ୍ଥାୟୀ ଏବଂ ୭୭ଜଣ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମନ୍ଦିର ସୁପରଭାଇଜରଙ୍କ ଅଧୀନରେ କାର୍ଯ୍ୟରତ ଏହି ସଫେଇ କର୍ମଚାରୀମାନେ ମନ୍ଦିର ପରିସରକୁ ପରିଷ୍କାର ରଖିବା ସହ ନିୟମିତ ଧୋଇ ସଫା କରୁଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା କାର୍ଯ୍ୟକ୍ରମ ଯୋଗୁଁ ସମୟ ଅଭାବରୁ ମନ୍ଦିର ପ୍ରଶାସନ ସଂପୂର୍ଣ୍ଣ ତଥ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ରଖିପାରୁନାହାନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଛି।
ସେହିପରି ମା’ ବୈଷ୍ଣାଦେବୀ, ସ୍ୱର୍ଣ୍ଣମନ୍ଦିର, ସୋମନାଥ ମନ୍ଦିର, ତିରୁପତି ମନ୍ଦିର, ଧର୍ମଶାଳା ମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ତିନି ଜଣିଆ କମିଟି ଗଠନ କରାଯାଇଛି ବୋଲି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ଅତିରିକ୍ତ ମୁଖ୍ୟସଚିବ ସୁରେଶ ଚନ୍ଦ ମହାପାତ୍ର, ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମୋହିନମୋହନ ତ୍ରିପାଠୀଙ୍କୁ ନେଇ ଗଠିତ କମିଟି ଇତିମଧ୍ୟରେ ଦୁଇଟି ବୈଠକ କରିଛନ୍ତି। କମିଟି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ପୂର୍ବ ରିପୋର୍ଟଗୁଡ଼ିକର ଅନୁଧ୍ୟାନ କରୁଛି ଏବଂ ରଥଯାତ୍ରା ପରେ ବିଭିନ୍ନ ମନ୍ଦିର ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ଦେଖିବେ ବୋଲି ରାଜ୍ୟ ସରକାର ତାଙ୍କ ଅନ୍ତରୀଣ ରିପୋର୍ଟରେ ଦର୍ଶାଇଥିଲେ।

kalyan agarbati
Leave A Reply