ସୋରାବୁଦ୍ଦିନ ଶେଖ୍ ମାମଲା: ପଲଟିଲେ ପୁଣି ଜଣେ ସାକ୍ଷୀ
ମୁମ୍ବଇ : ବହୁଚର୍ଚ୍ଚିତ ସୋରାବୁଦ୍ଦିନ ଶେଖ୍ ଓ ତୁଳସିରାମ ପ୍ରଜାପତି ମିଥ୍ୟା ଗୁଳିବିନିମୟ ମାମଲାର ଆଉ ଜଣେ ସାକ୍ଷୀ ପଲଟି ଯାଇଛନ୍ତି। ଏହାଙ୍କୁ ମିଶାଇ ଏହି ମାମଲାରେ ମୋଟ ୧୨୫ ଜଣ ସାକ୍ଷୀଙ୍କ ମଧ୍ୟରୁ ୭୪ ଜଣ ସେମାନଙ୍କ ବୟାନ ପରିବର୍ତ୍ତନ କରିଥିବା ଲକ୍ଷ୍ୟ କରାଗଲାଣି। ସଦ୍ୟତମ ସାକ୍ଷୀ ହେଉଛନ୍ତି ହରିଶ କୁମାର। ଗୁଜରାଟର ପଟମ୍ଠାରେ ସେ ବ୍ୟବସାୟ କରନ୍ତି। ପୁଲିସ ତାଙ୍କୁ ମୁମ୍ବଇସ୍ଥିତ ସିବିଆଇ ଅଦାଲତରେ ମଙ୍ଗଳବାର ସାକ୍ଷୀ ଭାବେ ଉପସ୍ଥାପିତ କରିଥିଲା। ହରିଶ ପୂର୍ବରୁ କହିଥିଲେ ଯେ ସେ ଜଣେ ବନ୍ଧୁଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ଯାଇଥିବାବେଳେ ପୁଲିସ ତାଙ୍କୁ ପ୍ରଜାପତିଙ୍କ ରକ୍ତଭିଜା ପୋଷାକ ଓ ତାଙ୍କ ଶରୀରରୁ ବାହାରିଥିବା ଗୁଳି ଦେଖାଇଥିଲା ଏବଂ ତାଙ୍କୁ ଜବତ ସାମଗ୍ରୀ ଦସ୍ତାବିଜରେ ଦସ୍ତଖତ କରିବାକୁ କହିଥିଲା। କିନ୍ତୁ ମଙ୍ଗଳବାର ଅଦାଲତରେ କହିଛି ଯେ ଡାକ୍ତରଖାନାରେ କେହି ନଥିଲେ କିମ୍ବା ସେ କାହାକୁ ଦେଖିବାକୁ ଯାଇ ନଥିଲେ; ବରଂ ଡିସେମ୍ବର ୨୮, ୨୦୦୬ରେ ଜଣେ ସାଙ୍ଗ ସହିତ ଥାନାକୁ ଯାଇଥିବାବେଳେ ପୁଲିସ ତାଙ୍କୁ ବାଧ୍ୟକରି ଦସ୍ତଖତ କରାଇ ନେଇଥିଲା। ତାଙ୍କୁ ପୁଲିସ କୌଣସି ସାମଗ୍ରୀ ଦେଖାଇ ନଥିଲା। ହରିଶଙ୍କର ଏଭଳି ବୟାନ ପରିବର୍ତ୍ତନକୁ ଲକ୍ଷ୍ୟକରି ସିବିଆଇ ଅଦାଲତ ତାଙ୍କୁ ବୟାନ ବଦଳାଇଥିବା ସାକ୍ଷୀଙ୍କ ତାଲିକାଭୁକ୍ତ କରିଛନ୍ତି।