ସ୍କୁଲରେ ନାମ ଲେଖାଇଲେ ମିଳିବ ସ୍ୱର୍ଣ୍ଣ ମୁଦ୍ରା ଓ ୫ହଜାର ଟଙ୍କା
କୋଇମ୍ବାଟୁର: ଛୋଟଛୋଟ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ରହିଛି ନିଶ୍ଚିତ। ତେବେ ଯଦି ଏହି ପିଲା ସ୍କୁଲ ନଆସନ୍ତି ତେବେ ଶିକ୍ଷା କିପରି ଦିଆଯିବ? ଏଭଳି ଏକ ପରିସ୍ଥିତିର ସମାଧାନ ଖୋଜି ବାହାର କରିଛନ୍ତି ତାମିଲନାଡ଼ୁ କୋଇମ୍ବାଟୁର ଜିଲାର କୋନରପଲାୟମ ଗ୍ରାମରେ। ଏହି ଗ୍ରାମର ପ୍ରାଇମେରୀ ସ୍କୁଲରେ ପ୍ରଥମ ୧୦ଜଣ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ୧ଗ୍ରାମର ଏକ ସ୍ୱର୍ଣ୍ଣ ମୁଦ୍ରା ଦିଆଯିବା ସହ ୫ହଜାର ଟଙ୍କା ଓ ଦୁଇ ହଳ ସ୍କୁଲ ପୋଷାକ ପ୍ରଦାନ କରିବାକୁ ଘୋଷଣା କରାଯାଇଛି।
ସ୍କୁଲର ପ୍ରଧାନଶିକ୍ଷକ ରାଜେଶ ଚନ୍ଦ୍ରକୁମାର ବାୟ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯିବା ପରେ ଅଦ୍ୟାବଧି ସ୍କୁଲରେ ୩ଜଣ ଛାତ୍ର ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି। ଏହି ସ୍କୁଲରେ ୧୯୯୬ରେ ୧୬୫ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିଲେ। ସ୍କୁଲ ମଧ୍ୟ ଭଲ ଚାଲିଥିଲା। ତେବେ ଗ୍ରାମରେ କୃଷି ସମସ୍ୟା ହେତୁ ଗ୍ରାମର କୃଷକ ଉକ୍ତ ଗ୍ରାମ ପରିତ୍ୟାଗ କରିବାକୁ ଲାଗିଲେ। ଫଳରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଦୃତବେଗରେ କମିବାକୁ ଲାଗିଲା। ୧୯୯୦ରେ ସ୍କୁଲର ଅବସ୍ଥା ବେଶ୍ ଶୋଚନୀୟ ହୋଇ ପଡ଼ିଲା। କାରଣ ସ୍କୁଲରେ ମାତ୍ର ୧୦ଜଣ ଛାତ୍ରଛାତ୍ରୀ ଅବଶିଷ୍ଟ ରହିଥିଲେ। କ୍ରମଶଃ ଇଂରାଜୀ ମିଡିୟମ ସ୍କୁଲ ପ୍ରତି ଅଭିଭାବକଙ୍କ ଆଗ୍ରହ ସ୍କୁଲର ଅବସ୍ଥାକୁ ଅଧିକ ସଙ୍ଗୀନ କରିଦେଲା। ଗ୍ରାମରେ ମୋଟ୍ ୬୫ଟି ପରିବାର ବସବାସ କରୁଥିବାବେଳେ ବିଗତ ଶିକ୍ଷା ବର୍ଷରେ ମାତ୍ର ୬ଜଣ ଛାତ୍ରଛାତ୍ରୀ ସେମାନଙ୍କ ପାଠ୍ୟକ୍ରମ ସମ୍ପନ୍ନ କରିଥିଲେ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ନିୟମ ସ୍କୁଲ ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଛି। ଯେଉଁ ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀ ରହିବେ ଉକ୍ତ ସ୍କୁଲର ମାନ୍ୟତାକୁ ରଦ୍ଦ କରାଯିବ। ଏପରିକି ସ୍କୁଲର କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଦିଆଯିବ। ଏଭଳି ନିର୍ଦେଶ ପରେ ସ୍କୁଲ ପ୍ରଧାନଶିକ୍ଷକ ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ। ସ୍କୁଲ ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମର ଜନୈକ ବ୍ୟବସାୟୀ ଏକ ଗ୍ରାମର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିବାକୁ ଘୋଷଣା କରିଥିବାବେଳେ ଗ୍ରାମ ମୁଖିଆ ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।