ମରୱାଡ଼ ରାଜମାତା କୃଷ୍ଣା କୁମାରୀଙ୍କ ପରଲୋକ
ଯୋଧପୁର : ମରୱାଡ ରାଜପରିବାରର ରାଜମାତା ତଥା ପୂର୍ବତନ ସାଂସଦ କୃଷ୍ଣା କୁମାରୀଙ୍କର ମଙ୍ଗଳବାର ପୂର୍ବାହ୍ଣରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ରାଜମାତା ରବିବାର ହୃଦ୍ଘାତର ଶିକାର ହେବା ପରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତି ୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି। ଉମ୍ମେଦ ରାଜପ୍ରାସାଦଠାରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବରିଷ୍ଠ ନେତା ଅଶୋକ ଗେହଲଟ୍ଙ୍କ ସମେତ ବହୁ ନେତା ଏବଂ ବିଶିଷ୍ଟ ବ୍ୟକ୍ତି ରାଜପ୍ରାସାଦରେ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଅପରାହ୍ଣରେ ଯଶୱନ୍ତ ଥାଡାସ୍ଥିତ ରାଜଶ୍ମଶାନଠାରେ ତାଙ୍କର ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ଗୁଜରାଟର ଧରଙ୍ଗଗଡ଼ ରାଜକୁମାରୀ କୃଷ୍ଣାଙ୍କ ବିବାହ ୧୯୪୩ରେ ମାରୱାଡ ରାଜା ହନୱନ୍ତ ସିଂହଙ୍କ ସହିତ ଅନୁଷ୍ଠିତ ହୋଇଥିଲା। ୧୯୫୨ରେ ଏକ ବିମାନ ଦୁର୍ଘଟଣାରେ ରାଜାଙ୍କ ପରଲୋକ ପରେ ସେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତାଙ୍କର ଦୁଇ ଝିଅ ଚନ୍ଦ୍ରେଶ କୁମାରୀ ଓ ଶୈଳେଶ କୁମାରୀ ଏବଂ ପୁଅ ତଥା ମାରୱାଡ ରାଜା ଗଜ ସିଂହ ଅଛନ୍ତି। ଚନ୍ଦ୍ରେଶ ଏବଂ ଗଜ ସିଂ ପୂର୍ବତନ ସାଂସଦ ଅଟନ୍ତି।