ଦଳ ଛାଡ଼ି ବିଜେପିରେ ମିଶିଲେ ଗୁଜରାଟ କଂଗ୍ରେସ ନେତା ବଭାଲିଆ
ଅହମ୍ମଦାବାଦ : ଗୁଜରାଟ କଂଗ୍ରେସ ବିଧାୟତ ତଥା ବରିଷ୍ଠ ନେତା (ପଛୁଆ ବର୍ଗ) କୁଅଁରଜୀ ବଭାଲିଆ ଦଳତ୍ୟାଗ କରି ମଙ୍ଗଳବାର ବିଜେପିରେ ଯୋଗଦେଇଛନ୍ତି। ଏଥିସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ଗୁଜରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କୋଲି ସମ୍ପ୍ରଦାୟର ବରିଷ୍ଠ ତଥା ପ୍ରମୁଖ ନେତା ବଭାଲିଆଙ୍କ ଦଳ ତ୍ୟାଗ ଦ୍ୱାରା କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଗୁଜରାଟରେ ଦଳୀୟ ନେତୃତ୍ୱର କାର୍ଯ୍ୟକାରିତା ଉପରେ ଅସନ୍ତୋଷ ଯୋଗୁ ସେ କଂଗ୍ରେସ ଛାଡିବାକୁ ବାଧ୍ୟ ହୋଇଛନ୍ତି ବୋଲି ବଭାଲିଆ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟ୍ୱିଟ୍ କରି ଜଣାଇଛନ୍ତି। ଏ ନେଇ ସେ ଏକ ମାସ ପୂର୍ବେ ନିଜ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ରାହୁଲ ତାଙ୍କୁ ନୂଆଦିଲ୍ଲୀ ଡକାଇ ଆଲୋଚନା କରିଥିଲେ। ମାତ୍ର ପରିସ୍ଥିତି ସୁଧୁରି ନ ଥିଲା। ଯଶଦାନ ଆସନରୁ ୪ ଥର ବିଧାୟକ ନିର୍ବାଚିତ ହୋଇଥିବା ବଭାଲିଆ ଖୁବ୍ଶୀଘ୍ର ବିଜେପିରେ ସାମିଲ ହେବେ। ଇସ୍ତଫା ପରେ ତୁରନ୍ତ ସେ ବିଜେପିର ରାଜ୍ୟ ମୁଖ୍ୟାଳୟକୁ ଯାଇ ବରିଷ୍ଠ ନେତାଙ୍କୁ ଭେଟିଥିଲେ।