ଚିଦମ୍ବରମ୍ଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢିଲା
ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମ୍ଙ୍କ ଅନ୍ତରୀଣ ସୁରକ୍ଷା ଅବଧି ଅଗଷ୍ଟ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଚିଦମ୍ବରମ୍ଙ୍କୁ ଏହି ମାମଲାରେ ଗିରଫଦାରୀରୁ ଆଉ ଏକମାସ ପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଅଯଥାରେ ତାଙ୍କ ସମ୍ପୃକ୍ତି ଦର୍ଶାଇ ହଇରାଣ କରାଯାଉଛି ବୋଲି ଚଦମ୍ବରମ୍ଙ୍କ ଓକିଲ ଅଭିଯୋଗ କରି ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ମେ’ ୩୧ରେ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ବିଚାରପତି ଏ. କେ. ପାଠକ୍ ଜୁଲାଇ ୩ ପର୍ଯ୍ୟନ୍ତ ଚିଦମ୍ବରମ୍ଙ୍କୁ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରଥିଲେ। ଏଥିସହ ମାମଲାର ତଦନ୍ତରେ ସିବିଆଇକୁ ସମସ୍ତ ସହଯୋଗ କରିବାକୁ ତାଙ୍କୁ ବିଚାରପତି ନିର୍ଦେଶ ଦେଇଥିଲେ। ଏୟାରସେଲ୍- ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କରାଯାଇଥିବା ଅନ୍ୟ ଏକ ମାମଲାରେ ମଧ୍ୟ ଚିଦମ୍ବରମ୍ଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି।