ନେପାଳରୁ ଉଦ୍ଧାର ହେଲେ ୧୦୪ ମାନସରୋବର ତୀର୍ଥଯାତ୍ରୀ, ଜଣେ ମୃତ
ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ନେପାଳରେ ଫସିରହିଥିବା କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଏପର୍ଯ୍ୟନ୍ତ ନେପାଳରୁ ୧୦୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ଓ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପାଖାପାଖି ଦେଢ ହଜାର ତୀର୍ଥଯାତ୍ରୀ ପୃଥକ ପୃଥକ ଅଞ୍ଚଳରେ ଫସି ରହିଛନ୍ତି। ସିମିକୋଟରେ ଫସିରହିଥିବା ୫୨୫ ଜଣ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ପାଇଁ ସେଠାକୁ ଦୁଇଟି ବିମାନ ପଠାଯାଇଛି। ହିଲସାରେ ଫସିରହିଥିବା ଶତାଥିକ ତୀର୍ଥଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ସେଠାରେ ଆନ୍ଧ୍ରପ୍ରଦେଶର ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ଓ ଏନେଇ ପଚାରି ବୁଝିଥିବା ସୂଚନା ମିଳିଛି। କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରିଛନ୍ତି ଯେ ଫସିରହିଥିବା ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନେପାଳ ସରକାରଙ୍କୁ ହେଲିକପ୍ଟର ଯୋଗାଇ ଦେବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ବିଦେଶ ମନ୍ତ୍ରାଳୟ ଏବଂ ଉଦ୍ଧାରକାରୀ ଦଳର ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଭାରତୀୟ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଯଥାସମ୍ଭବ ସାହାଯ୍ୟ ପହଞ୍ଚାଇବାକୁ ସେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ନେପାଳସ୍ଥିତ ଭାରତୀୟ ଦୂତାବାସ ଘଟଣା ସମ୍ପର୍କରେ ସୂଚନା ଦେଉଛି ଓ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛି। ପ୍ରବଳ ବର୍ଷା ଏବଂ ଖରାପ ପାଣିପାଗ ଯୋଗୁଁ ସିମିକୋଟ ତଳଭାଗରେ ଫସିରହିଥିବା ୧୦୪ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହିଲସା ଅଣାଯାଇଛି। ହିସଲାରେ ମୃତ ଭାରତୀୟ ତୀର୍ଥଯାତ୍ରୀଙ୍କ ଘର ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଓ ତାଙ୍କ ନାମ ଜି. ସୁବାରାଓ ବୋଲି ଜାଣିବାକୁ ମିଳିଛି। ତାଙ୍କ ଶବକୁ ନେପାଳଗଞ୍ଜ ଅଣାଯାଇଛି। ବ୍ୟବଚ୍ଛେଦ ପରେ ଶବକୁ ଭାରତ ପଠାଯିବ। ନେପାଳସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁସାରେ ସିମିକୋଟରେ ୫୨୫, ହିଲଦାରେ ୫୫୦ ,ବଂ ତିବ୍ବତରେ ୫୦୦ ତୀର୍ଥଯାତ୍ରୀ ଫସି ରହିଛନ୍ତି। ଭାରତୀୟ ଦୂତାବାସ ନେପାଳଗଞ୍ଜ, ସିମିକୋଟ ଏବଂ ହିଲସା ଉପରେ ନଜର ରଖିଛି।
ମଙ୍ଗଳବାର ସକାଳୁ ଏଠାରେ ପାଣିପାଗ ହଠାତ୍ ଖରାପ ହୋଇଯାଇଥିଲା। ଫଳରେ ବିମାନ ଚଳାଚଳ ବାତିଲ କରିଦିଆଯାଇଥିଲା। ଭାରତୀୟ ଦୂତାବାସ ତୀର୍ଥଯାତ୍ରୀଙ୍କ ସମ୍ପର୍କୀୟଙ୍କ ପାଇଁ ଭିନ୍ନ ଭିନ୍ନ ଭାଷାରେ ହଟ୍ଲାଇନ୍ ନମ୍ବର ଜାରି କରିଛି।