ପ୍ରଶାନ୍ତ ଦାସ ଓ ଅଭିନେତା ଶ୍ରୀତମଙ୍କୁ ଇଡି ଜେରା

0

ଭୁବନେଶ୍ୱର, ୩ା୭ (ନି.ପ୍ର): ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ମଙ୍ଗଳବାର ଅଭିନେତା ଶ୍ରୀତମ ଦାସ ହାଜର ହୋଇଥିଲେ। ଷ୍ଟାର କନସଲ୍‌ଟାନ୍ସି ଚିଟଫଣ୍ଡ୍‌ ମାମଲାରେ ଶ୍ରୀତମଙ୍କୁ ଇଡି ପକ୍ଷରୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। ଜେରାରୁ ବାହାରିବା ପରେ ଶ୍ରୀତମ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଷ୍ଟାର କନସଲ୍‌ଟାନ୍ସିର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ଇଡି ପକ୍ଷରୁ ତାଙ୍କୁ ଡକାଯାଇଥିଲା। ସେହିପରି ତ୍ରିବେଣୀ ମହାନ୍ତି ପ୍ରଯୋଜକ ଥିବା ‘ତୁ ଥା’ ମୁଁ ଯାଉଛି ରୁଷି’ ଚଳଚିତ୍ରରେ ସେ ନିର୍ଦେଶନା ଦେବା ସହିତ ଅଭିନୟ କରିଥିଲେ। ଏହି ଚଳଚିତ୍ରରେ କେତେ ଟଙ୍କା ଲାଗିଛି? କଳାକାରମାନଙ୍କୁ କେତେ ଟଙ୍କା ପାରିଶ୍ରମିକ ଭାବେ ଦିଆଯାଇଛି? ତ୍ରିବେଣୀ ମହାନ୍ତିଙ୍କ ସହିତ କିଭଳି ସମ୍ପର୍କ ହୋଇଥିଲା ଏମିତି ଅନେକ ପ୍ରଶ୍ନ ତାଙ୍କୁ ପଚରାଉଚରା କରାଯାଇଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସୂତ୍ରରୁ ଜଣାପଡିଛି। ଷ୍ଟାର କନସଲଟାନ୍ସି ପକ୍ଷରୁ ଏହି ଫିଲ୍ମ ନିର୍ମାଣ ପାଇଁ କଳାକାରମାନଙ୍କୁ ପାରିଶ୍ରମିକ ନଗଦ କିମ୍ବା ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିଲା ମଧ୍ୟ ପଚରାଉଚରା କରାଯାଇଛି। ଶ୍ରୀତମଙ୍କୁ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ସମ୍ପର୍କରେ କାଗଜପତ୍ର ଦାଖଲ କରାଯିବାକୁ କୁହାଯାଇଛି।
ଇଡି କାର୍ୟ୍ୟାଳୟରୁ ବାହାରିବା ପରେ ଶ୍ରୀତମ ଗଣମାଧ୍ୟମକୁ ତାଙ୍କୁ ଇଡିର ଅଧିକାରୀମାନେ କ’ଣ ପଚରାଉଚରା କରିଥିଲେ ସେସବୁର ବିସ୍ତୃତ ସୂଚନା ଦେଇଥିଲେ। ସେ ‘ତୁ ଥା’ ମୁଁ ଯାଉଛି ରୁଷି’ ଚଳଚିତ୍ରର ନିର୍ଦେଶନା ଦେବା ସହିତ ଅଭିନୟ କରିଥିଲେ। ତ୍ରିବେଣୀଙ୍କ ପ୍ରଯୋଜିତ ଫିଲ୍ମରେ ସେ ନିର୍ଦେଶନା ଦେଇଥିବାରୁ ଇଡି ତାଙ୍କୁ ପଚରାଉଚରା କରିଥିଲା। ସେ ମଧ୍ୟ ଇଡି ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି।

kalyan agarbati
Leave A Reply