ବେଆଇନ ଆଧାର କାର୍ଡ ପ୍ରସ୍ତୁତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ : ୟୁଆଇଡିଏଆଇ

0

ନୂଆଦିଲ୍ଲୀ : ଆଧାର କାର୍ଡ ମାଧ୍ୟମରେ ତଥ୍ୟ ଚୋରୀ ହେଉଥିବା ନେଇ ଅଭିଯୋଗ ପରେ ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ(ୟୁଆଇଡିଏଆଇ) ଏବେ ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ବ୍ୟାଙ୍କ, ଡାକଘର ଏବଂ ଅନ୍ୟାନ୍ୟ ସରକାରୀ କେନ୍ଦ୍ର ବାହାରେ ବେଆଇନ ଭାବେ ଆଧାର କାର୍ଡ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଉଥିବା ଲୋକ ତଥା ସଂସ୍ଥା ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ , ଏବେ ଆଧାର କାର୍ଡ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ସମସ୍ତ ଉପକରଣର ଅନୁଧ୍ୟାନ ପାଇଁ ଜିପିଏସ୍‍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯଦି କୌଣସି ଉପକରଣର ବ୍ୟବହାର ନିର୍ଦ୍ଧାରିତ କେନ୍ଦ୍ରର ବାହାରେ କରାଯାଉ ଥିବା ଜଣାପଡିବ ତେବେ ତାହା ପ୍ରାଧିକରଣର ସ୍କାନରକୁ ଆସିଯିବ। ସେହି ଅନୁଷ୍ଠାନ ତଥା ସଂସ୍ଥା ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ସହିତ ବିଭିନ୍ନ ଆଇନ ଅନୁସାରେ ମୋକଦ୍ଦମା ଦାୟର କରାଯିବ।
ୟୁଆଇଡିଏଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏ.ବି ପାଣ୍ଡେ କହିଛନ୍ତି ଯେ, ସରକାରଙ୍କ ଯାବତୀୟ ପ୍ରୟାସ ପରେ ମଧ୍ୟ ଦେଶର କିଛି ଭାଗରେ ସରକାରୀ କେନ୍ଦ୍ର ନିକଟରେ ଆଧାର କାର୍ଡ ପ୍ରସ୍ତୁତ ନେଇ ଅଭିଯୋଗ ଆସିଥିଲା ଏବଂ ସେମାନଙ୍କ ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ତେଣୁ ଏବେ ପ୍ରାଧିକରଣ ପକ୍ଷରୁ କଠୋର ଆଭିମୁଖ୍ୟ ସ୍ୱରୂପ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟ ପକ୍ଷରେ ବ୍ୟାଙ୍କ, ଡାକଘର ଏବଂ ଅନ୍ୟାନ୍ୟ ସରକାରୀ କେନ୍ଦ୍ରରେ ହିଁ ଆଧାର କାର୍ଡ ପ୍ରସ୍ତୁତି ଏବଂ ସଂଶୋଧନ ପାଇଁ ୟୁଆଇଡିଏଆଇ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି।
ତେବେ ବର୍ତ୍ତମାନ ଦେଶର ୧୫,୦୦୦ ବ୍ୟାଙ୍କ ଓ ଡାକଘରେ ଆଧାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଆଗାମୀ ଦିନରେ ଏହି ସଂଖ୍ୟାକୁ ୨୨,୦୦୦ କରାଯିବ ଏବଂ ସମସ୍ତ କେନ୍ଦ୍ରକୁ ଜିପିଏସ୍‍ ସ୍କାନରରେ ରଖାଯିବ। ଏବେ ସାରା ଦେଶରେ ୧୨୧ କୋଟି ଲୋକଙ୍କର ଆଧାର କାର୍ଡ ପ୍ରସ୍ତୁତ ହୋଇ ସାରିଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

kalyan agarbati
Leave A Reply