ଗୁଣ ଚିହ୍ନେ ଗୁଣିଆ
ଏଭଳି ଅନେେକ ଥାଆନ୍ତି ଯେଉଁମାନେ ସକଳପ୍ରକାର ସୁବିଧା ସୁଯୋଗ ପାଇ ବାଲ୍ୟକାଳ ଅତିବାହିତ କରିଥାନ୍ତି। ନିଜକୁ ପ୍ରତିଷ୍ଠିତ କରିବା ପାଇଁ ତାଙ୍କ ନିକଟରେ ସବୁ ପ୍ରକାର ସାଧନ ଥାଏ, ହେଲେ ସେମାନେ ଯୋଗ୍ୟ ହୋଇପାରି ନଥାନ୍ତି। ଅନ୍ୟପକ୍ଷରେ ବାଲ୍ୟକାଳରୁ ନିରନ୍ତର ଦୁଃଖଦୁର୍ଦଶା, ଅଭାବଅନଟନ ସହ ସଂଗ୍ରାମ କରି ଅନେକେ ଦୃଢ଼ପ୍ରତିଜ୍ଞ ହୋଇ ଆଗକୁ ବଢ଼ିଥାଆନ୍ତି। ସେମାନଙ୍କର ବଡ଼ ହେବାପାଇଁ ପ୍ରବଳ ସ୍ପୃହା ଓ ଏହାକୁ କାର୍ଯ୍ୟକାରୀ କରିବାପାଇଁ ନିଷ୍ଠା ହିଁ ତାଙ୍କୁ ଶ୍ରେଷ୍ଠତ୍ବ ପ୍ରାପ୍ତି ଆଡ଼କୁ ନେଇଯାଇଥାଏ। ଏକ ବାକ୍ୟରେ କହିଲେ ପର୍ଯ୍ୟାପ୍ତ ସୁଖସୁବିଧା ନୁହଁ, ଦୁଃଖକଷ୍ଟର ଜ୍ବଳନ ଭିତରେ ହିଁ ପ୍ରତିଭା ବିକଶିତ ହୋଇଥାଏ, ମଣିଷପଣିଆ ଉକୁଟି ଉଠିଥାଏ।
ପ୍ରାଚୀନ ୟୁନାନ୍ ପ୍ରଦେଶର ଏହି ଘଟଣା। ବାଳକଟି ଅତି ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲା। ହେତୁ ପାଇବା ଦିନରୁ ମୁଣ୍ଡରେ ପଡ଼ିଥିଲା ପରିବାର ପ୍ରତିପୋଷଣର ଦୁର୍ବିସହ ଭାର। ଛୋଟ ପିଲାଟିର ସାମର୍ଥ୍ୟ ବା କେତେ, କ’ଣ ବା କଠିନ ପରିଶ୍ରମ କରିପାରିବ ସେ? ଜଙ୍ଗଲରୁ କାଠ ସଂଗ୍ରହ କରି ଆଣି ବଜାରରେ ବିକ୍ରି କରି ଯାହାକିଛି ଅର୍ଥ ଉପାର୍ଜନ କରୁଥିଲା ସେଥିରେ ଯେନତେନ ପ୍ରକାରେ ପରିବାର ଚଳୁଥିଲା। ଦିନସାରା ଜଙ୍ଗଲରୁ ଜାଳେଣି ସଂଗ୍ରହ କରି ସନ୍ଧ୍ୟାରେ ନିକଟସ୍ଥ ବଜାରରେ ବିକ୍ରି କରିବା ଥିଲା ନିତ୍ୟନୈମିତ୍ତିକ କର୍ମ।
ସେ ଦିନ ଜଣେ ସଜ୍ଜନ, ବିଦ୍ବାନ ବ୍ୟକ୍ତି ବଜାରରେ ବୁଲୁଥିବାବେଳେ କାଠ କାଟୁଥିବା ବାଳକ ସଂସ୍ପର୍ଶରେ ଆସିଥିଲେ। ଲକ୍ଷ୍ୟକଲେ ବାଳକଟିର କାଠ ବିଡ଼ା ବାନ୍ଧିବା ଶୈଳୀ ନିଆରା। ନିକଟକୁ ଯାଇ ପଚାରିଥିଲେ- କ’ଣ ତୁମେ ନିଜେ ଏହି ବିଡ଼ା ବାନ୍ଧିଛ?
ହଁ ସାହେବ! ମୁଁ ନିଜେ ହିଁ ବାନ୍ଧିଛି।
ଏହାକୁ ଖୋଲି ଦିଆଗଲେ ତୁମେ ନିଜେ ଆଉଥରେ ବାନ୍ଧି ପାରିବ କି- ସଜ୍ଜନ ପ୍ରଶ୍ନ କଲେ।
ପିଲାଟି ତତ୍କ୍ଷଣାତ ଅତି ଆଗ୍ରହରେ ହଁ ଭରିଥିଲା ଓ ସଜ୍ଜନ ଏହାକୁ ଖୋଲି ଦେଇଥିଲେ। ବାଳକଟି ପୁଣି ବାନ୍ଧି ଦେଇଥିଲା ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ଭାବରେ ନିଷ୍ଠାର ସହ ଏବଂ ଫୁର୍ତ୍ତିରେ।
ପିଲାଟିର ନିଷ୍ଠା, ଏକାଗ୍ରତା ଓ କଳାତ୍ମକ ପ୍ରତିଭାକୁ ଗୁଣ ଚିେହ୍ନ ଗୁଣିଆ ଭଳି ବାରି ନେଇଥିଲେ ସଜ୍ଜନ। ଏଥିରେ ଖୁବ୍ ପ୍ରଭାବିତ ହୋଇଥିଲେ। ବାଳକଠାରେ ସେ ଉଜ୍ବଳ ଭବିଷ୍ୟତ, ସମ୍ଭାବନାମୟ ଆଗାମୀକୁ ନଜରରେ ରଖି କହିଥିଲେ- ଆଚ୍ଛା, ତୁମେ ମୋ ସହିତ ଯିବ କି? ମୁଁ ତୁମକୁ ସାଥିରେ ନେଇ, ନିଜ ପାଖରେ ରଖିବି, ପାଠ ପଢ଼ାଇବି, ତୁମର ସମସ୍ତ ଖର୍ଚ୍ଚ ବହନ କରିବି। ବାଳକ କିଛି ସମୟ ଭାବି ସ୍ବୀକୃତି ଦେଇଥିଲା।
ବାଳକଟିକୁ ନେଇ ସଜ୍ଜନ ନିଜ ପାଖରେ ରଖିବାସହ ତାକୁ ଉପଯୁକ୍ତ ଶିକ୍ଷା ଦେଲେ। ସଜ୍ଜନ ବାଳକ ଉପରେ ଏତେ ଖୁସି ହୋଇଯାଇଥିଲେ ନିଜେ ମଧ୍ୟ ତାକୁ ପଢ଼ାଇବାସହ ନୂଆନୂଆ ତଥ୍ୟ ସମ୍ପର୍କରେ ଶିକ୍ଷା ଦେଉଥିଲେ। କିଛି ବର୍ଷ ପରେ ବାଳକଟି ଉଚ୍ଚଶିକ୍ଷିତ ହୋଇଯାଇଥିଲା ଓ ଅଗାଧ ଜ୍ଞାନର ଅଧିକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ବାଳକ ଗ୍ରୀସର ପ୍ରସିଦ୍ଧ ଦାର୍ଶନିକ ପିଥାଗୋରସ ନାମରେ ଖ୍ୟାତିଲାଭ କରିଥିଲେ। ଯେଉଁ ସଜ୍ଜନ ତାଙ୍କୁ ନିଜ ନିକଟରେ ରଖି ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ ସେ ଥିଲେ ତତ୍ତ୍ବଜ୍ଞାନୀ ଡେମୋକ୍ରିଟ୍ସ୍।