ଡିଡିସିଏ ଅଧ୍ୟକ୍ଷ ହେଲେ ରଜତ ଶର୍ମା
ନୂଆଦିଲ୍ଲୀ : ଦିଲ୍ଲୀ ଜିଲା କ୍ରିକେଟ ସଂଘ (ଡିଡିସିଏ)ର ନୂଆ ଅଧ୍ୟକ୍ଷ ଭାବେ ଇଣ୍ଡିଆ ଟିଭିର ମୁଖ୍ୟ ସମ୍ପାଦକ ରଜତ ଶର୍ମା ଏବଂ ଉପାଧ୍ୟକ୍ଷ ଭାବେ ରାକେଶ କୁମାର ବଂସଲ ନିର୍ବାଚିତ ହୋଇଛନ୍ତି। ଡିଡିସିଏ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ୫୪.୪୦% ଭୋଟ ପାଇଛନ୍ତି ଓ ଉପାଧ୍ୟକ୍ଷ ବଂସଲ ୪୮.୮୭% ଭୋଟି ପାଇଛନ୍ତି। ନିର୍ବାଚନରେ ବିଜୟ ହେବା ପରେ ରଜତ ଶର୍ମା ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଥିଲେ। ଏହାସହ ସମସ୍ତ ସଦସ୍ୟଙ୍କୁ ସେ ହାତରେ ହାତ ମିଶାଇ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରିଥିଲେ। ଉଲ୍ଲେଖ ଯେ ଏହି ନିର୍ବାଚନ ପାଇଁ ଡିଡିସିଏରେ ୪ ଦିନ ପର୍ଯ୍ୟନ୍ତ ମତଦାନ ହୋଇଥିଲା। ମୋଟ ୭୨% ଭୋଟ ଦାନ ହୋଇଥିଲା। ନିର୍ବାଚିତ ହେବା ପରେ ରଜତ ଶର୍ମା ୩ ବର୍ଷ ପର୍ଯ୍ୟନ୍ତ ଡିଡିସିଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ରଜତ ଶର୍ମାଙ୍କ ବିପକ୍ଷରେ ପୂର୍ବତନ କ୍ରିକେଟର ମଦନଲାଲ ପ୍ରାର୍ଥୀ ହୋଇଥିଲେ। ରଜତ ଶର୍ମା ୫୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।