ବିଚାରପତିଙ୍କ ଚୌକି ସହ ସେଲ୍ଫି ନେଇ ଜେଲ୍ ଗଲା ପୁଲିସ୍
ଭୋପାଳ : ଏବେ ଯୁବ ପିଢି ମଧ୍ୟରେ ସେଲ୍ଫି କ୍ରେଜ୍ ଦେଖିବାକୁ ମିଳୁଛି। ମଜା ପାଇଁ ଲୋକେ ସେଲ୍ଫି ନେଇଥାନ୍ତି। କିଛି ମୁହୂର୍ତ୍ତକୁ ସ୍ମୃତି ମଧ୍ୟରେ ଧରି ରଖିବା ପାଇଁ ସେଲ୍ଫିକୁ ଅନେକ ପ୍ରାଧାନ୍ୟ ଦେଉଛନ୍ତି। ତେବେ ମଧ୍ୟପ୍ରଦେଶରେ ଜଣେ ପ୍ରଶିକ୍ଷଣ ନେଉଥିବା ପୁଲିସ୍ କର୍ମୀଙ୍କ ପାଇଁ ବିଚାରପତିଙ୍କ ଚୌକି ସହ ସେଲ୍ଫି ନେବା ମହଙ୍ଗା ପଡିଛି। ଏପରିକି ତାଙ୍କୁ ଜେଲ୍ ଯିବାକୁ ପଡିଛି। ସୂଚନା ଅନୁସାରେ ମଧ୍ୟପ୍ରଦେଶ ଉମାରିଆ ଜିଲା ଅଦାଲତ ଭିତରେ ପ୍ରଶିକ୍ଷାର୍ଥୀ ପୁଲିସ୍ କର୍ମୀ ରାମ ଅଭତାର ରାୱତ ବିଚାରପତିଙ୍କ ଚୌକି ସହ ସେଲ୍ଫି ନେଉଥିଲେ। ସେଠରେ ଥିବା କୋର୍ଟର ଜଣେ କର୍ମଚାରୀ ତାଙ୍କୁ ଏଥିପାଇଁ ବାରଣ କରିଥିଲେ। ହେଲେ ସେ କୋର୍ଟ କର୍ମଚାରୀ ଜଣଙ୍କୁ ଦୁର୍ବ୍ୟବହାର କରି ସେ ପୁଲିସ୍ ତାଙ୍କ ମନ ଯାହା ତାହା କରିବେ ବୋଲି କହିଥିଲେ। କୋର୍ଟ କର୍ମଚାରୀ ଜଣକ ଏନେଇ ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ୍କୁ ଡାକିଥିଲେ। ପୁଲିସ୍ ପହଞ୍ଚି ରାୱତଙ୍କୁ ଗିରଫ କରିଥିଲା। ରାୱତଙ୍କ ବିରୋଧରେ ଆଇପିସି ଧାରାରେ ଅବାଧ ପ୍ରବେଶ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଥିଲା। ସେଠାରେ ସେ ଜାମିନ ପାଇଥିବା ସୂଚନା ମିଳିଛି।