୨୦୦ ଟଙ୍କା ବଢ଼ିପାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)ରେ କୁଇଣ୍ଟାଲ ପିଛା ୧୩% ବୃଦ୍ଧିି ଘଟାଇବାକୁ ଯୋଜନା କରୁଛନ୍ତି। ଏହାହେଲେ ଧାନ ଏମ୍ଏସ୍ପିରେ ୨୦୦ ଟଙ୍କା ବୃଦ୍ଧି ଘଟି କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ହେବ। ଧାନ ବ୍ୟତୀତ ସରକାର ଅନ୍ୟ ୧୩ ଖରିଫ୍ ଫସଲର ଏମ୍ଏସ୍ପିରେ ମଧ୍ୟ ବୃଦ୍ଧିି ଘଟାଇପାରନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ। ଆସନ୍ତା କ୍ୟାବିନେଟ୍ ବୈଠକରେ ଧାନର ଏମ୍ଏସ୍ପିରେ ଅତିକମ୍ରେ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ବୃଦ୍ଧି କରାଯିବ ବୋଲି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ।
ଚଳିତବର୍ଷ ସାଧାରଣ କିସମ ଧାନର ଏମ୍ଏସ୍ପି କୁଇଣ୍ଟାଲ ପିଛା ୧୫୫୦ ଟଙ୍କା ଏବଂ ଗ୍ରେଡ୍ ଏ ମୂଲ୍ୟ ୧୫୯୦ ଟଙ୍କା ରହିଛି। ସାଧାରଣତଃ ବୁଣାବୁଣି ସମୟ ଆରମ୍ଭ ପୂର୍ବରୁ ଫସଲର ଏମ୍ଏସ୍ପି ଘୋଷଣା କରାଯାଇଥାଏ। ଏହା ସେଥର କେଉଁ ଫସଲ କରିବ ସେ ନେଇ ଚାଷୀକୁ ସହାୟକ ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା କ୍ଷଣି ଫସଲ ବୁଣା ଆରମ୍ଭ ହୋଇଯାଇଥାଏ। ବର୍ତ୍ତମାନ ଦେଶରେ ଫସଲ ବୁଣାବୁଣି ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଚଳିତଥର ଏମ୍ଏସ୍ପି ଘୋଷଣା ବିଳମ୍ବିତ ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଅତିକମ୍ରେ ୧.୫ ଗୁଣ ଧାର୍ଯ୍ୟ କରିବା ନେଇ ଚଳିତବର୍ଷ ସାଧାରଣ ବଜେଟ୍ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଏହା ନିର୍ବାଚନୀ ପ୍ରତିଶ୍ରୁତି ରହିଥିଲା।