ଶତାଧିକ ଆହତ ପଥର ଫିଙ୍ଗାଳିଙ୍କୁ ବଞ୍ଚାଇଥିବା ଡାକ୍ତର ନିଜ ପୁଅକୁ ହରାଇଲେ

0

ଶ୍ରୀନଗର : ଦିନ ତମାମ ଡାକ୍ତରଖାନାରେ ସୁରକ୍ଷା କର୍ମୀ ଓ ପଥର ଫିଙ୍ଗାଳିଙ୍କ ମଧ୍ୟରେ ସଂଘର୍ଶରେ ସଂଖ୍ୟାଧିକ ଆହତଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ନିଜ ପୁଅକୁ ହରାଇବାକୁ ପଡ଼ିଛି। ଶୁକ୍ରବାର ପୁଲୱାମା ଜିଲା ଥମୁନା ଗାଁରେ ଗୁଳି ବିନିମୟରେ ୩ଜଣ ଲସ୍କର-ଇ-ତୋଏବା ଆତଙ୍କବାଦୀର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପଥର ଫିଙ୍ଗାଳିଙ୍କ ମଧ୍ୟରେ ସଂଘର୍ଶ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଯୁବକ ହେଉଛନ୍ତି ସମ୍ପୃକ୍ତ ଡାକ୍ତର ଅବଦୁଲ ଗନି ଖାଁଙ୍କ ପୁଅ ୧୬ବର୍ଷୀୟ ଫଇଜନ୍‍ ଅହମ୍ମଦ ଖାଁ।
ସୂଚନାନୁଯାୟୀ, ଡାକ୍ତର ଅବଦୁଲ ଦିନ ସାରା ପୁଲୱାମା ଜିଲା ଡାକ୍ତରଖାନାରେ କର୍ତ୍ତବ୍ୟ ଶେଷକରି ସନ୍ଧ୍ୟାରେ ସରକାରୀ ବାସଗୃହକୁ ଫେରିବା ପରେ ହଠାତ୍‍ ତାଙ୍କୁ ପୁନର୍ବାର ଡାକ୍ତରଖାନାକୁ ଆସିବା ପାଇଁ ଡକା ଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବାବେଳକୁ ସେ ଯେଉଁ ଖବର ପାଇଲେ ସେଥିରେ ତାଙ୍କ ପାଦ ତଳୁ ମାଟି ଖସିପଡ଼ିଲା। ସେ ସେହିଠାରେ ହିଁ ଭାଙ୍ଗିପଡ଼ିଲେ। କିଛି କ୍ଷଣ ପୂର୍ବରୁ ଆହତ ପଥର ଫିଙ୍ଗାଳିଙ୍କ ଚିକିତ୍ସା ସାରି ଘରକୁ ଫେରିଥିବା ଡାକ୍ତର ଭାବି ନଥିଲେ ଯେ ତାଙ୍କ ପୁଅ ସମାନ କାମ କରି ସୁରକ୍ଷା କର୍ମୀଙ୍କ ଗୁଳିର ଶିକାର ହେବ। ସାଥୀ ଡାକ୍ତର ଓ କର୍ମଚାରୀଙ୍କଠାରୁ ମିଳିଥିବା ଖବର ଅନୁଯାୟୀ, ସେ କାମ ସାରି ଘରକୁ ଫେରିବା ପର ମୁହୂର୍ତ୍ତରେ ପୁଅ ସେଠାରେ ଗୁରୁତର ଅବସ୍ଥାରେ ପହଞ୍ଚିଥିଲା। ଡାକ୍ତର ଓ କର୍ମଚାରୀମାନେ ତାକୁ ଚିହ୍ନିପାରି ବଞ୍ଚାଇବା ପାଇଁ ଅକ୍ଳାନ୍ତ ପରିଶମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଫଇଜନ୍‍ ଶରୀରରୁ ପ୍ରବଳ ରକ୍ତସ୍ରାବ ହିଁ ତାର ମୃତ୍ୟୁର କାରଣ ହୋଇଥିଲା। ପ୍ରଥମେ ସେମାନେ ଅବଦୁଲଙ୍କ ସହିତ ପୁଅ ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କୁ ମୃତଦେହ ଦେଖାଇଥିଲେ।
ଫଇଜନ୍‍ ସେହି ଡାକ୍ତରଖାନାରେ ଜନ୍ମ ହୋଇଥିଲା। ଡାକ୍ତରଖାନା ପରିସରରେ ଖେଳିକୁଦି ବଡ଼ ହୋଇଥିଲା। ସେହିଠାରେ ହିଁ ତାର ମୃତ୍ୟୁ ଘଟିଲା। ଡାକ୍ତର ଅବଦୁଲଙ୍କୁ ହିଁ ପୁଅର ମୃତ୍ୟୁ ରିପୋର୍ଟରେ ଦସ୍ତଖତ କରିବାକୁ ହୋଇଥିଲା। ଏହା ହିଁ ସବୁଠୁ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ଡାକ୍ତରଖାନା ଅଧୀକ୍ଷକ ରଶିଦ ପାରା। ଫଇଜନ୍‍ର ମୃତଦେହକୁ ପୈତୃକ ଗ୍ରାମ ଲାଡୁରେ ସତ୍କାର କରାଯାଇଥିଲା।

kalyan agarbati
Leave A Reply