ଘରୱାଲରୁ ନିର୍ବାଚନ ଲଢ଼ିବେ ସୌର୍ଯ୍ୟ ଡୋଭାଲ

0

ଡେରାଡୁନ୍‍ : ଉତ୍ତରାଖଣ୍ଡର ଘରୱାଲ ପାର୍ବତ୍ୟାଞ୍ଚଳରେ ଗତ କିଛି କାଳ ଧରି ‘ବେମିସାଲ ଘରୱାଲ ଅଭିଯାନ’ ନାମରେ ଅନେକଗୁଡ଼ିଏ ହୋର୍ଡିଂ ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳୁଛି। ବିଶେଷକରି ଡେରାଡୁନ୍‍ ଓ ପଉରି ଅଞ୍ଚଳରେ ଏଗୁଡ଼ିକ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଏଥିରେ ଦୁଇଟି ଫୋନ୍‍ ନମ୍ବର ଦିଆଯାଇଛି ଓ ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ଯେଉଁମାନେ ବିକଶିତ ଘରୱାଲ ଚାହାନ୍ତି ସେମାନେ ଏହି ନମ୍ବରକୁ ମିସ୍‍ଡ କଲ ଦେବାକୁ ନିବେଦନ କରାଯାଇଚି। ସବୁ ହୋର୍ଡିଂ ଓ ବ୍ୟାନରରେ ଜଣଙ୍କ ଫଟୋ ଦେଖିବାକୁ ମିଳୁଛି; ଯାହାଙ୍କ ନାଁ ହେଉଛି ସୌର୍ଯ୍ୟ ଡୋଭାଲ। ସୌର୍ଯ୍ୟ ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ। ଚର୍ଚ୍ଚା ହେଉଛି କି ସେ ନିଜ ରାଜ୍ୟରେ ରାଜନୈତିକ ଭିତ୍ତିଭୂମି ସଜାଡ଼ୁଛନ୍ତି। ‘କିଛି ଭଲ କାମ କଲେ ଯଦି ଏହାକୁ ରାଜନୀତି ସହିତ ଯୋଡ଼ାଯାଏ ଏବଂ ଏହା ମାଧ୍ୟମରେ ଯଦି ରାଜନୈତିକ ଅଭିପ୍ରାୟ ଚରିତାର୍ଥ ହୁଏ ତାହାହେଲେ ଏହା ଭଲ କଥା ଏବଂ ଅପରିହାର୍ଯ୍ୟ’ ବୋଲି କହନ୍ତି ସୌର୍ଯ୍ୟ।
ଘରୱାଲ ପାର୍ବତ୍ୟାଞ୍ଚଳରେ ରହିଛି ୭ଟି ଜିଲା। ସୌର୍ଯ୍ୟ ପ୍ରାୟ ବର୍ଷେ ହେଲା ‘ଇଣ୍ଡିଆ ଫାଉଣ୍ଡେସନ୍‍’ର ନିର୍ଦେଶକ ଭାବେ ଏହି ଜିଲାଗୁଡ଼ିକରେ ଭ୍ରମଣ କରୁଛନ୍ତି। ଏହି ଅନୁଷ୍ଠାନ କିଛି ଚିନ୍ତାଶୀଳ ବଚକ୍ତିଙ୍କୁ ନେଇ ଗଠିତ; ଯାହା କେନ୍ଦ୍ର ସରକାରଙ୍କ ସହଯୋଗୀ ଭାବେ ଜଣାଶୁଣା। ଏହାରି ମାଧ୍ୟମରେ ସେ ରାଜ୍ୟ ବାହାରୁ ବିଶେଷଜ୍ଞମାନଙ୍କୁ ଆଣି ସମ୍ପୃକ୍ତ ଅଞ୍ଚଳରେ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥିରେ କିଛି ପେସାଦାର ବ୍ୟକ୍ତିଙ୍କୁ ସାମିଲ କରିଛନ୍ତି।
ଆସନ୍ତା ସାଧାରଣ ନିର୍ବାଚନରେ ସୌର୍ଯ୍ୟ ପଉରି ଘରୱାଲ ଆସନରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତି ଚଳାଇଥିବା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ଗତ ଡିସେମ୍ବରରେ ସେ ନିଜ ପୈତୃକ ଗାଁ ଘିଡ଼ିରୁ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ସେ ଏବେ ରାଜ୍ୟ ବିଜେପିର କାର୍ଯ୍ୟକାରୀ କମିଟି ସଦସ୍ୟ ଅଛନ୍ତି। ତାଙ୍କୁ ଏବେ ଉତ୍ତରାଖଣ୍ଡର ବିଜେପି ନେତା ଭାବେ ଚିତ୍ରଣ କରାଯାଉଛି। ନିକଟରେ ବାପାଙ୍କ ପ୍ରଭାବ ବଳରେ ବେଆଇନ ଆର୍ଥିକ କାରବାର ସହିତ ସମ୍ପୃକ୍ତ ଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଓ ଏହା ଦେଶ ସାରା ହଟଚମଟ ସୃଷ୍ଟି କରିଥିଲା। ଏବେ ସେ ପ୍ରସଙ୍ଗ ପ୍ରାୟତଃ ଥମି ଯାଇଛି।

kalyan agarbati
Leave A Reply