www.samajalive.in
Tuesday, December 9, 2025
17.1 C
Bhubaneswar

ଔଷଧ ବଣ୍ଟନ ବେଳେ ଟଳିପଡ଼ିଲେ ଆଶାଦିଦି

ଖୋର୍ଦ୍ଧା : ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାେବଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଡିହଖୋଳା ଗ୍ରାମରେ ଆଶାକର୍ମୀ ଜଣକ ଛୋଟ ପିଲା ଓ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଔଷଧ ବଣ୍ଟନ କରୁଥିବା ବେଳେ ମୃତ୍ୟୁ ଘଟିଛି। ମୃତ ଆଶା କର୍ମୀ ଜଣଙ୍କ ହେଉଛନ୍ତି ଦୁର୍ଗାପୁର ଗ୍ରାମର ପୂର୍ଣ୍ଣମାସୀ ବଳିୟାରସିଂହ(୩୬)। ଗ୍ରାମବାସୀମାନେ ତୁରନ୍ତ ତାଙ୍କୁ ଏକ ଅଟୋ ସାହାଯ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର କୋଭିଡ୍ ପରୀକ୍ଷା କରାଯିବ ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସିଡିଏମ୍ଓ ବିଶ୍ୱରଞ୍ଜନ ପତି କହିଛନ୍ତି। ଆଶା କର୍ମୀଙ୍କ ଘର ଜଙ୍କିଆ ଥାନା ଅଞ୍ଚଳରେ ହୋଇଥିବାରୁ ସ୍ୱାମୀ ବେଣୁଧର ବଳିୟାରସିଂହ ଜଙ୍କିଆ ଥାନାକୁ ଲିଖିତ ଭାବେ ଜଣାଇଥିଲେ।
ପୂର୍ଣ୍ଣମାସୀ ଜଣେ କର୍ତ୍ତବ୍ୟନିଷ୍ଠ ଆଶା କର୍ମୀ ଭାବେ ଜଣା ଶୁଣା। କୋଭିଡ -୧୯ମୁକାବିଲା ପାଇଁ ସେ ନିଷ୍ଠାପର ଭାବେ କାମ କରୁଥିଲେ। ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ବୁଝାଉଥିଲେ। ଖୋର୍ଦ୍ଧା ଜିଲାର ବୁଡି ଅଞ୍ଚଳ ଭାବେ ଜଣାଶୁଣା ଦୁର୍ଗାପୁର, ଡିହଖୋଳା ଓ ହିରିମୁଳ ଆଦି ଗ୍ରାମରେ ସେ ୧୩ବର୍ଷ ଧରି ଆଶା କର୍ମୀ ଭାବେ କାର୍ୟ୍ୟ କରିଆସୁଥିଲେ। ବର୍ଷା ଦିନେ ରାଜୁଆ ନଦୀର ବନ୍ୟା ଜଳ ଆସି ଉକ୍ତ ତିନିଖଣ୍ଡ ଗାଁ ଅନେକ ସମୟରେ ପାଣି ଘେରରେ ରହିଥାଏ। ଜଳବନ୍ଦୀ ସମୟରେ ମଧ୍ୟ ସେ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ସେ ଯୋଗାଉଥିଲେ। ବନ୍ୟା ପାଣି ଛାଡିଲା ପରେ ଓଆରଏସ, ହାଲୋଜିନ ବଟିକା, ମେଲେରିଆ କିଟ ଦ୍ବାରା ରକ୍ତ ପରୀକ୍ଷା କରିବା, ବଢି ଅଞ୍ଚଳରେ ଥିବା କୂଅରେ ନିୟମିତ ବ୍ଲିଚିଂ ପକାଇବା ଆଦି କାର୍ୟ୍ୟ ସୁଚାରୁ ରୂପେ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ବନ୍ୟା ପାଣି ଘେରରେ ଗାଁ ଗୁଡିକ ରହିଥିବା ସମୟରେ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ଯତ୍ନ ନେବା, ଡାକ୍ତରଖାନା ନେଇ ନିରାପଦ ପ୍ରସବ କରାଇବାରେ ଜଣେ ଅନନ୍ୟ ଆଶାକର୍ମୀ ଭାବେ ପରିଗଣିତ ହେଉଥିଲେ।
ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ସ୍ଥାନୀୟ ଲୋକ ଖୋର୍ଦ୍ଧା ଉପଜିଲାପାଳଙ୍କୁ ମୃତ ଆଶା କର୍ମୀଙ୍କ ପରିବାରକୁ ରେଡକ୍ରସରୁ କିଛି ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ। ଉପଜିଲାପାଳ ଅଶୋକ କୁମାର ବେଉରିଆ ସହାୟତା ନିମନ୍ତେ ଅତିରିକ୍ତ ଜିଲାପାଳଙ୍କୁ ସୁପାରିସ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories