ମର୍ସିଡିଜ ଏବଂ କ୍ଷୀର ଉପରେ ସମାନ ଟିକସ ଲଗାଯାଇ ହେବନି : ମୋଦୀ
ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବାକର (ଜିଏସ୍ଟି) ଲାଗୁର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତକାରରେ ମର୍ସିଡିଜ୍ ଏବଂ କ୍ଷୀର ଉପରେ ସମାନ ଟିକସ୍ ଲଗାଯାଇ ହେବନି ବୋଲି କହିଛନ୍ତି। ଏହାସହ ମୋଦୀ କଂଗ୍ରେସ ଏବଂ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ଆମ ବନ୍ଧୁମାନେ ଏକ ପ୍ରକାର ଟିକସ୍ ବ୍ୟବସ୍ଥା ଲାଗୁ କରିବାକୁ କହୁଛନ୍ତି। ଅର୍ଥାତ ଖାଦ୍ୟ ଏବଂ ପାନୀୟ ସହ ଅନ୍ୟ ଦ୍ରବ୍ୟ ଉପରେ ୧୮% ଟିକସ୍ ଲାଗୁ କରାଯିବ। ହେଲେ ଖାଦ୍ୟ ଏବଂ ପାନୀୟ ଏବେ ୦ ରୁ ୫% ଜିଏସ୍ଟି ସ୍ଲାବରେ ଅଛନ୍ତି। ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସ୍ୱରାଜ ପତ୍ରିକାକୁ ୪୫ ମିନ୍ଟର ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ବର୍ଷେ ପୂର୍ବେ ସବୁଠୁ ଭଲ ଏବଂ ସାଧାରଣ ଟିକସ୍ କହି ଜିଏସ୍ଟି ଲାଗୁ କରାଯାଇଥିଲା। କିନ୍ତୁ ସମାଲୋଚକମାନେ ଏହାକୁ ବହୁ ଜଟିଳ ଟିକସ୍ ବୋଲି କହୁଛନ୍ତି ଓସେମାନେ ବାସ୍ତବ କ୍ଷେତ୍ରରେ ଏକ ପ୍ରକାର ଟିକସ୍ ଲାଗୁ କରିବାକୁ ଯୁକ୍ତି ବାଢୁଛନ୍ତି। ଏହାର ଉତ୍ତରରେ ମୋଦୀ କହିଥିଲେ ଯେ ଏକ ପ୍ରକାର ଟିକସ୍ ଲାଗୁ କରିବା ବହୁ ସହଜ। ଏପରି ହେଲେ ଆମେ ଶୂନ % ଟିକସ୍ ସ୍ଲାବରେ ଖାଦ୍ୟ ଏବଂ ପାନୀୟକୁ ରଖି ପାରିବୁନି। ମର୍ସିଡିଜ ଏବଂ କ୍ଷୀରକୁ ଏକ ପ୍ରକାର ଟିକସ୍ ସ୍ଲାବରେ ରଖାଯାଇହେବନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଏସ୍ଟିର ଅନେକ ଫାଇଦା ଗଣାଇଥିଲେ ଓ କହିଥିଲେ ଯେ ଦେଶ ସ୍ୱାଧୀନ ହେବା ପରଠାରୁ ଜିଏସ୍ଟି ଲାଗୁ ହେବା ପର୍ଯ୍ୟନ୍ତ ୬୬ ଲକ୍ଷ ଉଦ୍ୟୋଗ ପଞ୍ଜିକରଣ ହୋଇଥିଲା। ଜିଏସ୍ଟି ଲାଗୁ ହେବାର ମାତ୍ର ବର୍ଷକ ମଧ୍ୟରେ ୪୮ ଲକ୍ଷ ନୂଆ ଉଦ୍ୟୋଗ ପଞ୍ଜିକରଣ ହୋଇଛି। ଏହି ବର୍ଷେ ମଧ୍ୟରେ ୩୫୦ କୋଟିର ବିଲ୍ ଏବଂ ୧୧ କୋଟି ଟଙ୍କାର ଆୟକର ଟିଟର୍ଣ୍ଣ ଦାଖଲ ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ଚେକ୍ ପୋଷ୍ଟ ହଟାଇ ଦିଆଯାଇଛି ଓ ରାଜ୍ୟଗୁଡ଼ିକର ପ୍ରବେଶ ପଥରେ ଏବେ ଗାଡ଼ିଙ୍କ ଲମ୍ବା ଧାଡି ଲାଗୁନାହିଁ।