ଆସନ୍ତୁ ଜାଣିବା ଠାକୁର ଘରେ କ’ଣ ରଖିବା ଉଚିତ୍ ଓ କ’ଣ ନୁହେଁ
ପ୍ରତିଦିନ ସକାଳୁ ଉଠି ନିତ୍ୟକର୍ମ ଶେଷ କରିବା ପରେ ସଭିଁଙ୍କ ଘରେ ଠାକୁରଙ୍କ ପୂଜା ହୋଇଥାଏ । ଦୀପ, ଧୂପ, ଝୁଣା, ଭୋଗ ଆଦି ଭଗବାନଙ୍କୁ ଅର୍ପଣ କରାଯାଇଥାଏ । ବିଭିନ୍ନ ସ୍ତୋତ୍ର ପାଠ କରାଯାଇଥାଏ । ମାତ୍ର ଏପରି କିଛି ନିୟମ ଅଛି ଯାହାକୁ ପୂଜା ଘରେ ମଧ୍ୟ ପାଳନ କରିବା ଉଚିତ । ଯାଦ୍ୱାରା ଆମର ମଙ୍ଗଳ ହେବା ସହ ଧନ, ସୁଖସମୃଦ୍ଧି, ଶାନ୍ତି ଆଦି ପ୍ରାପ୍ତ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ସେହିସବୁ ନିୟମ ବିଷୟରେ । ଠାକୁର ଘରର ଯେକୌଣସି ଫଟୋ ବା ମୂର୍ତ୍ତି ନଷ୍ଟ ହୋଇଥିଲେ ତାକୁ ଗଙ୍ଗା ପାଣି ପକାଇ ବିର୍ସଜନ କରି ଦିଅନ୍ତୁ । କାରଣ ଏହାକୁ ଘରେ ରଖିଲେ ଅଶାନ୍ତିର ବାତାବରଣ ଲାଗି ରହେ । ତେଣୁ ଏହାକୁ ରଖିବା ଉଚିତ ନୁହେଁ । କୌଣସି ଭଙ୍ଗା ବା ଫାଟି ଥିବା ପାତ୍ରରେ ଭଗବାନଙ୍କୁ କିଛି ଅର୍ପଣ ମଧ୍ୟ କରିବା ଉଚିତ ନୁହେଁ । ଠାକୁର ଘରର କବାଟ ଶବ୍ଦ ହେଉଥିଲେ ଏଥିରେ ତେଲ ଦିଅନ୍ତୁ । କାରଣ ଏହା ଶବ୍ଦ ହେଲେ ଘରେ କଳି ଝଗଡ଼ା ଲାଗି ରହେ ।
ଘରର ମୁଖ୍ୟ କବାଟ ନିକଟରେ ଏକ ପିତ୍ତଳ ଢାଳ କିମ୍ବା ଏକ ଛୋଟ ପିତ୍ତଳ ଗ୍ଲାସରେ ପାଣି, ଫୁଲ, ଅଳ୍ପ ଚାଉଳ, ଚନ୍ଦନ ଲଗାଇ ରଖନ୍ତୁ । ଯିବା ଆସିବା ବେଳେ ତାହାକୁ ଦର୍ଶନ କରନ୍ତୁ । ଏହି ଜଳପୂର୍ଣ୍ଣ ପାତ୍ରରେ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ବାସ କରୁଥିବା ବିଶ୍ୱାସ ରହିଛି । ତେଣୁ ବାହାରକୁ ଯିବା ବେଳେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ।
ଏହାବ୍ୟତୀତ ଗୁରୁବାର ଦିନ ଏକ ନାଲି କପଡ଼ାରେ ନଡ଼ିଆକୁ ଗୁଡ଼ାଇ ମାତା ଲକ୍ଷ୍ମୀଙ୍କ ପାଖେ ରଖନ୍ତୁ । ଏହାଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ ।