ପ୍ରକାଶ ପାଇଲା ନାହିଁ ଜାତୀୟ ନାଗରିକ ପଞ୍ଜିକରଣ ପୁସ୍ତକ
ଗୌହାଟୀ : ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ ପୁସ୍ତକ (ଏନ୍ଆର୍ସି)ର ଚୂଡ଼ାନ୍ତ ଚିଠା ଆଜି ପ୍ରକାଶ ପାଇ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଏହି ଚିଠା ଯାଞ୍ଚ୍ କରାଯାଇ ପାରୁନଥିବାରୁ ଏହାର ପ୍ରକାଶରେ ବିଳମ୍ବ ହେଉଛି। ଚୂଡ଼ାନ୍ତ ଚିଠା ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ୩୦ ଜୁନ୍କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିଲେ। ଜୁଲାଇ ୨ ତାରିଖ ଦିନ ଏହା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସୂଚନାଯୋଗ୍ୟ ଯେ, ଏନ୍ଆର୍ସିର ପ୍ରଥମ ଚିଠା ତାଲିକାରେ ଏକ କୋଟି ୯୦ ଲକ୍ଷ ଲୋକଙ୍କ ନାମ ଗତବର୍ଷ ଡିସେମ୍ବର ୩୧ ତାରିଖରେ ପ୍ରକାଶ ପାଇଥିଲା । ପ୍ରକୃତ ନାଗରିକମାନଙ୍କୁ ଖୋଜି ବାହାର କରିବା ପାଇଁ ୧୯୫୧ ମସିହା ଏନ୍ଆର୍ସିକୁ ଆସାମରେ ସଂଶୋଧନ କରାଯାଉଛି ।