ହଜ ଯାତ୍ରୀଙ୍କ ପାଇଁ ବିମାନ କମ୍ପାନୀ ଚଳିତ ବର୍ଷ ପାଇବେ ୫୭କୋଟି ଟଙ୍କା କମ୍‍

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ହଜ୍‍ ଯାତ୍ରା ପାଇଁ ପ୍ରଦାନ କରୁଥିବା ଅନୁଦାନକୁ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି। ଏହି ଟଙ୍କା ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଅନୁଦାନକୁ ସମ୍ପୂର୍ଣ୍ଣ ଭାବରେ ଉଠାଇନେବା ପରିବର୍ତ୍ତେ ପର୍ଯ୍ୟାୟକ୍ରମେ କମ୍‍ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ହଜ ପାଇଁ ବିମାନ କମ୍ପାନୀଙ୍କୁ ଅନୁଦାନ ରାଶିରେ ୫୭କୋଟି ଟଙ୍କା କମ୍‍ କରିଛନ୍ତି ସରକାର।
କେନ୍ଦ୍ର ସରକାରଙ୍କ ହଜ୍‍ ରିହାତି ଉଠାଇ ନେବା ସତ୍ତେ୍ୱ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟାରେ ହଜ୍‍ ଯାତ୍ରୀ ସାଉଦି ଆରବ ଯାତ୍ରା କରୁଛନ୍ତି। ସ୍ୱାଧୀନତା ପରଠାରୁ ସର୍ବାଧିକ ୧ଲକ୍ଷ ୨୮ହଜାର ୭୦୨ଯାତ୍ରୀ ସାଉଦି ଆରବ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ୪୭ପ୍ରତିଶତ ମହିଳା ଅଛନ୍ତି। ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ମହିଳା ଯାତ୍ରୀ ହଜ ଯାତ୍ରା କରିବାର ସୁଯୋଗ ପାଇଛନ୍ତି।
ବିଗତ ବର୍ଷ ୧୦୩୦କୋଟି ଟଙ୍କା ବିମାନ କମ୍ପାନୀଙ୍କୁ ହଜ ଯାତ୍ରୀଙ୍କ ପାଇଁ ସରକାର ପ୍ରଦାନ କରିଥିବାବେଳେ ଚଳିତ ବର୍ଷ ୯୭୩କୋଟି ଟଙ୍କା ପୈଠ କରିବେ। ପୂର୍ବ ବର୍ଷ ଅପେକ୍ଷା ୫୭କୋଟି ଟଙ୍କା ବିମାନ କମ୍ପାନୀଙ୍କୁ କମ୍‍ ପ୍ରଦାନ କରାଯାଉଛି। ଚଳିତ ବର୍ଷ ମୋଟ୍‍ ୩ଲକ୍ଷ ୫୫ହଜାର ୬୦୩ଖଣ୍ଡ ଆବେଦନ ହଜ ଯାତ୍ରା ପାଇଁ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୩୦୮ଜଣ ମହିଳା ବିନା କୌଣସି ପୁରୁଷ ସହଯୋଗୀରେ ଚଳିତ ବର୍ଷ ହଜ ଯାତ୍ରା କରୁଛନ୍ତି। ଯାତ୍ରୀଙ୍କ ସହଯୋଗ ପାଇଁ ସହାୟକ ଓ ମେଡିକାଲ ଟିମ୍‍ ସାଉଦିଆରବରେ ମୁତୟନ କରାଯାଇଛି। ଜୁଲାଇ ୧୭ କଲକାତା, ଜୁଲାଇ ୨୦ରେ ବାରାଣସୀ, ଜୁଲାଇ ୨୧ରେ ମାଙ୍ଗାଲୋର, ଜୁଲାଇ ୨୬ରେ ଗୋଆ ଓ ଜୁଲାଇ ୨୯ରେ ଔରଙ୍ଗାବାଦରୁ ବିମାନ ସାଉଦିଆରବ ଅଭିମୁଖେ ହଜ ଯାତ୍ରୀଙ୍କୁ ନେଇ ଗସ୍ତ କରିବ।

kalyan agarbati
Leave A Reply