ଈଶ୍ବରୀୟ କୃପା
ଜଙ୍ଗଲସ୍ଥ ଏକ ବୃକ୍ଷରେ ପକ୍ଷୀ ଦମ୍ପତି ବସା ବାନ୍ଧି ରହିଥାନ୍ତି। ସେହିଦିନ ସ୍ତ୍ରୀ ପକ୍ଷୀଟି ଖାଦ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ଚାଲିଯାଇଥାଏ। ପୁରୁଷ ପକ୍ଷୀଟି ବସାରେ ଥିବା ସମୟରେ ତଳକୁ ଅନାଇ ଦେଖିଲା, ଜଣେ ବ୍ୟାଧ ଧନୁତୀର ସଜିଲ କରୁଛି ତାକୁ ଶିକାର କରିବା ପାଇଁ। ଶିକାରୀଟି ପକ୍ଷୀକୁ ଲକ୍ଷ୍ୟକରି ତୀର ସନ୍ଧାନ କରିବାକୁ ଉଦ୍ୟତ ହୁଅନ୍ତେ ପକ୍ଷୀଟି ବିଚାର କଲା ଉଡ଼ିଚାଲିଯିବାପାଇଁ। ହେଲେ ବିଧିବାମ ଥିଲା। ଉପରକୁ ଅନାନ୍ତେ ଦେଖିବାକୁ ପାଇଲା ଏକ ଛଞ୍ଚାଣ କିଛି ଦୂରରେ ଚକ୍କର କାଟୁଛି। ଉଡ଼ିଲା ମାତ୍ରେ ଛଞ୍ଚାଣର ଖାଦ୍ୟ ହେବା ନିଶ୍ଚିତ। ତଳେ କାଳରୂପୀ ବ୍ୟାଧ ନିଶାଣ କରିଥିଲାବେଳେ ଉପରେ ମୃତ୍ୟୁ ଦୂତ ସଦୃଶ ବାଜପକ୍ଷୀ- ଉଭୟଙ୍କର ଲକ୍ଷ୍ୟ ଏକ। ଏଥିରୁ ବଞ୍ଚିବାର ସବୁ ବାଟ ବନ୍ଦ। ତେଣୁ ମୃତ୍ୟୁ ଅବଶ୍ୟମ୍ଭାବୀ।
ଦୁଇ ଦିଗରୁ ଏଭଳି ବିପତ୍ତିରେ ଫସିିଯାଇଥିବା ପକ୍ଷୀଟି କିଂକର୍ତ୍ତବ୍ୟବିମୂଢ଼ ହୋଇଗଲା। ଏବେ କ’ଣ ବା କରିପାରିବ। ଯଦି ବସାରେ ରହେ ତେବେ ଶିକାରୀର ତୀରାଘାତରେ ମରିବା ସୁନିଶ୍ଚିତ। ଅନ୍ୟପକ୍ଷରେ ଉଡ଼ି ପଳାଇଯିବାକୁ ଚେଷ୍ଟା କଲାମାତ୍ରେ ଛଞ୍ଚାଣର ଶିକାର ହେବା ଧାର୍ଯ୍ୟ। ନିରୁପାୟ ଅବସ୍ଥାରେ ହଠାତ୍ ମନକୁ ଆସିଲା ଈଶ୍ବରଙ୍କୁ ପ୍ରାର୍ଥନା କରିବା ପାଇଁ। ସ୍ଥିର ଭାବରେ ପକ୍ଷୀଟି ଈଶ୍ବରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା।
ଠିକ୍ ଏହି ସମୟରେ ବୃକ୍ଷମୂଳରେ ଥିବା ଏକ ଗାତରୁ ବାହାରିଲା ସାପଟିଏ। ସାପଟି ଧୀରେଧୀରେ ଶିକାରୀ ଥିବା ଦିଗରେ ଅଗ୍ରସର ହେବାକୁ ଲାଗିଲା। ଶିକାରୀ ଏକାଗ୍ର ଚିତ୍ତରେ ଲକ୍ଷ୍ୟ ସ୍ଥିର କରୁଥିବାବେଳେ ସାପ ତା’ ନିକଟରେ ପହଞ୍ଚି ତା’ର ପାଦକୁ ଦଂଶନ କଲା। ଦଂଶନଜନିତ ଯନ୍ତ୍ରଣାରେ ଆଃ ବୋଲି ଜୋରରେ ଚିତ୍କାର କରିବାରୁ ଲକ୍ଷ୍ୟଭ୍ରଷ୍ଟ ହୋଇ ତୀର ଉପରେ ଉଡ଼ୁଥିବା ବାଜ ପକ୍ଷୀକୁ ଆଘାତ କରିଥିଲା ଓ ବାଜ ପକ୍ଷୀ ଭୂମିରେ ପଡ଼ି ଛଟପଟ ହେବାକୁ ଲାଗିଥିଲା।
ଏହିଭଳି ଭାବରେ ପକ୍ଷୀର ଆତୁର ପ୍ରାର୍ଥନା ଈଶ୍ବରଙ୍କ ଦରବାରରେ ପହଞ୍ଚିଥିଲା ଓ ଈଶ୍ବର ତା’ର ପ୍ରାର୍ଥନା ଶୁଣି ପ୍ରାଣରକ୍ଷା କରିଥିଲେ। ପ୍ରାୟତଃ ଏହା ହୋଇଥାଏ ଯେ ବିପଦ ଘନେଇ ଆସିଲେ କିମ୍ବା ଚତୁଃପାର୍ଶ୍ବରେ ବିପଦ ଦେଖା ଦେଲେ ଅନେକଙ୍କର ବୁଦ୍ଧି ହଜିଯାଇଥାଏ, କ’ଣ କରିବେ କିଛି ନିର୍ଦ୍ଧାରଣ କରିପାରି ନଥାନ୍ତି। ତେବେ ମହାପୁରୁଷମାନେ ଏହା କହିଛନ୍ତି ଯେତେବେଳେ ସବୁ ଉପାୟ ଶେଷ ହୋଇଯାଇଥାଏ, କୌଣସି ଉପାୟ ବଞ୍ଚିନଥାଏ, ସେ ସମୟରେ ସର୍ବଶ୍ରେଷ୍ଠ ଓ ସର୍ବଶକ୍ତିମାନ ଉପାୟଟିଏ ଥାଏ। ତାହା ହେଲା ଦୁଃଖହରଣକାରୀ ଈଶ୍ବରଙ୍କ ସାହାଯ୍ୟ ପ୍ରାର୍ଥନା। ସେତେବେଳେ ଈଶ୍ବରଙ୍କୁ ମନେ ପକାଇବା ଉଚିତ। ଈଶ୍ବରଙ୍କୁ ମନରେ ନିର୍ମଳ ଭାବରଖି ପ୍ରାର୍ଥନା କଲେ ସେ ନିଶ୍ଚୟ ରକ୍ଷା କରିଥାନ୍ତି।